Image Courtesy of India Today
ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ରାଜାମୁଣ୍ଡା ଗ୍ରାମର ଚନ୍ଦନ କୁମାର ମହାନ୍ତ ଏବଂ ତାଙ୍କର ଭାଇ ଜାତୀୟ ରାଜପଥ ୪ପୋର୍ଶ୍ବରେ ଫାଷ୍ଟ୍ ଫୁଡ୍ ଦୋକାନ ଦେଇ ଗୁଜୁରାଣ ମେଣ୍ଟାନ୍ତି। ୨ ତାରିଖ ଦିନ ବରଗଡ଼ ଜିଲ୍ଲାର କୁଚିପାଲି ଗ୍ରାମର ମହେଶ୍ଵର ମେହେରଙ୍କଠାରୁ ଚନ୍ଦନ ୨,୨୨,୫୦୦ ଟଙ୍କାର କୁକୁଡ଼ା ଆଣିଥିଲେ। ଉକ୍ତ ଟଙ୍କା ମାଗିବା ପାଇଁ ମହେଶ୍ଵର ୫ ତାରିଖ ଦିନ ଟଙ୍କା ମାଗିବା ପାଇଁ ଆସିଥିଲେ। କିନ୍ତୁ ଚନ୍ଦନକୁ ନ ପାଇ ଘରକୁ ଫେରି ଯାଇଥିଲେ। ୧୩ ତାରିଖ ସନ୍ଧ୍ୟାରେ ପୁଣି ମହେଶ୍ଵର, ନାରାୟଣ ମେହେର, ମନୁ ରଣା, ଶିବାନନ ଅଦାବର ଓ ଶୁଭମ ମେହେର ଏକ କାରରେ ଆସି ଚନ୍ଦନଙ୍କୁ ଜୋର ଜବରଦସ୍ତ ଅପହରଣ କରି ନେଇଥିଲେ। ବାକି ଟଙ୍କା ଦେଲେ ଛାଡ଼ିବେ ନଚେତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ଏନେଇ ଚନ୍ଦନଙ୍କ ପରିବାର ଲୋକ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଚନ୍ଦନଙ୍କୁ ଉଦ୍ଧାର କରିବା ସହିତ ବରଗଡ଼ ଜିଲ୍ଲାର କୁଚିପାଲି ଗ୍ରାମର ମହେଶ୍ଵର ମେହେର(୩୦), ଲାଉମୁଣ୍ଡା ଗ୍ରାମର ନାରାୟଣ ମେହେର(୩୪), ବିଶିପାଲି ଗ୍ରାମର ମନୁ ରଣା (୨୯) ଓ ବନଗୁଡା ଗ୍ରାମର ଶିବାନନ ଅଦାବର(୨୮)ଙ୍କୁ ଗିରଫ କରିଛି। ଏହା ସହିତ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ସେମାନଙ୍କ ନିକଟରୁ ଅପହରଣ ସମୟରେ ବ୍ୟବହୃତ କାର୍ ଓ ମୋବାଇଲ ଜବତ କରାଯାଇଛି।
Follow Us