ସୁନାବେଡ଼ାରେ ଏନ୍‌କାଉଣ୍ଟର, ୪ ମାଓବାଦୀ ମୃତ

Advertisment
ସୁନାବେଡ଼ାରେ ଏନ୍‌କାଉଣ୍ଟର, ୪ ମାଓବାଦୀ ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଗତ ତିନି ଦିନ ଧରି ଚାଲିଥିବା ଏନକାଉଣ୍ଟରରେ ୪ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିୟମ ହୋଇଥିଲା। ମୃତକଙ୍କ ଶବକୁ ମାଓବାଦୀମାନେ ନେଇ ଯାଇଛନ୍ତି। ସେଠାରେ ଏକ ବଡ଼ଧରଣର ମାଓ କ୍ୟାମ୍ପ୍‌ ମଧ୍ୟ ଠାବ ହୋଇଛି।

ଗୁରୁବାର ଦିନ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର। ସେ କହିଛନ୍ତି ଯେ ଗତ ୭ ତାରିଖରେ ମାଓ ଦମନ ପାଇଁ ଏସ୍‌ଓଜି, ଡିଭିଏଫ, ସିଆର୍‌ପିଏଫ ଯବାନଙ୍କ ଦ୍ବାରା କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା। ୯ ତାରିଖ ଦିନ ସୁନାବେଡ଼ା ସୀମାନ୍ତ ଅଞ୍ଚଳରେ ଯବାନଙ୍କ ଉପରକୁ ୫୦ ରୁ ୬୦ ଜଣ ମାଓବାଦୀ ଗୁଳି ଚଳାନା କରିଥିଲେ। ଯବାନମାନେ ବି ପାଲଟା ଗୁଳିଚାଳନା କରିଥିଲେ। ମାଓବାଦୀ ରହିଥିବା ସ୍ଥାନର ଚାରିପଟେ ଲ୍ୟାଣ୍ଡମାଇନ୍‌ ଓ ସିରିଞ୍ଜ୍‌ ମଧ୍ୟରେ ବିଷ ରଖି ମାଟିତଳେ ବିଛାଇଥିଲେ। ଫଳରେ ଯବାନମାନେ କ୍ୟାମ୍ପ ନିକଟକୁ ଯାଇ ପାରି ନଥିଲେ। ଉଭୟ ପକ୍ଷରୁ ପ୍ରାୟ ୩ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। କିଛି ସମୟ ପରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରାଇଥିଲେ। ସୂଚନାନୁଯାୟୀ ୩ ରୁ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ମାଓବାଦୀ ଆହତ ହୋଇଛନ୍ତି। ଉଚ୍ଚ ସ୍ଥାନରେ ଥିବାରୁ ସେମାନଙ୍କ ଶବକୁ ଜବତ କରିବା ସମ୍ଭବ ହୋଇନଥିଲା। ଫଳରେ ଯବାନଙ୍କ ଉପରୁ ଗୁଳିଚାଳନା କରି ମାଓବାଦୀ ମାନେ ଶବକୁ ନେଇ ଜଙ୍ଗଲ ମଧ୍ୟକୁ ପଳାଇଥିଲେ।

ଆସନ୍ତା ପଞ୍ଚାୟତ ନିର୍ବାଚନ ବେଳେ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ଲାଗି ସେମାନେ ଏକାଠି ହୋଇ ଷଡ଼ଯନ୍ତ୍ର ଚଳାଇଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe