ବଜ୍ରାଘାତ: ଚାଷୀ ଦଂପତି ଓ ନାବାଳକ ସମେତ ୫ ଜଣଙ୍କର ମୃତ୍ୟୁ, ୩ ଆହତ

ବଜ୍ରାଘାତ: ଚାଷୀ ଦଂପତି ଓ ନାବାଳକ ସମେତ ୫ ଜଣଙ୍କର ମୃତ୍ୟୁ, ୩ ଆହତ

ବେତନଟୀସଦର/ଭଦ୍ରକ/କେନ୍ଦୁଝର/ଭୁବ‌ନ: ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଆଜି ଅପରାହ୍ଣରେ ବଜ୍ରାଘାତ ହୋଇଛି। ବଜ୍ରାଘାତରେ ଚାଷୀ ଦଂପତି ଓ ନାବାଳକ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ତିନି ଜଣ ଆହତ ଥିବା ଜଣାପଡ଼ିଛି। ମୃତକମାନେ ହେଲେ ଲଛମନ ମୁର୍ମୁ (୪୫), ତାଙ୍କ ପତ୍ନୀ ଶାକର ମୁର୍ମୁ(୩୫), ହରିହର ବେହେରା (୬୧), ଜଣେ ଯୁବକ ଓ ଅନ୍ୟ ଜଣେ ନାବାଳକ।

ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ମେର୍ଦ୍ଦା ପଞ୍ଚାୟତର ସିଙ୍ଗାରପୁର ଗ୍ରାମର ଲଛମନ ଓ ତାଙ୍କ ସ୍ତ୍ରୀ ଶାକର ନିଜର ବିଲରେ ତଳି ରୋଉଥିବା ବେଳେ ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଘନଘନ ବିଜୁଳି ମାରିବାରୁ ସମସ୍ତେ ତରତର ହୋଇ ଘରକୁ ଫେରୁଥିଲେ। ତେବେ ଦମ୍ପତି ଦ୍ବୟ ବିଲରେ କାମ ଜାରି ରଖିଥିଲେ। ଫଳରେ ଏକ ଭୟଙ୍କର ବଜ୍ରାଘାତରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାଳୁ ନେଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଡାକ୍ତରଖାନା କର୍ତୃପକ୍ଷଙ୍କ ସୂଚନାକ୍ରମେ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଓଡ଼ିଶ ଗ୍ରାମର କପିଳ ବେହେରାଙ୍କ ପୁଅ ହରିହର ବେହେରା ବିଲକୁ ଚାଷ କାମ କରିବାକୁ ଯାଇଥିଲେ। ବଜ୍ରପାତ ଫଳରେ ସେ ବିଲରେ ଟଳି ପଡ଼ିଥିଲେ। ତାଙ୍କୁ ସମାଜସେବୀ ରୁପୁନ ଷଣ୍ଢ ଡାକ୍ତରଖାନାକୁ ଆଣିଥିଲେ । ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ସାଂସଦ ରୁଦ୍ର ନାରାୟଣ ପାଣି ଡାକ୍ତରଖାନାରେ ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି। ଚାଷୀ ଜଣକ ନିଜ ଅଣ୍ଟାରେ ମୋବାଇଲ ଖୋସିଥିଲେ। ମୋବାଇଲଟି ଖଣ୍ଡ ବିଖଣ୍ଡିଟ ହୋଇଯାଇଛି।

ଭଦ୍ରକ ଜିଲ୍ଲା ଆଗରଗଡ଼ା ଥାନା ସାହୁପଡ଼ାରେ ମଧ୍ୟ ଆଜି ଅପରାହ୍ଣରେ ବଜ୍ରପାତ ହୋଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେହିପରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧରୁଡ଼ିଆମ୍ବରେ ବଜ୍ରପାତରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ତେଲକୋଇ ବ୍ଲକ କାଳିଆହାତୀ ଗାଁରେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe