‘ମାଖନା’ ରକ୍ତମୁଖା: ଦୁଇ ଘଣ୍ଟାରେ ଚାରି ଜଣଙ୍କୁ ମାରିଦେଲା

Advertisment

୫୦ ଖଣ୍ଡ ଗାଁ ଥରହର, କାହାକୁ କଚାଡ଼ିଲା, କାହାକୁ ମାଟିରେ ପୋତିଦେଲା

୫୦ ଖଣ୍ଡ ଗାଁ ଥରହର, କାହାକୁ କଚାଡ଼ିଲା, କାହାକୁ ମାଟିରେ ପୋତିଦେଲା

‘ମାଖନା’ ରକ୍ତମୁଖା: ଦୁଇ ଘଣ୍ଟାରେ ଚାରି ଜଣଙ୍କୁ ମାରିଦେଲା

ବଅଁରପାଳ/ଅନୁଗୁଳ : ଭୋର୍‌ରୁ ମାତିଲା ଗୋଠଛଡ଼ା ‘ମାଖନା ହାତୀ। ମାତ୍ର ଦୁଇ ଘଣ୍ଟାରେ ଚାରି ଖଣ୍ଡ ଗାଁରେ ରଚିଲା ତାଣ୍ଡବ। ଗୋଟି ଗୋଟି କରି ପ୍ରତି ଗାଁରୁ ନେଲା ଚାରି ଗୋଟି ମୁଣ୍ଡ। ଅନୁଗୁଳ ବନଖଣ୍ଡରେ ଆଜି ସକାଳୁ ସକାଳୁ ଏମିତି ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକ ଏବଂ ଆତଙ୍କର କାରଣ ସାଜିଛି। ପ୍ରାୟ ୧୫ବର୍ଷ ବୟସର ଏକ ଗୋଠଛଡ଼ା ରକ୍ତମୁଖା ହାତୀର ଏ ପ୍ରକାର ତାଣ୍ଡବ କେବଳ ଆଖପାଖ ୫୦ଖଣ୍ଡ ଗାଁକୁ ଥରହର କରାଇ ଦେଇନାହିଁ, ବରଂ ପୂରା ରାଜ୍ୟକୁ ବି ଚକିତ କରିଛି।

ଏ ଘଟଣା ଶନିବାର ଭୋର୍‌ ପ୍ରାୟ ୫ଟା ସମୟରେ ଘଟିଛି। ମାଈ ହାତୀ ଭଳି ଏହାର ଦାନ୍ତ ନାହିଁ, କିନ୍ତୁ ଏହା ଅଣ୍ଡିରା ପ୍ରଜାତିର ହାତୀ ହୋଇଥିବାରୁ ଏହାକୁ ‘ମାଖନା ବୋଲି କୁହାଯାଉଛି। ଏ ହାତୀ ପ୍ରଥମ ଶିକାର କରିବା ପାଇଁ ଯାଇଥିଲା ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ଗାଁକୁ। ଛେଳିଆପଡ଼ା ତାଳବୁରି ସାହିର ଚାଷୀ ସୁବାସ ବିଶ୍ବାଳ(୬୦) ତାଙ୍କ ଚାଷ ଜମିରେ ପରିବା ଚାଷ କରିଥିଲେ। ଷଣ୍ଢ ଫସଲ ଖାଉଥିବାରୁ କ୍ଷେତ ପାଖରେ ମଞ୍ଚା କରି ଜଗାରଖା କରୁଥିଲେ। କେବଳ ସୁବାସ ନୁହେଁ, ମଞ୍ଚାରେ ତାଙ୍କର ଦୁଇ ଭାଇ ମଧ୍ୟ ଶୋଇଥିଲେ। ଆଜି ଭୋର୍‌ ପ୍ରାୟ ୫ଟା ସମୟରେ ସୁବାସ ଶୀତ ପାଇଁ କୁଡ଼ିଆ ନିକଟରେ ନିଆଁ ଜାଳି ସେକି ହେଉଥିଲେ। ଅନ୍ୟ ଦୁଇ ଭାଇ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ହାତୀ ଆସି ସୁବାସଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ସୁବାସ ପ୍ରାଣ ବିକଳରେ ଦୌଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଫସଲ ପାଇଁ ଘେରା ହୋଇଥିବା ଜାଲ୍‌(ନେଟ୍‌)ରେ ତାଙ୍କର ଗୋଡ଼ ଫଶିଯିବାରୁ
ସେ ଆଗକୁ ଯାଇପାରି ନଥିଲେ। ଘଟଣାସ୍ଥଳରେ ହିଁ ହାତୀ ସୁବାସଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ସେହିଠାରେ ହିଁ ତାଙ୍କ ପ୍ରାଣ ଯାଇଥିଲା।

ଏ ଘଟଣା ଚାରିଆଡ଼େ ପ୍ରଚାରିତ ହେବା ପୂର୍ବରୁ ହାତୀ ଯାଇ ପହଞ୍ଚିଥିଲା ପାଖ ଅଙ୍ଗାରବନ୍ଧ ଗାଁରେ। ସ୍ଥାନୀୟ ଅଞ୍ଚଳର ଚାଷୀ ଅନିରୁଦ୍ଧ ସାହୁ(୫୪) ଅନୁରୂପ ଭାବେ ଚାଷ ପାଇଁ କ୍ଷେତକୁ ଯାଇଥିଲେ। ପନିପରିବାକୁ କୁଶାକୁଡ଼ା କରିବା ପାଇଁ ସାଙ୍ଗରେ ଜଣେ ମହିଳା ଶ୍ରମିକଙ୍କୁ ବି କ୍ଷେତକୁ ଡାକିଥିଲେ। କାମ କରିବା ପୂର୍ବରୁ ଅନିରୁଦ୍ଧ ଶୀତ ପାଇଁ ନିଆଁ ଜାଳି ସେକି ହେଉଥିଲେ। ଏହି ସମୟରେ ସେ କିଛି ଜାଣିବା ପୂର୍ବରୁ ହାତୀ ତାଙ୍କୁ ପଛ ପଟୁ ଆସି ଆକ୍ରମଣ କରିଥିଲା। ହଠାତ୍‌ ପଛପଟେ ହାତୀକୁ ଦେଖି ଜୀବନ ବିକଳରେ ଦୌଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଅନିରୁଦ୍ଧଙ୍କର ପାଦ ମାଟିରେ ପଶି ଯାଇଥିଲା। ସେଠାରୁ ମୁକୁଳିବା ପୂର୍ବରୁ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଶୁଣ୍ଢରେ ହାତୀ ତାଙ୍କୁ ମାରି ମାଟିରେ ମୁଣ୍ଡକୁ ପାଦରେ ପୋତି ଦେଇଥିଲା।

ଅଙ୍ଗାରବନ୍ଧ ପଞ୍ଚାୟତର ବାର୍‌ସିଂହା ଗାଁରେ ତୃତୀୟ କାଣ୍ଡ ଘଟାଇଥିଲା ହାତୀ। ଗ୍ରାମର ରମେଶ ସ୍ବାଇଁ ଘର ପାଖକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଥିଲେ। କେହି କିଛି ଜାଣିବା ଆଗରୁ ହାତୀ ତାଙ୍କୁ ମାରି ଦେଇ ବଅଁରପାଳ ବ୍ଲକ୍‌ ସନ୍ତ୍ରୀ ଗାଁ ଆଡ଼କୁ ଯାଇଥିଲା। ଘଟଣାସ୍ଥଳରେ ହିଁ ରମେଶ ମରି ପଡ଼ିଥିଲେ। ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ମୃତ ରମେଶ ମଧ୍ୟ ଜଣେ ଚାଷୀ ଥିଲେ। ଶେଷ ତାଣ୍ଡବ ରଚିଥିଲା ବଅଁରପାଳ ବ୍ଲକ ସନ୍ତ୍ରୀ ଗାଁର ଜାମ୍ବୁସାହିରେ। ସ୍ଥାନୀୟ ଅଞ୍ଚଳର ଅଜୟ ସାମଲଙ୍କ ଘର ପଛ ପାଖ ଦେଇ ହାତୀ ଅତିକ୍ରମ କରିଥିଲା। କିନ୍ତୁ, ଅଜୟ ଏ ସମ୍ପର୍କରେ ଅଜ୍ଞ ଥିଲେ। ଘରୁ ବାହାରି ଯାଉଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀ ତାଙ୍କୁ ବି ଆକ୍ରମଣ କରି ପଳାଇଥିଲା। ଗୁରୁତର ଅବସ୍ଥାରେ ଅଜୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ, ବାଟରେ ଅଜୟ ଆଖି ବୁଜିଥିଲେ।

ଅନୁଗୁଳ ବ୍ଲକ୍ ଛେଳିଆପଡ଼ା ଗାଁରୁ ବଅଁରପାଳ ବ୍ଲକ୍‌ର ଜାମ୍ବୁସାହି। ଦୂରତା କହିଲେ ମାତ୍ର ୧୦କିଲୋମିଟର। ଏତିକି ରାସ୍ତାକୁ ଦୁଇ ଘଣ୍ଟାରେ ଅତିକ୍ରମ କରି ହାତୀ ଉଜାଡ଼ିଦେଲା ଚାରି ପରିବାର। ଏ ଘଟଣାକୁ ନେଇ କେବଳ ଏହି ଚାରୋଟି ଗାଁ ନୁହେଁ, ଆଖପାଖ ୫୦ ଖଣ୍ଡ ଗାଁ ଭୀତତ୍ରସ୍ତ ହୋଇଛନ୍ତି। ହାତୀ ଏବେ ବଅଁରପାଳ ବ୍ଲକ୍‌ ଗୋତମରା ପଞ୍ଚାୟତ ଗଣ୍ଠିଗାଡ଼ିଆ ଅଞ୍ଚଳରେ ରହିଥିବା ବେଳେ ତାକୁ କବ୍‌ଜା କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଜୋର୍‌ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଲୋକେ ଶବକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଶିଥିଲେ। ଦୁଇଟି ଶବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଏବଂ ଦୁଇଟି କାର୍ଯ୍ୟାଳୟ ବାହାରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ଘଟଣା ପାଇଁ ବନ ବିଭାଗକୁ ପୂରା ଦାୟୀ କରାଯାଇଥିଲା। ଏ ଘଟଣାରେ ଅନୁଗୁଳ ଡିଏଫ୍‌ଓଙ୍କୁ ଗିରଫ କରିବା ସହିତ ମୃତକଙ୍କ ପରିବାରକୁ ଅଧିକ ଆର୍ଥିକ ସହାୟତା ପାଇଁ ଲୋକେ ଅଡ଼ି ବସିଥିଲେ। ଶେଷରେ ପ୍ରତି ପରିବାରକୁ ଚାରି ଲକ୍ଷ ୬୫ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ପ୍ରତି ପରିବାରର ଜଣଙ୍କୁ ଅସ୍ଥାୟୀ ଚାକିରି ପାଇଁ ପ୍ରତିଶ୍ରୁତି ଦେଲା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe