ମାଳତୀ ପୋଲ ଉପରେ ୪ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ଯୋଗାଯୋଗ ବିଛିନ୍ନ

Advertisment
ମାଳତୀ ପୋଲ ଉପରେ ୪ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ଯୋଗାଯୋଗ ବିଛିନ୍ନ

ସମ୍ବଲପୁର : ବୁଧବାର ୨୪ଟି ଗେଟ୍ ଖୋଲିବା ପରେ ସମ୍ବଲପୁର ସହର ଉପକଣ୍ଠ ଗୁଣ୍ଡେରପୁରର ମାଳତୀ ଯୋର ପୋଲ ଉପରେ ପାଣି ଚାଲିଥିଲା। ଗୁରୁବାର ଆଉ ୪ଟି ଗେଟ୍ ଖୋଲିବା ପରେ ଏହି ଖାଲୁଆ ପୋଲଟି ସଂପୂର୍ଣ୍ଣ ବୁଡ଼ି ଯାଇଛି। ଏହା ଉପରେ ପ୍ରାୟ ୪ ଫୁଟ୍ ଉଚ୍ଚତାରେ ପାଣି ଚାଲୁଛି। ମହାନଦୀର ପଛୁଆ ପାଣି ମାଳତୀରେ ପଡ଼ି ଏହି ସ୍ଥିତି ସୃ‌ଷ୍ଟି କରିଛି। ଫଳରେ ସମ୍ବଲପୁର-ସୋନପୁର ୧୫ ନମ୍ବର ରାଜ୍ୟ ରାଜପଥରେ ‌ଯାତାୟତ ଠପ୍ ହେବା ସହ ଯୋଗାଯୋଗ ବିଛିନ୍ନ ହୋଇଛି।

ପ୍ରାୟ ପ୍ରତି ବର୍ଷ ସାମାନ୍ୟ ବନ୍ୟା ହେଲେ ଏହି ପୋଲ ଉପରେ ପାଣି ଚାଲିଥାଏ। ତେଣୁ ଏଠାରେ ଏକ ଉଚ୍ଚ ପୋଲ ନିର୍ମାଣ ପାଇଁ ବହୁ ଦିନରୁ ଯୋଜନା ରହିଛି। ଗତ ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆସି ସମ୍ବଲପୁରର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ଏହି ନୂଆ ପୋଲ ନିର୍ମାଣ କଥା ଘୋଷଣା କରିଥିଲେ। ଏଥି ସମେତ ମୋଟ ୫ଟି ପ୍ରକଳ୍ପ ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନରେ ଶାସକ ଦଳ ଉଭୟ ସମ୍ବଲପୁର ବିଧାନସଭା ଓ ଲୋକସଭା ଆସରେ ପରାଜିତ ହେବା ପରେ ଆଉ ପ୍ରତିଶ୍ରୁତି ରକ୍ଷା କରାଯାଇ ନଥିଲା। ଉକ୍ତ ଘୋଷଣାକୁ ଅଢ଼େଇ ବର୍ଷ ପୂରିଥିଲେ ବି ୫ଟି ମଧ୍ୟରୁ କୌଣସି ‌କାମ ଆରମ୍ଭ ହୋଇ ନାହିଁ। ପ୍ରତି ବର୍ଷ ବନ୍ୟାରେ ବୁଡ଼ୁଥିବା ଅତ୍ୟନ୍ତ ଜରୁରୀ ମାଳତୀ ଯୋର ପୋଲ ନିର୍ମାଣ କଥା ମଧ୍ୟ ସରକାର ଚିନ୍ତା କରୁ ନାହାନ୍ତି। ଏହାଛଡ଼ା ସମ୍ବଲପୁରର ଜିଲ୍ଲା ସ୍କୁଲ୍ ଛକରୁ ନକ୍ସାପାଲି ପର୍ଯ୍ୟନ୍ତ ୪ ଲେନ୍‌ ରାସ୍ତା ନିର୍ମାଣ ଅତ୍ୟନ୍ତ ଜରୁରୀ ହୋଇଥିଲେ ବି ତାହା କରାଯାଉ ନାହିଁ।

ନିର୍ବାଚନ ପୂର୍ବରୁ କିନ୍ତୁ ହରଡ଼ ଯୋର ଉପରେ ନୂଆ ପୋଲ ତିଆରି ହୋଇ ସାରିଛି ଓ ପୋଲ ଉପରେ ଏବେ ହାଟ ବସୁଛି। ପୋଲ ସିଧାରେ ଯେଉଁ ଦୋହରା ରାସ୍ତା ତିଆରି ହେବା କଥା ସେହି ଜମି ଗୁଡ଼ିକରେ ନୂଆନୂଆ କୋଠା ତିଆରି ହେବାରେ ଲାଗିଛି। ଅର୍ଥାତ୍ ଯଦି ଭବିଷ୍ୟ‌ତରେ କେବେ ଉକ୍ତ ରାସ୍ତା ପାଇଁ ଜମି ଅଧିଗ୍ରହଣ ହୁଏ ତାହେଲେ ସରକାରଙ୍କୁ ନବନିର୍ମିତ ଘର ଗୁଡ଼ିକର କ୍ଷତିପୂରଣ ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ। ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe