ବନ୍ଦ ଘରେ ୪ ଗଳିତ ଶବ: ଗଣ ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ?

Advertisment

ସମସ୍ତେ ଗୋଟିଏ ପରିବାରର, ଘଟଣାସ୍ଥଳରେ ୧ ପ୍ଲାଟୁନ୍‌ ଫୋର୍ସ

ସମସ୍ତେ ଗୋଟିଏ ପରିବାରର, ଘଟଣାସ୍ଥଳରେ ୧ ପ୍ଲାଟୁନ୍‌ ଫୋର୍ସ

ବନ୍ଦ ଘରେ ୪ ଗଳିତ ଶବ: ଗଣ ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ?

ଥୁଆପାଲି : ବନ୍ଦ ଘର ଭିତରେ ଗୋଟିଏ ପରିବାରର ୪ ଜଣଙ୍କ ଗଳିତ ଶବ ପଡ଼ିଛି। ଏହା ଗଣଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ଜାମଡ଼ୋଲ ଗାଁ କନ୍ଦପଡ଼ାଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ମୃତକମାନେ ହେଉଛନ୍ତି, ଏହି ପଡ଼ାରେ ରହୁଥିବା ଶେଷଦେବ ମେହେର (୬୫ବର୍ଷ), ସ୍ତ୍ରୀ କ୍ଷୀରେଶ୍ବରୀ ମେହେର (୬୦ବର୍ଷ), ପୁଅ ଅରବିନ୍ଦ ମେହେର (୩୦ବର୍ଷ) ଓ ଝିଅ ଶିବାନୀ ମେହେର (୨୨ବର୍ଷ)। ପୁଲିସ ସୂଚନା ଅନୁସାରେ, ଚାରି କିମ୍ବା ପାଞ୍ଚଦିନ ତଳେ ଏହି ଘଟଣା ଘଟିଛି। ଯେଉଁଥିପାଇଁ ମୃତଦେହରୁ ଉତ୍କଟ ଦୁର୍ଗନ୍ଧ ବାରୁଥିଲା। ରବିବାର ପ୍ରାୟ ସଂଧ୍ୟା ପ୍ରାୟ ୬ଟା ବେଳେ ଉକ୍ତ ଘର ସମ୍ମୁଖରେ ଯାତାୟାତ କରୁଥିବା ଲୋକଙ୍କ ନାକରେ ଏହି ଦୁର୍ଗନ୍ଧ ବାଜିବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଭେଡ଼େନ ଥାନାଧିକାରୀ ସଂଗୀତା ମହାପାତ୍ର, ଋଷୁଡ଼ା ଫାଣ୍ଡି ଅଧିକାରୀ ଅରୂପ ରଂଜନ ବରାଇଙ୍କ ସମେତ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଅତିରିକ୍ତ ତହସିଲଦାର ଦେବାନନ୍ଦ ସାହୁ ମଧ୍ୟ ପହଞ୍ଚିଥିଲେ। ଆଜି ସକାଳେ ଘର ଭିତରୁ ମୃତଦେହଗୁଡ଼ିକ ଉଦ୍ଧାର କରାଯିବ। ଏହାପରେ ସାଇଣ୍ଟିଫିକ୍‌ ଟିମ୍‌ ତନାଘନା କରିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମୃତ ଶେଷଦେବଙ୍କ ଘର ଗତ ୪-୫ ଦିନ ହେଲା ଭିତର ପଟରୁ ବନ୍ଦ ରହିଥିଲା। ସ୍ଥାନୀୟ ଅଂଚଳରେ କାଳୀପୂଜା ଉପଲକ୍ଷେ ମହିଷାସୁର ଦରବାର କାର୍ଯ୍ୟକ୍ରମ ଚାଲିଥିଲା। କାଳେ ଶେଷଦେବଙ୍କ ପରିବାର ରାତିରେ ଅନିଦ୍ରା ରହି ଘର ଭିତରୁ ବନ୍ଦ କରି ଶୋଇଥିବେ ବୋଲି ସେମାନେ ଭାବୁଥିଲେ। କିନ୍ତୁ, ରବିବାର ସଂଧ୍ୟାରେ ଘର ଭିତରୁ ଉତ୍କଟ ଗନ୍ଧ ବାହାରିବା ପରେ ସ‌ନ୍ଦେହଜାତ ହୋଇଥିଲା। ଏହି ପରିବାର ସହ କାହାରି ଶତ୍ରୁତା ନଥିବା ସ୍ଥାନୀୟ ଲୋକେ ‌କହିଛନ୍ତି। ଅନ୍ୟପକ୍ଷରେ, ଘର ଭିତରପଟୁ ବନ୍ଦ ଥିବାରୁ ଏହା ଏକ ଗଣଆତ୍ମହତ୍ୟା ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି। ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ପରେ ଏହି ମାମଲାର ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe