ପୋଲ ଉପରେ ୪ ଫୁଟର ବନ୍ୟାଜଳ; ବୀରମହାରାଜପୁର-ଯୁଯୁମୁରା ଯୋଗାଯୋଗ ବିଚ୍ଛିନ୍ନ

ପୋଲ ଉପରେ ୪ ଫୁଟର ବନ୍ୟାଜଳ; ବୀରମହାରାଜପୁର-ଯୁଯୁମୁରା ଯୋଗାଯୋଗ ବିଚ୍ଛିନ୍ନ

ବୀରମହାରାଜପୁର: ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ପୋଲ ଉପରେ ପ୍ରାୟ ୪ ଫୁଟ ଉଚ୍ଚର ପାଣି ଚାଲିବା ଫଳରେ ବୀରମହାରାଜପୁର ଓ ଅମରପାଲି ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ରହିଛି। ଗୁରୁବାର ରାତିରେ ହୋଇଥିବା ବର୍ଷା ଯୋଗୁଁ ଶୁକ୍ରବାର ବନ୍ୟା ଆସିଥିଲା। ଫଳରେ ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ପୋଲଟି କମ ଉଚ୍ଚତାର ହୋଇଥିବାରୁ ତା’ ଉପରେ ପାଣି ପ୍ରବାହିତ ହେଉଥିଲା। ଯଦ୍ବାରା ବୀରମହାରାଜପୁରର ବହଳପଦର, ଦୁର୍ଜନତୈଲା ଓ ଲୁତୁରପଙ୍କ ପଞ୍ଚାୟତ ଅନ୍ତର୍ଗତ ୫୦ରୁ ଅଧିକ ଗ୍ରାମ ସମେତ ଖଣ୍ଡହତା ପଞ୍ଚାୟତର କେତେକ ଓ ରେଢ଼ାଖୋଲ ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

publive-image

ବୀରମହାରାଜପୁରରୁ ଯୁଯୁମୁରା ଦେଇ ସମ୍ବଲପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସାଧାରଣ ଲୋକେ, ବ୍ୟବସାୟୀମାନେ ବୀରମହାରାଜପୁରକୁ ଯିବାଆସିବା କରିପାରି ନ ଥିବା ବେଳେ ସକାଳୁ ମୁର୍ଷୁଣ୍ଢିରୁ ଯୁଯୁମୁରା ଦେଇ ସମ୍ବଲପୁର ଯାଉଥିବା ବସ ବି ବନ୍ଦ ରହିଥିଲା। ଆମ୍ବୁଲାନ୍ସ ବି ଉକ୍ତ ପୋଲ ଦେଇ ଯାଇପାରି ନାହିଁ। ପ୍ରାୟ ୩ ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ଉଚ୍ଚ ପୋଲ ପାଇଁ ଅର୍ଥ ମଞ୍ଜୁର ସହ ଟେଣ୍ଡର ହୋଇଥିଲା। ଠିକା ସଂସ୍ଥା କାମ ବି ଆରମ୍ଭ କରିଥିଲା। କିନ୍ତୁ ଜମି ବିବାଦ ଯୋଗୁଁ ସଂସ୍ଥା ଅଧାରେ କାମ ବନ୍ଦ କରି ଦେଇଛି। ପୂର୍ତ୍ତ ବିଭାଗ ବି ଏଥି ପ୍ରତି କୌଣସି ଗୁରୁତ୍ବ ଦେଉନାହିଁ। ଯଦ୍ବାରା ସାମାନ୍ୟ ବର୍ଷାରେ ବି ଉକ୍ତ କମ୍‌ ଉଚ୍ଚତାର ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe