BAIF Odisha
ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଓରିଆବିରିଦା ପଞ୍ଚାୟତ ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ୪ଟି ଛେଳିଙ୍କ ମୃତ୍ୟୁ ଘଟିଛି। ଆଉ କିଛି ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତ ଛେଳି ଗ୍ରାମର ହରିହର ସେଠୀଙ୍କ ବୋଲି ଜଣାପଡିଛି। ଛେଳି ପଲ ଗାଁ ନିକଟ ହାଟ ପଡ଼ିଆସ୍ଥିତ ଜମି ଅଞ୍ଚଳକୁ ଚରିବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ଶିକାର ଉଦ୍ଦେଶ୍ୟରେ କେତେକ ସ୍ଥାନରେ ବିଷାକ୍ତ ଖାଦ୍ୟ ରଖିଥିଲା। ଏହି ବିଷାକ୍ତ ଖାଦ୍ୟକୁ ଛେଳି ପଲ ଖାଇ ଦେବାରୁ ଘଟଣା ସ୍ଥଳରେ ୪ଟି ଛେଳିର ମୃତ୍ୟୁ ଘଟିଥିଲା। ଆହୁରି ଅନେକ ଛେଳି ଗୁରୁତର ରହିଛନ୍ତି। ଖବର ପାଇ ତେଲକୋଇ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଛେଳି ଗୁଡ଼ିକୁ ଚିକିତ୍ସା କରିଛନ୍ତି।
ଶିକାରୀଙ୍କ ଏଭଳି ବେଆଇନ କାର୍ଯ୍ୟ ପାଇଁ ଗୃହ ପାଳିତ ପଶୁ ବିପଦରେ ପଡ଼ୁଥିବା ଅଭିଯୋଗ ହୋଇଛି। ନିକଟ ଅତୀତରେ କରମଙ୍ଗି ପଞ୍ଚାୟତ କୃଷ୍ଣପୁର ଗ୍ରାମ କାଉଁଶିନାଳୀ ସାହିରେ ବିଷାକ୍ତ ମହୁଲ ପୋଚ ଖାଇ ୬ଟି ଗୋରୁ ଓ ଗୋଟିଏ ଛେଳିର ମୃତ୍ୟୁ ହୋଇଥିଲା। ଏଭଳି ସମାନ ଘଟଣା ପୁଣି ଧନୁର୍ଜୟପୁର ଗ୍ରାମରେ ପୁନରାବୃତ୍ତି ହୋଇଛି। ସାଧାରଣତଃ ବନ୍ୟପ୍ରାଣୀ ଓ ପକ୍ଷୀ ଶିକାର ପାଇଁ ଦୁର୍ବୁତ୍ତମାନେ ଏଭଳି ପଦ୍ଧତି ଆପଣାଉଥିବା ଆଲୋଚନା ହେଉଛି। ପୁଲିସ ଓ ବନ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
Follow Us