ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ : ଓଡ଼ିଶାବାସୀ ଭାରତୀୟ ସଂସ୍କୃତିର ଆମ୍ବାସଡର୍‌

ଖୁବ୍‌ଶୀଘ୍ର ଆଉ ୩ ଏକାଡେମିକ ବ୍ଲକ୍‌ ସମ୍ପୂର୍ଣ୍ଣ ହେବ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ : ଓଡ଼ିଶାବାସୀ ଭାରତୀୟ ସଂସ୍କୃତିର ଆମ୍ବାସଡର୍‌

ଭୁବନେଶ୍ବର : ସମଗ୍ର ବ୍ରହ୍ମାଣ୍ଡରେ ଜଗନ୍ନାଥ ହିଁ ଏକମାତ୍ର ସଂସ୍କୃତି ଦେବତା। ସତ୍ୟ, ପ୍ରେମ ଓ କରୁଣା ଆମ ସଂସ୍କୃତିର ମୂଳାଧାର। ସମସ୍ତଙ୍କୁ ସ୍ବୀକାର କରିବା ଓ ଭଲ ପାଇବା ଆମ ସଂସ୍କୃତିର ଦର୍ଶନ। ତେଣୁ ସମଗ୍ର ବିଶ୍ବରେ ଆମେ ଭାରତୀୟ ସଂସ୍କୃତିର ଆମ୍ବାସଡର। ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୧ତମ ପ୍ରତିଷ୍ଠା ଦିବସରେ ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଶ୍ରୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା‌ କହିଛନ୍ତି। ଏହି ଅବସରରେ ସେ ବିଶ୍ବବିଦ୍ୟାଳୟ ମଦନପୁର କ୍ୟାମ୍ପସ ପରିସରସ୍ଥିତ ଦୁଇ ନୂତନ ଏକାଡେମିକ ବ୍ଲକ୍‌କୁ ଉଦ୍‌ଘାଟନ କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କହିଲେ, ଆମ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଓ ସମୃଦ୍ଧି ଆମ ସମସ୍ତଙ୍କ ଦାୟିତ୍ବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ତଥା ବିଶ୍ବବିଦ୍ୟାଳୟର କୁଳପତି ମନୋରଂଜନ ପାଣିଗ୍ରାହୀ କହିଲେ, ବିଶ୍ବବିଦ୍ୟାଳୟରେ ଉଚ୍ଚତର ଗବେଷଣାକୁ ଅଧିକ ଗୁରୁତ୍ବ ଦିଆଯିବ। ବିଶ୍ବବିଦ୍ୟାଳୟର ଅନ୍ୟ ତିନିଟି ଏକାଡେମିକ ବ୍ଲକ୍‌କୁ ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ସହ କ୍ୟାମ୍ପସରେ ପ୍ରେକ୍ଷାଳୟ ନିର୍ମାଣ କରାଯିବ ବୋଲି ସେ କହିଥିଲେ। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ ବକ୍ତବ୍ୟ ପ୍ରଦାନ କରିଥିବା ବ‌େଳେ ବିଶ୍ବବିଦ୍ୟାଳୟର କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ବିଶ୍ବବିଦ୍ୟାଳୟର ବାର୍ଷିକ ସମାଚାର ପତ୍ରିକା ‘ସଂସ୍କୃତି’ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ଚିତ୍ରକଳା ଓ ଭାସ୍କର୍ଯ୍ୟ ପ୍ରଦର୍ଶନୀକୁ ରାଜ୍ୟପାଳ ବୁଲି ଦେଖିଥିଲେ। ଉତ୍ସବ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଲୋକନୃତ୍ୟ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଂଗୀତା ଗୋସାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe