ଭୁବନେଶ୍ବର: ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ସ୍ଥାନୀୟ ଜୟଦେବ ଭବନରେ ଶନିବାରଠାରୁ ୪ ଦିନିଆ ‘ଫଟୋ ପ୍ରଦର୍ଶନୀ’ ଆରମ୍ଭ ହୋଇଯାଇଛି। ରାଜ୍ୟସ୍ତରୀୟ ଏହି ପ୍ରଦର୍ଶନୀକୁ ମୁଖ୍ୟଅତିଥି ଭାବେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯାହା ୧୦୦୦ ଶବ୍ଦରେ କହିହେବ ନାହିଁ, ତାହା ଗୋଟିଏ ଫଟୋ ମାଧ୍ୟମରେ କହିହେବ। ଖବରକାଗଜରେ ଜାଗାର କମ। ଅକ୍ଷରଗୁଡ଼ିକ ବର୍ତ୍ତମାନ ଯେତିକି ବିଶ୍ବସନୀୟ ନୁହନ୍ତି, ଫଟୋଗ୍ରାଫି ତା’ଠାରୁ ଅଧିକ ବିଶ୍ବସନୀୟ ହୋଇପାରିଛି। ଅନେକ ଫଟୋଗ୍ରାଫର ବନ୍ଧୁମାନଙ୍କୁ ତୃତୀୟ ଶ୍ରେଣୀର ସାମ୍ବାଦିକ ବୋଲି ଭାବନ୍ତି। କିନ୍ତୁ ମୋ ବିଚାରରେ ସେମାନେ ପ୍ରଥମ ଶ୍ରେଣୀରୁ ଆହୁରି ଉପର ଶ୍ରେଣୀର ସାମ୍ବାଦିକ।
/sambad/media/post_attachments/wp-content/uploads/2023/08/WhatsApp-Image-2023-08-19-at-16.55.07-e1692450640195-1024x604.jpeg)
ଫଟୋ ପ୍ରଦର୍ଶନୀ ବୁଲି ଦେଖିଲା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସରେଶ କୁମାର ରାଉତରାୟ (ସୁର) କହିଛନ୍ତି, ଫଟୋଗ୍ରାଫି ପ୍ରତି ଲୋକଙ୍କର ରୁଚି ବଢ଼ୁଛି। ଗତବର୍ଷ ଠାରୁ ଏଥର ଫଟୋ ପ୍ରଦର୍ଶନୀ ଅଧିକ ଭଲ ହୋଇଛି। ଆଦିବାସୀ, ଚାଷୀ ଜୀବନ, ମତ୍ସ୍ୟ ଚାଷ, ପୌରାଣିକ କାହାଣୀ ଉପରେ ଫଟୋ ପ୍ରଦର୍ଶନୀରେ ଶୋଭା ପାଇଛି। ଫଟୋଗ୍ରାଫରମାନେ ଆହୁରି ସୁନାମ ଆଣନ୍ତୁ। ଓଡ଼ିଶାର ଗର୍ବ ଓ ଗୌରବ ବଢ଼ାନ୍ତୁ। ବିଶ୍ବରେ ନାମ କରନ୍ତୁ।
/sambad/media/post_attachments/wp-content/uploads/2023/08/WhatsApp-Image-2023-08-19-at-16.55.26-e1692450547417-1024x630.jpeg)
‘ନୂତନ ଭବିଷ୍ୟତ ନିର୍ମାଣର ସୂତ୍ରଧର ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ଫଟୋ ପ୍ରଦର୍ଶନୀ ଆଜିଠାରୁ ଏହା ୨୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ଲକ୍ଷ୍ମୀକାନ୍ତ ଦାସ (ନବୀନ) କହିଛନ୍ତି। ଗତବର୍ଷ ପ୍ରାୟ ୩୦ ଜଣଙ୍କର ଫଟୋ ଏହି ପ୍ରଦଶର୍ନୀରେ ସ୍ଥାନ ପାଇଥିଲା। କିନ୍ତୁ ଚଳିତ ବର୍ଷ ପାଖାପାଖି ୮୦ ଜଣଙ୍କର ୨୫୩ଟି ଫଟୋ ଏଠାରେ ସ୍ଥାନ ପାଇପାରିଛି। ବନ୍ୟପ୍ରାଣୀ, ଗ୍ରାମ୍ୟ ଜୀବନ ଓ ଆକ୍ସନକୁ ନେଇ ଉଠାଯାଇଥିବା ଫଟୋକୁ ଏଠାରେ ପ୍ରଦର୍ଶନ କରାଯାଇଛି। କେବଳ ଭୁବନେଶ୍ବର ନୁହେଁ ରାଜ୍ୟର ବିଭିନ୍ନ ଅଂଚଳରୁ ଫଟୋଗ୍ରାଫର ଭାଇମାନେ ସେମାନଙ୍କର ଫଟୋ ଏହି ପ୍ରଦର୍ଶନୀ ପାଇଁ ପଠାଇଛନ୍ତି। ଓଡ଼ିଶାରେ ଫଟୋଗ୍ରାଫିକୁ ପ୍ରୋତ୍ସାହନ ମିଳିପାରି ନାହିଁ। ସମସ୍ତେ ଏଥିରେ ସାମିଲ ହୋଇପାରିଲେ ଏହା ଏକ ମହୋତ୍ସବରେ ପରିଣତ ହୋଇପାରିବ। ଫଟୋଗ୍ରାଫିରେ ଭଲ କ୍ୟାରିୟର କରିହେବ। ଯୁବପିଢ଼ିଙ୍କୁ ଫଟୋଗ୍ରାଫି ପ୍ରତି ଆକର୍ଷିତ କରିବା ପାଇଁ ଏହି ପ୍ରଦର୍ଶନୀର ମୂଳ ଲକ୍ଷ୍ୟ।
/sambad/media/post_attachments/wp-content/uploads/2023/08/na.jpg)
ଫଟୋ ପ୍ରଦର୍ଶନୀରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ମେୟର ସୁଲୋଚନା ଦାସ ଯୋଗ ଦେଇଥିବା ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ. ଦିଲ୍ଲୀପ ରାଉତରାୟ ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଡ. ବିପିନ ବିହାରୀ ମିଶ୍ର ଯୋଗ ଦେଇଥିଲେ। ଫଟୋଗ୍ରାଫି ପ୍ରତି ରୁଚି ରଖିଥିବା ଶତାଧିକ ବ୍ୟକ୍ତି ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ।
/sambad/media/post_attachments/wp-content/uploads/2023/08/a02e2db5-3a0e-4aab-bd85-2b4a99b070a3-e1692450813401.jpg)
Follow Us