GNS News
ରାଇରଙ୍ଗପୁର/ବହଳଦା : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୁଲିସ ଏହି ମାମଲାରେ ୨ ନାବାଳକଙ୍କ ସହ ୪ ଜଣଙ୍କୁ ଗିରଫ କରିଥିବାବେଳେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରି ତାଙ୍କ ବୟାନ ରେକର୍ଡ କରିଛି।
ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ନିଜର ଜଣେ ନାବାଳକ ବନ୍ଧୁଙ୍କ ସହ ଗାଁ ପାଖ ଇଟାଭାଟି ପାଖରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଅନ୍ୟ ଜଣେ ନାବାଳକ ସହ ଭାଇରୋ ସୋରେନ୍ (୨୬) ଓ ଶ୍ରୀରାମ ହେମ୍ବ୍ରମ (୨୬) ନାମକ ଦୁଇଜଣ ଯୁବକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଧମକଚମକ ଦେବା ସହ ତାଙ୍କ ଅଶ୍ଳୀଳ ଫଟୋ ଉଠାଇ ଭାଇରାଲ୍ କରିବାକୁ ଭୟ ଦେଖାଇଥିଲେ। ପରେ ପୀଡ଼ିତାଙ୍କ ସହ ଯାଇଥିବା ନାବାଳକ ଜଣକ ମଧ୍ୟ ଅଭିଯୁକ୍ତମାନଙ୍କ ସହ ମିଶି ଯାଇଥିଲା। ସେମାନେ ଜଣକ ପରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି କିଛି ଗ୍ରାମବାସୀ ସେଠାରେ ପହଞ୍ଚିଯିବାରୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ପୀଡ଼ିତା ଏ ସମ୍ପର୍କରେ ନିଜ ମା’ ଙ୍କୁ ଜଣାଇବା ପରେ ଗତକାଲି ଘଟଣାର ଆପୋସ ସମାଧାନ ପାଇଁ ଗାଁରେ ବୈଠକ ବସିଥିଲା। ହେଲେ କୌଣସି ସମାଧାନ ହୋଇ ନପାରିବାରୁ ପୀଡ଼ିତା ଆଜି ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ବହଳଦା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଧରିବା ସହ ୪ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତ ଭାଇରୋ ଓ ଶ୍ରୀରାମଙ୍କୁ ବାରିପଦା କୋର୍ଟ ଓ ୨ ନାବାଳକଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରିଛି ପୁଲିସ।
Follow Us