ଜନ୍ମବେଦିରେ ଦର୍ଶନ ଦେଲେ ମହାପ୍ରଭୁ, ମିଳିଲା ଆଡ଼ପ ଅବଢ଼ା 

Advertisment
ଜନ୍ମବେଦିରେ ଦର୍ଶନ ଦେଲେ ମହାପ୍ରଭୁ, ମିଳିଲା ଆଡ଼ପ ଅବଢ଼ା 

ପୁରୀ : ବର୍ଷତମାମ୍‍ ରତ୍ନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମହାପ୍ରଭୁ ବୁଧବାରଠାରୁ ଜନ୍ମବେଦିରେ ଦର୍ଶନ ଦେଇଛନ୍ତି। କିନ୍ତୁ କୋଭିଡ୍‌ କଟକଣା ଯୋଗୁ ଭକ୍ତମାନେ ଏହି ଦୁଲ୍ଲଭ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ବିନା ଭକ୍ତରେ ଆଡ଼ପମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ସେପଟେ ରଥଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦୁଇଦିନ ଧରି ଶୁଖିଲା ଭୋଗ ଲାଗି ପରେ ବୁଧବାରଠାରୁ ଅନ୍ନବ୍ୟଞ୍ଜନ ଲାଗି ହୋଇଛି। କର୍ଫ୍ୟୁ କଟକଣା କୋହଳ ପରେ ଭକ୍ତମାନେ ବୁଧବାରଠାରୁ ଆଡ଼ପ ଅବଢ଼ା ପାଇବାର ସୁଯୋଗ ପାଇଛନ୍ତି। ବହୁ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଉତ୍ତର ଓ ଦକ୍ଷିଣଦ୍ବାର ସେଡ୍‌ରେ ଧାଡ଼ିରେ ରହି ମହାପ୍ରସାଦ ନେଇଛନ୍ତି। ସୁଆର ମହାସୁଆର ନିଯୋଗ ମହାପ୍ରସାଦ ଦାୟିତ୍ବ ବୁଝୁଥିବାବେଳେ ଟୋକନ୍‌ ବ୍ୟବସ୍ଥାରେ ଭକ୍ତଙ୍କୁ ମହାପ୍ରସାଦ ଦିଆଯାଇଛି।

publive-image

ରଥଯାତ୍ରା ପରେ ଦୁଇ ଦିନ ଧରି ଚତୁର୍ଦ୍ଧାମୂର୍ତ୍ତ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଗତକାଲି ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡିରେ ବିଜେ କରିଥିଲେ। ବିଜେ ନୀତି ସମ୍ପନ୍ନ ପରେ ବିଳମ୍ୱିତ ରାତିରେ ଚାରମାଳ ଫିଟା ସହ ମହାପ୍ରଭୁଙ୍କ ମହାସ୍ନାନ, ମଇଲମ ନୀତି ସମ୍ପନ୍ନ ହୋଇଥିଲା। ଏହା ପରେ ରୋଷହୋମ, ସୂର୍ଯ୍ୟପୂଜା, ଚନ୍ଦନଲାଗି, ଦ୍ୱାରପାଳ ପୂଜା, ବଡ଼ସିଂହାର ବେଶ ହୋଇଥିଲା। କିନ୍ତୁ ନୀତି ବିଳମ୍ବ ଯୋଗୁ ପହୁଡ଼ ନ ହୋଇ ପୁଣି ଆଜିର ଦୈନନ୍ଦିନ ନୀତି ଆରମ୍ଭ ହୋଇଥିଲା। ସକାଳ ୭ଟା ୧୫ରୁ ୭ଟା ୫୦ ଭିତରେ ମଙ୍ଗଳ ଆଳତି, ମଇଲମ ଓ ତଡ଼ପଲାଗି ନୀତି ଶେଷ ହୋଇଥିଲା। ଏହାପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ସକାଳଧୂପ ଶେଷ ପରେ ମଧ୍ୟାହ୍ନ ୧୨ଟା ୨୫ରେ ଭୋଗମଣ୍ଡପ ପୂଜା ଆରମ୍ଭ ହୋଇଥିଲା। ପରେ ଭୋଗ ବାହାରିବା ସହ ଭକ୍ତଙ୍କ ପାଇଁ ଆଡ଼ପ ଅବଢ଼ା ଉପଲବ୍ଧ ହୋଇଥିଲା।

publive-image

ଧାଡ଼ିରେ ଥିବା ଭକ୍ତମାନେ ‌ଟୋକନ୍‌ ଦେଖାଇ ଆବଶ୍ୟକ ପରିମାଣର ଆଡ଼ପ ଅବଢ଼ା ‌ନେଇଥିଲେ। ପ୍ରଥମ ଭୋଗମଣ୍ଡପ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ, ମଧ୍ୟାହ୍ନ ଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସମ୍ପନ୍ନ ହୋଇଥିଲା। ଦ୍ୱିତୀୟ ଭୋଗମଣ୍ଡପ ପରେ ମଇଲମ, ବେଶ, ସଂଧ୍ୟା ଆଳତି, ସଂଧ୍ୟା ଧୂପ ନୀତି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe