ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତ ସରକାର ପଦ୍ମ ପୁରସ୍କାର-୨୦୨୬ ଘୋଷଣା କରିଛନ୍ତି। ୧୩୧ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ଏହି ଘୋଷଣା କରାଯାଇଛି। ରାଷ୍ଟ୍ରପତି ନିଜେ ଏହି ସମସ୍ତ ବ୍ୟକ୍ତିବିଶେଷଙ୍କୁ ରାଷ୍ଟ୍ରପତି ଭବନରେ ପୁରସ୍କାର ପ୍ରଦାନ କରିବେ। ଏହି ସମ୍ମାନ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଦିଆଯିବ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ସେମାନେ ହେଲେ ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ମହେନ୍ଦ୍ର କୁମାର ମିଶ୍ର। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଚରଣ ହେମ୍ବ୍ରମଙ୍କୁ ମିଳିବ ପଦ୍ମଶ୍ରୀ। ଭାରତ ସରକାର ଏଥର ୫ଜଣଙ୍କୁ ପଦ୍ମବିଭୂଷଣ, ୧୩ଜଣଙ୍କୁ ପଦ୍ମଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ନାମ ଘୋଷଣା କରିଛନ୍ତି।

Advertisment

ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ

ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ମରଣୋତ୍ତର ପଦ୍ମ ବିଭୂଷଣ ପାଇଛନ୍ତି।ସେହିପରି ଝାଡ଼ଖଣ୍ଡ ରାଜ୍ୟ ଗଠନ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେତା ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ଭୂଷଣ ମିଳିଛି। ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ବି ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା। ଅନ୍ୟପଟେ କେରଳରୁ ଆଠ ଜଣ, ତାମିଲନାଡୁରୁ ୧୩ ଜଣ, ପଶ୍ଚିମବଙ୍ଗଳାରୁ ୧୧ ଜଣ ଏବଂ ଆସାମରୁ ୫ ଜଣ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହା ବ୍ୟତୀତ, ଉତ୍ତର ପ୍ରଦେଶରୁ ୧୧ ଜଣ ଏବଂ ମହାରାଷ୍ଟ୍ରରୁ ୧୬ ଜଣ ପଦ୍ମ ପୁରସ୍କାର ପାଇଛନ୍ତି।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ୍ ହଳଦା ଗ୍ରାମପଂଚାୟତ ନୂଆଗାଁ ଗ୍ରାମର ଚରଣ ହେମ୍ବ୍ରମ ହେଉଛନ୍ତି ଜଣେ ବିଶିଷ୍ଟ ସାନ୍ତାଳୀ ଲେଖକ ଏବଂ ସଙ୍ଗୀତ ରଚନାକାର, ଯିଏ ନିଜ ଜୀବନକୁ ସାନ୍ତାଳୀ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମର୍ପିତ କରିଛନ୍ତି। ସାନ୍ତାଳୀ ଭାଷାକୁ ଏକ ସ୍ୱତନ୍ତ୍ର ପରିଚୟ ଏବଂ ମାନ୍ୟତା ଦେବା ପାଇଁ ତାଙ୍କର ଅବଦାନ ଅତୁଳନୀୟ।

ଆହୁରି ପଢ଼ନ୍ତୁ: President Medals: ୯୨୮ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ

ପ୍ରମୁଖ ଅବଦାନ ଏବଂ କାର୍ଯ୍ୟ

ଶିକ୍ଷା ଓ ଅନୁଷ୍ଠାନ ପ୍ରତିଷ୍ଠା: ବିଗତ ତିନି ଦଶନ୍ଧି ଧରି ସେ ଆଦିବାସୀ ସଂସ୍କୃତି ଏବଂ ଶିକ୍ଷାର ବିକାଶ ପାଇଁ ଅନେକ ଅନୁଷ୍ଠାନ ଗଠନ କରିଛନ୍ତି। ଏହି ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ଆଦିବାସୀ ପିଲାମାନେ ନିଜର ପରମ୍ପରା ଏବଂ କଳା ବିଷୟରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଉଛନ୍ତି। 

କଳାର ସଂରକ୍ଷଣ: ସାନ୍ତାଳୀ ନୃତ୍ୟ ଓ ଗୀତକୁ ଜୀବନ୍ତ ରଖିବା ପାଇଁ ସେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ବିଶେଷ କରି ମହିଳାମାନଙ୍କ ମଧ୍ୟରେ ସ୍ଥାନୀୟ ନୃତ୍ୟ ପରମ୍ପରାକୁ ଲୋକପ୍ରିୟ କରିବା ପାଇଁ ସେ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି।

ସାହିତ୍ୟ ଓ ସଙ୍ଗୀତ: ଜଣେ ରଚନାକାର ଭାବରେ ସେ ସାନ୍ତାଳୀ ସମାଜର ଜୀବନଶୈଳୀ, ସଂଘର୍ଷ ଏବଂ ସୌନ୍ଦର୍ଯ୍ୟକୁ ନିଜର ଲେଖନୀ ମାଧ୍ୟମରେ ଉପସ୍ଥାପନ କରିଛନ୍ତି। ତାଙ୍କର ଏହି ନିରବଚ୍ଛିନ୍ନ ପ୍ରଚେଷ୍ଟା ଯୋଗୁଁ ଆଜି ସାନ୍ତାଳୀ କଳା ଓ ସଂସ୍କୃତି ଜାତୀୟ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି।