ପୂର୍ବତନ ସରପଞ୍ଚ ହତ୍ୟା ମାମଲାରେ ୪ ଗିରଫ, ଦୁଇ ଅଭିଯୁକ୍ତ ଏବେ ବି ଫେରାର

Advertisment
ପୂର୍ବତନ ସରପଞ୍ଚ ହତ୍ୟା ମାମଲାରେ ୪ ଗିରଫ, ଦୁଇ ଅଭିଯୁକ୍ତ ଏବେ ବି ଫେରାର

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ ଓରଫ୍ ରାଜୁ ବିଷୋୟୀ ହତ୍ୟା ଘଟଣାର ଦେଢ଼ ମାସ ପରେ ପୁଲିସ ଆଜି ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।  ସେମାନେ ହେଲେ ଖଜାପଲ୍ଲୀର ସଂଗ୍ରାମ ସ୍ୱାଇଁ, ଜଟିଆ ସ୍ୱାଇଁ, ପିଣ୍ଟୁ ବିଷୋୟୀ ଓ ଭଗବାନ ସ୍ୱାଇଁ। ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଭୁଜାଲି ଓ ୪ଟି ମୋବାଇଲ୍‌ ଫୋନ୍‌ ସମେତ ଗୋଟିଏ ବୋଲେରୋ ଜବତ ହୋଥିବା ଏ.ଏସ୍‌.ପି  ବି.କେ ମଲ୍ଲିକ ଓ ଥାନା ଅଧିକାରୀ ପ୍ରଭାତ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କ ସଂପୃକ୍ତି ରହିଥିବା ବେଳେ ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏଏସ୍‌ପି କହିଛନ୍ତି।

ପ୍ରାୟ ୧୨ବର୍ଷ ଧରି ଖଜାପଲ୍ଲୀ ଗ୍ରାମର ବାହାଦୁର ସ୍ୱାଇଁ ଓ ରାଜୁ ବିଷୋୟୀଙ୍କ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଦୁଇ ପରିବାର ଶତ୍ରୁତା କାରଣରୁ ପ୍ରଥମେ ବାହାଦୁରଙ୍କୁ ଯୋଜନାବଦ୍ଧ ହତ୍ୟା କରା ଯାଇଥିଲା। ପରେ ଗତବର୍ଷ ସ୍ବର୍ଗତ ବାହାଦୁରଙ୍କ ପୁଅ ଜିତେନ୍ଦ୍ରଙ୍କୁ ମଧ୍ୟ ଦେଓଗାଁ ମୁଖ୍ୟରାସ୍ତାରେ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରା ଯାଇଥିଲା। ଏହି ହତ୍ୟା ମାମଲାରେ ରାଜେନ୍ଦ୍ର ଗିରଫ ହୋଇ କୋଦଳା ଜେଲ୍‌ରେ ଥିଲେ। ତେବ‌େ କିଛିଦିନ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜେଲ୍‌ରୁ ପାରୋଲ୍‌ରେ ଆସିଥିଲେ। ରାଜେନ୍ଦ୍ର ଜେଲ୍‌ରୁ ବାହାରକୁ ଆସିଥିବା ଜାଣି ଜିତୁ ସ୍ୱାଇଁଙ୍କ ଭାଇ ଓ ତାଙ୍କ ସହଯୋଗୀ ମିଶି ମେ’ ମାସ ୧୮ ତାରିଖ ରାତି ୯ଟାରେ ବିଚ୍‌ ରାସ୍ତାରେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପୁଲିସ କହିଛି। ଏ ନେଇ ରାଜେନ୍ଦ୍ରଙ୍କ ପୁଅ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ କେସ୍‌ ନଂ ୧୯୮/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏପରିକି ଗତବର୍ଷ ଦୀପାବଳିରେ ରାଜେନ୍ଦ୍ରଙ୍କ ପୁଅ ଉପରକୁ ମଧ୍ୟ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe