ଗାତରେ ପଡ଼ି ୪ଶିଶୁଙ୍କ ମୃତ୍ୟୁ

ମାରିଦେଲା ରାଜସ୍ଥାନର ଠିକାସଂସ୍ଥା, ଗାତ ଖୋଳି ଛାଡ଼ିଦେଇଥିଲା

ଗାତରେ ପଡ଼ି ୪ଶିଶୁଙ୍କ ମୃତ୍ୟୁ

କୋରାପୁଟ : ଠିକା ସଂସ୍ଥାର ଦାୟିତ୍ବହୀନତା ପାଇଁ ଅକାଳରେ ଚାଲିଯାଇଛି ୪ ଶିଶୁଙ୍କ ଜୀବନ। ରାସ୍ତା ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ହୋଇଛି। କୋରାପୁଟ ସଦର ଥାନା ମାଝିଗୁଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ବର୍ଷାରେ ପାଣି ଭର୍ତ୍ତି ହୋଇଥିଲା
ଶୋକରେ ସ୍ତବ୍ଧ ମାଝିଗୁଡ଼ା ଗାଁ

publive-image

ଭାରତାମଳା ପରିଯୋଜନାରେ ରାସ୍ତା କାମ ପାଇଁ ଦଶମନ୍ତପୁର ବ୍ଲକ୍‌ ପାଇକ ଫୁଲବେଡ଼ା ପଞ୍ଚାୟତର ଓଡ଼ପୁର-ମାଝିଗୁଡ଼ା ଗାଁ ମଧ୍ୟରେ ବିରାଟ ଗାତ ଖୋଳା ଯାଇଛି। ରାଜସ୍ଥାନ ଜୟପୁରର ଠିକା ସଂସ୍ଥା ଏଚ୍‌ଜି ଇନ୍ରଫା ଏହି ଗାତ ଖୋଳିଥିଲା। ୫ଫୁଟ୍‌ରୁ ବି ଅଧିକ ଗଭୀର ଗାତ ଖୋଳା ଯାଇଥିବା ବେଳେ ବର୍ଷା ଯୋଗୁ ସେଥିରେ ପାଣି ଭର୍ତ୍ତି ହୋଇଯାଇଥିଲା। ଗୁରୁବାର ଦିନ ପ୍ରାୟ ୧୧ଟାରେ ଗାଁର ପୂର୍ଣ୍ଣି ହନ୍ତାଳ (୮ବର୍ଷ), ବିମଳା ଶୁକ୍ରି (୬ବର୍ଷ), ରଇଲା ଶୁକ୍ରି (୪ବର୍ଷ) ଏବଂ ମଧୁସୂଦନ ହନ୍ତାଳ (୬ବର୍ଷ) ଘର ବାହାରକୁ ଖେଳିବା ପାଇଁ ଯାଇଥିଲେ। ଖେଳକୁଦ ମଧ୍ୟରେ ଅନ୍ୟମନସ୍କ ହୋଇ କେହି ଜଣେ ପ୍ରଥମେ ଗାତ ଭିତରକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ଜଣ ଗାତରେ ପଡ଼ି ଯାଇଥିଲେ। ଗାତରେ ପ୍ରାୟ ୫ଫୁଟ ପାଣି ଜମି ରହିବାରୁ ବାହାରି ପାରିନଥିବା ଆଶଙ୍କା କରାଯାଉଛି। ବହୁ ସମୟ ଧରି ପିଲାମାନେ ଘରକୁ ନ ଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଶେଷରେ ଗାତ ଭିତରେ ପିଲାମାନେ ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ଶବ ଉଦ୍ଧାର କରି କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜରେ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

publive-image

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ବର୍ଷା ଯୋଗୁ ଗାତରେ ପାଣି ଭର୍ତ୍ତି ହୋଇଯାଇଥିଲା। ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ହୋଇ ନଥିଲା। ତେଣୁ ଅଘଟଣ ଆଶଙ୍କା କରି କିଛି ଦିନ ତଳେ ସେମାନେ ସୁରକ୍ଷା ବ୍ୟବସ୍ଥା କିମ୍ବା ଗାତକୁ ଖୋଲା ନ ଛାଡ଼ିବା ପାଇଁ ଠିକା ସଂସ୍ଥାକୁ ନିବେଦନ କରିଥିଲେ। ଏହାସତ୍ତ୍ବେ ଗୁରୁତ୍ବ ଦେଇ ନଥିଲା ଠିକାସଂସ୍ଥା। ଯାହାଫଳରେ ଆଜି ଏଭଳି ଲୋମଟାଙ୍କୁରା ଘଟଣା ଘଟିଥିବା କୁହାଯାଉଛି।

ଅନ୍ୟପକ୍ଷରେ ୪ଶିଶୁ ମୃତ୍ୟୁ ଘଟଣାରେ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଗାତ ଖାଳି ଛାଡ଼ି ଦେଇଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିପାଇଁ ଦଶମନ୍ତପୁର ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ମୃତକଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe