ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ଚାରି ପ୍ରାର୍ଥୀ

Advertisment

ଚର୍ଚ୍ଚାର ଖୋରାକ ଯୋଗାଇଲା ଦୁଇ ପ୍ରସନ୍ନଙ୍କ ଉପସ୍ଥିତି

ଚର୍ଚ୍ଚାର ଖୋରାକ ଯୋଗାଇଲା ଦୁଇ ପ୍ରସନ୍ନଙ୍କ ଉପସ୍ଥିତି

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ଚାରି ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟସଭା ପାଇଁ ବିଜେଡିର ଚାରି ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ପୂର୍ବାହ୍ନରେ ମନ୍ତ୍ରୀ, ଦଳୀୟ ବିଧାୟକ ଓ ନେତାଙ୍କ ଗହଣରେ ପ୍ରାର୍ଥୀ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ବିଧାନସଭା ପରିସରରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରତ୍ୟେକ ପ୍ରାର୍ଥୀ ଦୁଇ ସେଟ୍‌ ଲେଖାଏ ନାମାଙ୍କନ ପତ୍ର ଦେଇଥିଲେ। ପ୍ରତି ସେଟ୍‌ରେ ୧୦ ଜଣ ଲେଖାଏ ଦଳୀୟ ବିଧାୟକ ପ୍ରସ୍ତାବକ ରହିଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଥିବାରୁ ନାମାଙ୍କନ ପତ୍ର ଦାଖଲ ସମୟରେ ସେ ଅନୁପସ୍ଥିତ ଥିଲେ।

ରାଜ୍ୟସଭାର ତିନିଟି ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିଲା। ଏଥିରେ କେବଳ ବିଜେଡିର ତିନି ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାରୁ ସେମାନେ ନିଦ୍ବନ୍ଦ୍ବରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି। ପ୍ରାର୍ଥିପତ୍ର ଯାଞ୍ଚ୍‌ ପରେ ଏ ନେଇ ବିଧିବଦ୍ଧ ଘୋଷଣା ହେବ। ସେହିପରି ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଗୋଟିଏ ଆସନରେ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ଜୁନ୍ ୩। ଏହି ଆସନ ପାଇଁ ବିଜେଡି ପ୍ରା‌ର୍ଥୀ ନିରଞ୍ଜନ ବିଶି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିରୋଧୀ ଦଳ ମଧ୍ୟ ଏହି ଆସନରେ ପ୍ରାର୍ଥୀ ଦେବାର କୌଣସି ସମ୍ଭାବନା ନାହିଁ। ତେଣୁ ନିର୍ଦ୍ଧାରିତ ତାରିଖ ଜୁନ୍ ୧୦ ଓ ୧୩ ତାରିଖରେ ଆଉ ନିର୍ବାଚନ ହେବାର ଆବଶ୍ୟକତା ପଡ଼ିବ ନାହିଁ।

ଚର୍ଚ୍ଚାର ଖୋରାକ ଯୋଗାଇଲା ଦୁଇ ପ୍ରସନ୍ନଙ୍କ ଉପସ୍ଥିତି
ଆଜି ନାମାଙ୍କନ ପତ୍ର ଦାଖଲ ସମୟରେ ବହୁ ମନ୍ତ୍ରୀ, ବିଧାୟକ ଉପସ୍ଥିତ ଥିଲେ। ତେବେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ବିଜେଡିର ଦୁଇ ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ଉପସ୍ଥିତି। ଏହି ଦୁଇ ନେତା ଆଗ ଧାଡ଼ିରେ ଚାରି ପ୍ରାର୍ଥୀଙ୍କ ପାଖରେ ବସିଥି‌ଲେ। ପ୍ରସନ୍ନ ଆଚାର୍ଯ୍ୟଙ୍କ ରାଜ୍ୟସଭା କାର୍ଯ୍ୟକାଳ ଜୁଲାଇ ୧ରେ ଶେଷ ହେଉଛି। ସସ୍ମିତ ପାତ୍ରଙ୍କ ପରି ସେ ମଧ୍ୟ ଆଉ ଥରେ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ବରିଷ୍ଠତା ତଥା ପଶ୍ଚିମ ଓଡ଼ିଶାର ରାଜନୈତିକ ଗଣିତ ଦୃଷ୍ଟିରୁ ଶ୍ରୀ ଆଚାର୍ଯ୍ୟଙ୍କ ଉପରେ ନବୀନ ଭରସା କରିବେ ବୋଲି କୁହାଯାଉଥିଲା। କିନ୍ତୁ ସେପରି କିଛି ଘଟିଲା ନାହିଁ। ସେହିପରି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଯିବ ବୋଲି ଖୋଦ୍‌ ଦଳର ସଭାପତି ନବୀନ ପଟ୍ଟନାୟକ ହିଁ ୨୦୧୯ ସାଧାରଣ ନିର୍ବାଚନ ବେଳେ ଘୋଷଣା କରିଥିଲେ। ଏହା ପରେ ଦୁଇ ଥର ରାଜ୍ୟସଭା ନିର୍ବାଚନ ହୋଇଥିଲେ ବି ପ୍ରସନ୍ନଙ୍କ ପାଳି ପଡ଼ୁନି। ନିର୍ବାଚନ ପୂର୍ବରୁ ସେ ବିଭିନ୍ନ ଗଣମାଧ୍ୟମରେ ନବୀନଙ୍କୁ ତାଙ୍କ ଘୋଷଣା ସମ୍ପର୍କରେ ମନେ ପକାଇଦେଉଥିଲେ ବି ତାହାର ପ୍ରଭାବ ପଡ଼ୁନି। ବାରମ୍ବାର ସେ ନିରାଶ ହେଉଛନ୍ତି। କିନ୍ତୁ ଏହି ଦୁଇ ବରିଷ୍ଠ ନେତାଙ୍କୁ ଆଜି ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe