ଏସ୍‌ସିବିକୁ ଆସିଲା ୪ ଅତ୍ୟାଧୁନିକ ସ୍ଲେଡ୍‌ ମେସିନ୍‌

Advertisment
ଏସ୍‌ସିବିରେ କେମିତି ହେବ ହୃତ୍‌ପିଣ୍ଡ ପ୍ରତିରୋପଣ?

Worldorgs.com

କଟକ : ଏସ୍‌ସିବି ନେଫ୍ରୋଲୋଜି ବିଭାଗର ନବକଳେବର ପା‌ଇଁ ଆସିଛି କୋଟିଏ ଟଙ୍କାର ଯନ୍ତ୍ରାଂଶ। ଆସିଛି, ୪ଟି ସ୍ଲୋ ଏଣ୍ଡ ଲୋ ଏଫିସିଏନ୍‌ସି ଡାଏଲିସିସ୍‌ (ସ୍ଲେଡ୍‌) ମେସିନ୍‌। ସରକାରୀ ବ୍ୟବସ୍ଥାରେ ଏହା ପ୍ରଥମ ବୋଲି କୁହାଯାଉଛି। ଘରୋଇ ହସ୍ପିଟାଲ୍‌ରେ ଏଭଳି ଡାଏଲିସିସ୍ ପାଇଁ ପାଖାପାଖି ୧ଲକ୍ଷ ଟଙ୍କା ଖର୍ଚ୍ଚ ଆସୁଛି। ତାହା ମଧ୍ୟ ସବୁ ସ୍ଥାନରେ ନାହିଁ। ଏବେ କିନ୍ତୁ ଏହି ମେସିନ୍‌ ଦ୍ବାରା ଏସ୍‌ସିବିରେ ଗତ ୧ତାରିଖରୁ ଚିକିତ୍ସା ଆରମ୍ଭ କରାଯାଇଛି। ସର୍ପାଘାତରେ ବିଷକ୍ରିୟା ଯୋଗୁଁ କଡ୍‌ନି ସମସ୍ୟା ଦେଖା ଦେଇଥିବା ଜଣେ ରୋଗୀଙ୍କୁ ଏହି ସ୍ଲେଡ୍‌ ମେସିନ୍‌ରେ ଚିକିତ୍ସା କରାଯାଉଛି।

ପହିଲାରୁ ନେଫ୍ରୋଲୋଜି ବିଭାଗରେ ଆରମ୍ଭ ହୋଇଛି ଚିକିତ୍ସା
ସରକାରୀ ବ୍ୟବସ୍ଥାରେ ପ୍ରଥମ, ମିଳିବ ବ୍ୟୟବହୁଳ ଚିକିତ୍ସା

ସୂଚନା ମୁତାବକ, ସବୁ ରୋଗୀଙ୍କୁ ସାଧାରଣ ଡାଏଲିସିସ୍‌ କରାଯାଇ ପାରିବ ନାହିଁ। ରକ୍ତଚାପ କମ୍‌ ରହୁଥିବା, ହୃଦ୍‌ଘାତ ରୋଗୀ, ଛୋଟ ପିଲା, ଗର୍ଭବତୀ ମହିଳା, ସାପ କାମୁଡା, ବିଷକ୍ରିୟା ଯୋଗୁଁ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ସାଧାରଣ ଡାଏଲିସିସ୍‌ କରାଗଲେ ତାର କୁପ୍ରଭାବ ପଡ଼ିଥାଏ। ଫଳରେ, ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଏସ୍‌ସିବିରେ ସେମାନଙ୍କର ଡାଏଲିସିସ୍‌ ହୋଇପାରୁ ନଥିଲା। ବାଧ୍ୟହୋଇ ସେମାନଙ୍କୁ ଘରୋଇ ହସ୍ପିଟାଲ୍‌ ଉପରେ ନିର୍ଭର କରିବାକୁ ପଡୁଥିଲା। ତେବେ ଘରୋଇ ହସ୍ପିଟାଲ୍‌ରେ ମଧ୍ୟ ସବୁ ସ୍ଥାନରେ ଏହି ମେସିନ୍‌ ନଥିବାରୁ ତଥା ଯେଉଁଠି ଅଛି, ତାହା ବ୍ୟୟବହୁଳ ଥିବାରୁ ରୋଗୀମାନଙ୍କୁ ହଇରାଣ ହେବାକୁ ପଡ଼ୁଥିଲା। ଏହା ଅତିରିକ୍ତ, ଅତିକମ୍‌ରେ ଜଣେ ରୋଗୀଙ୍କୁ ୧୦ଥର ସ୍ଲେଡ୍‌ ମେସିନ୍‌ରେ ଡାଏଲିସିସ୍‌ କରିବାକୁ ପଡ଼ୁଥିବାରୁ ଏହାର ଖର୍ଚ୍ଚ ୧ଲକ୍ଷରୁ ଅଧିକ ପଡ଼ୁଥିଲା ବୋଲି କୁହାଯାଉଛି। ରାଜ୍ୟ ଔଷଧ ନିଗମ ପକ୍ଷରୁ କୋଟିଏ ଟଙ୍କା ବ୍ୟୟରେ ଏବେ ୪ଟି ସ୍ଲେଡ୍‌ ମେସିନ୍‌ ଏସ୍‌ସିବିକୁ ଆସିଛି। ଫଳରେ, ଚଳିତମାସ ପ୍ରଥମରୁ ହିଁ ଏହି ମେସିନ୍‌ ବ୍ୟବହାର କରାଯାଇ ଚିକିତ୍ସା କରାଯାଉଛି। ସର୍ପାଘାତ ପରେ କିଡ୍‌ନି ସମସ୍ୟା ଉପୁଜିଥିବା ଜଣେ ରୋଗୀଙ୍କର ଗତ ପହିଲାରୁ ୩ଥର ସ୍ଲେଡ୍‌ ମେସିନ୍‌ରେ ଡାଏଲିସିସ୍‌ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe