ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏବେ ଦିନ ଦ୍ବିପ୍ରହରରେ ରାସ୍ତାକଡରେ ଭାଲୁ ବୁଲୁଛନ୍ତି। ଗୋଟିଏ କି ୨ଟି ନୁହେଁ, ଏକାଥରକେ ୪ଟି ଭାଲୁ ରାସ୍ତାକଡରେ ବୁଲୁଥିବା ଦେଖାଦେଇଛି। ରାସ୍ତାରେ ଯାଉଥିବା ଲୋକେ ଭାଲୁ ଚଳପ୍ରଚଳ କରୁଥିବାର ଭିଡିଓ ପ୍ରସ୍ତୁତ କରି ବିଭିନ୍ନ ସମାଜିକ ଗଣମାଧ୍ୟମରେ ଭାଇରାଲ କରିଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ଗ୍ରାମର ମୁଖ୍ୟ ରାସ୍ତାକଡରେ। ଗାଁକୁ ଲାଗିରହିଥିବା ଗ୍ରାମ୍ୟ ଜଙ୍ଗଲରୁ ବାହାରି ସ୍ପଷ୍ଟ ଦିବାଲୋକରେ ରାସ୍ତା ପାର୍ଶ୍ବରେ ଏହି ଭାଲୁଗୁଡିକ ବୁଲୁଥିବାର ଦେଖାଦେଇଛି।
ନବରଙ୍ଗପୁର ମୁଖ୍ୟ କାର୍ଯ୍ୟାଳୟ ସହିତ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ସହିତ ସଂଯୋଗ କରୁଥିବା ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଦୈନନ୍ଦିନ ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଛି । ଏହି ରାସ୍ତା ଦେଇ ଯାଉଥିବା ଲୋକେ ଗୋଟିଏ କିମ୍ବା ଦୁଇଟି ଭାଲୁ ଦେଖିଥିଲେ କିନ୍ତୁ ଏକା ସହିତ ୪ଟି ଭାଲୁ କେବେ ହେଲେ ଦେଖି ନଥିଲେ ବୋଲି କହିଛନ୍ତି ଗ୍ରାମବାସୀ । ଦୈନନ୍ଦିନ ଏହି ରାସ୍ତାରେ ନିର୍ଭର କରୁଥିବା ଲୋକେ ଏକା ସହିତ ୪ଟି ଭାଲୁ ଦେଖି ଆତଙ୍କିତ ହୋଇପଡିଛନ୍ତି।
ସିନ୍ଧିଗୁଡା ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଜଙ୍ଗଲରୁ ଏହି ଭାଲୁଗୁଡିକ ବାହାରି ଖାଦ୍ୟ ଅନ୍ୱେଷଣରେ ରାସ୍ତାକଡରେ ବୁଲୁଥିବା ଦେଖାଯାଉଛି । ଏହା ଏକ ସରଗି ଜଙ୍ଗଲ ହୋଇଥିବାରୁ ଦିନରେ ଭାଲୁ ଗୁଡିକ ଜଙ୍ଗଲ ଭିତରେ ରହି ସନ୍ଧ୍ୟା ନ ହେଉଣୁ ଅପରାହ୍ନ ୩ ଟାରୁ ୫ଟା ମଧ୍ୟରେ ଖାଦ୍ୟ ଅନ୍ୱେଷଣରେ ରାସ୍ତା କଡ଼କୁ ଚାଲି ଆସି ସିନ୍ଧିଗୁଡା ଗାଁ ଅଭିମୁଖେ ଯାଇଥାନ୍ତି । ସ୍ପଷ୍ଟ ଦିବାଲୋକରେ ଭାଲୁଗୁଡିକ ବୁଲୁଥିବା ଦେଖାଦେଉଥିଲେ ସୁଦ୍ଧା ରାସ୍ତାକଡରେ ବୁଲୁଥିବା ଭାଲୁ ଗୁଡିକ କାହାକୁ ଆକ୍ରମଣ କରିନଥିବା ବେଳେ କୌଣସି ସମୟରେ ଭାଲୁ ଓ ମଣିଷ ଲଢେଇ ଭଳି ଅଘଟଣ ଘଟିଯିବ ସେ ଆଶଙ୍କାକୁ ଏଡେଇ ଦେଇହେବ ନାହିଁ । ଗତବର୍ଷ ଏହି ଜଙ୍ଗଲରେ ଜଣେ ବୃଦ୍ଧା ଦାନ୍ତ କାଠି ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ତେଣୁ ଏଥିପ୍ରତି ବନ ବିଭାଗ ସତର୍କ ଓ ସ୍ୱତନ୍ତ୍ର ନଜର ରଖିବାର ଆବଶ୍ୟକ ରହିଛି ବୋଲି ଗ୍ରାମବାସୀ ଦାବି କରିଛନ୍ତି।
Follow Us