ଜଳିଗଲେ ପରିବାରର ୪

Advertisment

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଜଳିଗଲେ ପରିବାରର ୪

ବଲାଙ୍ଗୀର/ତରଭା : ରାତିରେ ସ୍ୱାମୀ ମଦ ପିଇ ଘରକୁ ଆସିଥିଲେ। ସ୍ତ୍ରୀ ପ୍ରତିବାଦ କରିବାରୁ ପାଟିତୁଣ୍ଡ ହୋଇଥିଲା। ଏହି ଝଗଡ଼ାର ପ୍ରତିଫଳନ ସକାଳୁ ଦେଖିବାକୁ ମିଳିଲା। ସ୍ତ୍ରୀ ନିଜ ଦେହରେ କିରୋସିନ ଢାଳି ହୋଇ ନିଆଁ ଲଗାଇ ଦେଲେ। ତାଙ୍କ ସହ ଛୋଟ ଛୋଟ ଦୁଇ ପୁଅଝିଅ ବି ମାଆଙ୍କ ସହ ଜଳୁଥିବା ଦେଖି ସ୍ୱାମୀ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ମାତ୍ର ନିଜେ ବି ନିଆଁରେ ପୋଡ଼ି ହୋଇ ଯାଇଥିଲେ। ପରିବାରର ଏହି ଚାରିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗୀର ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୋନପୁର ଜିଲ୍ଲା ତରଭା ନୂଆଁପଡ଼ାରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଆହତମାନେ ହେଲେ ସ୍ୱାମୀ ଟିକୁ ସେଲମା(୨୭), ତାଙ୍କ ସ୍ତ୍ରୀ କୌଶଲ୍ୟା ସେଲମା(୨୪), ପୁଅ ଆୟାନ(୫), ଝିଅ ୟସିରନ(ବିନି)(୭)। ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଯେ, ବୁଧବାର ସକାଳ ୮ଟା ସମୟରେ ଟିକୁ ସେଲମାଙ୍କ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ତାଙ୍କ ସଂପର୍କୀୟ ଓ ପଡ଼ୋଶୀ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘର ଭିତରୁ ବଡ଼ପାଟିରେ ଶବ୍ଦ ଶୁଭୁଥିବାରୁ ପରିବାର ସଦସ୍ୟ ନିଆଁରେ ପୋଡ଼ି ହୋଇଯାଉଥିବା ଲୋକେ ସନ୍ଦେହ କରିଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାନ୍ଥପଟ ଦେଇ ଘର ଭିତରକୁ ପଶିଥିଲେ ଓ ପରିବାରର ଚାରି ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

ଏହାପରେ, ବଲାଙ୍ଗୀର ମେଡିକାଲ କଲେଜ ହସପିଟାଲ ସର୍ଜରି ବିଭାଗରେ ସମସ୍ତଙ୍କ ଚିକିତ୍ସା କରାଯାଇଥିଲା। ପରେ ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କୌଶଲ୍ୟାଙ୍କ ଶରୀର ୯୦ ପ୍ରତିଶତ ଜଳି ଯାଇଥିବା ଡାକ୍ତର କହିଛନ୍ତି। ସେହିପରି ଦୁଇ ଛୁଆଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଟିକୁଙ୍କ ମୁହଁ ହାତ, ଛାତି ଆଦି ଜଳିଯାଇଛି। ସମସ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତର କହିଛନ୍ତି। ଖବର ପାଇ ତରଭା ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଯାଇ ମଧ୍ୟ ତଦନ୍ତ ଆରମ୍ଭ କରିଛି। ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାରୁ କୌଶଲ୍ୟା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନା ଆଉ କିଛି ଘଟଣା ପଛରେ କାରଣ ରହିଛି ତାହାର ଅନୁସନ୍ଧାନ ପୁଲିସ ଆରମ୍ଭ କରିଛି।
ଟିକୁ କଥା କହି ପାରୁଥିବା ବେଳେ ଘଟଣା ନେଇ କିଛି ସୂଚନା ଦେଇଥିଲେ। ଟିକୁଙ୍କ କହିବାନୁସାରେ, ତାଙ୍କ ସ୍ତ୍ରୀ ନିଜ ଦେହରେ କିରୋସିନ ଢାଳି ହୋଇ ଦିଆସିଲି ମାରି ହୋଇଥିଲେ। ପାଖରେ ଛୋଟଛୋଟ ଛୁଆ ଥିଲେ। ମା’ ଜଳିବା ବେଳେ ଛୁଆମାନେ ପାଖକୁ ଦୌଡ଼ି ଯାଇଥିଲେ। ସ୍ତ୍ରୀ ଓ ଛୁଆଙ୍କ ଦେହରେ ନିଆଁ ଲାଗିବା ଦେଖି ସେ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କବାଟ ଭିତର ପଟୁ ବନ୍ଦ ଥିବାରୁ କେହି ବାହାରକୁ ବାହାରି ପାରି ନଥିଲେ। ଘର ଭିତରେ ଯାହା ପାଣି ଥିଲା ସେତକ ହିଁ ଢାଳିଥିଲେ ଓ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe