ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ସୁପାରି କିଲର୍‌ ଶିବ ସହ ଗିରଫ ହେଲେ ୪ ଅଭିଯୁକ୍ତ

Advertisment
ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ସୁପାରି କିଲର୍‌ ଶିବ ସହ ଗିରଫ ହେଲେ ୪ ଅଭିଯୁକ୍ତ

ରେଳବାଇ ଯନ୍ତ୍ରୀ ସନ୍ତୋଷ ଦେଇଥିଲେ ସୁପାରି
ରିଏଲ ଇଷ୍ଟେଟ୍‌ ପାର୍ଟନର୍‌ସିପ୍‌ରୁ ଆରମ୍ଭ ହୋଇଥିଲା ଶତ୍ରୁତା

ସମ୍ବଲପୁର : ଗତ ରବିବାର ଶିବ ବାଗ ଓ ତା’ର ସାଥୀ ଜଣେ ମହିଳାଙ୍କୁ ଭୁଜାଲି ମାଡ଼ କରି ହତ୍ୟା ଉଦ୍ୟମ କରିଥିଲେ। ୨୧ ତାରିଖ ଦିନ ରିଙ୍କି ଝା(୨୫) ଏ ନେଇ ଅଇଁଠାପାଲି ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଘଟଣାରେ ଏକ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ ସମ୍ପୃକ୍ତ ଥିବା ଏବଂ ସୁପାରି ନେଇ ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଥିଲା। ଜମି ବେପାରକୁ କେନ୍ଦ୍ର କରି ହୋଇଥିବା ଶତ୍ରୁତାରୁ ଏହି ଘଟଣା ଘଟିଥିଲା। ସୁପାରି ଦେଇଥିବା ରେଳବାଇ ଯନ୍ତ୍ରୀ ସନ୍ତୋଷ କୁମାର ପ୍ରଜାପତି, ଗ୍ୟାଙ୍ଗ୍‌ ଲିଡର୍‌ ଶିବ ବାଗ ସହିତ ସର୍ବମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏସ୍‌ପି ବି. ଗଙ୍ଗାଧର ଗୁରୁବାର ସନ୍ଧ୍ୟାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଗ୍ୟାଙ୍ଗର ଆଉ ୩/୪ ଜଣ ଅଭିଯୁକ୍ତ ଏବେ ଫେରାର ରହିଛନ୍ତି।

ଗୁରୁବାର ସନ୍ଧ୍ୟାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ବି. ଗଙ୍ଗାଧର କହିଲେ, ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା ପଛରେ ରିଏଲ୍‌ ଇଷ୍ଟେଟ୍‌ ବେପାର ରହିଛି। ରେଳବାଇ ଯନ୍ତ୍ରୀ ସନ୍ତୋଷ କୁମାର ପ୍ରଜାପତି(୫୦) ଓ ଡବ୍ଲୁ ଝା ମିଶି ଜମି ବେପାର କରୁଥିଲେ। ସେମାନେ କାଇଁଶିର ରୋଡ୍‌ରେ ଥିବା ‘ମମତା ଭବନ’ରେ ଏକ କାର୍ଯ୍ୟାଳୟ ଖୋଲିଥିଲେ। ସେୟାର ଭାଗବଣ୍ଟାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ହଠାତ୍‌ ଉଭୟେ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ, ପ୍ରତିଶୋଧ ପରାୟଣ ହୋଇ ଡବ୍‌ଲୁ ଝା ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବାକୁ ସନ୍ତୋଷ ଯୋଜନା କରିଥିଲେ। ଅପରାଧର ଲମ୍ବା ତାଲିକା ଥିବା ଶିବ ଗ୍ୟାଙ୍ଗକୁ ସେ ସୁପାରି ଦେଇଥିଲେ। କୁନୁ ହରିପାଲ୍‌ ଓରଫ୍‌ ଅମିତାଭ୍‌ ସହାୟତାରେ ଶିବ ଗ୍ୟାଙ୍ଗ୍ ପାଖରେ ପହଞ୍ଚି ଥିଲେ ସନ୍ତୋଷ। ଶିବ ଗ୍ୟାଙ୍ଗ୍‌କୁ ସନ୍ତୋଷ ୧୦ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ। ହତ୍ୟା ପରେ ବାକି ଟଙ୍କା ଦେବା ପାଇଁ କଥା ହୋଇଥିଲା। ଡବ୍ଲୁ ଝା’ଙ୍କ ପରିବାର ଉପରେ ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଗୋପାଳମାଲର ଶିବଶଙ୍କର ବାଗ ଓରଫ ଶିବ(୩୪), ଧନୁପାଲି ଏଲ୍‌ଆଇସି କଲୋନିର ଅଙ୍କିତ ସିଂହ(୨୬), ପୁଟିବନ୍ଧ କୁମ୍ଭାରପଡ଼ାର ମନରଞ୍ଜନ ମହାକୁଡ଼ ଓରଫ ମନ ଓ ଷ୍ଟେସନ୍‌ପଡ଼ାର କୁନୁ ହରିପାଲ(୫୦) ସମେତ ସୁପାରି ଦେଇଥିବା ଫାଟକ ମାଲିପଡ଼ାର(ଉତ୍ତର ପ୍ରଦେଶର ମୂଳନିବାସୀ) ସନ୍ତୋଷ କୁମାର ପ୍ରଜାପତି(୫୦)କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ପାଖରୁ ପୁଲିସ ଏକ ଭୁଜାଲି, ନଗଦ ୮ ହଜାର ୪ ଶହ ଟଙ୍କା ଓ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରିଛି।

publive-image

ଶିବ ନାମରେ ରହିଛି ୩୦ ମାମଲା
ବର୍ତ୍ତମାନ ସୁଦ୍ଧା ଶିବଶଙ୍କର ବାଗ ଓରଫ ଶିବ ନାଁରେ ୩୦ରୁ ଅଧିକ ମାମଲା ରହିଛି। ସହରର ଅଧିକାଂଶ ଅପରାଧରେ ତାର ହାତ ରହୁଛି। ଦାଦାବଟି ଠାରୁ ଆରମ୍ଭ କରି ଲୋକଙ୍କ ହତ୍ୟା କରିବାରେ ସୁପାରି ନେଉଛି। ପ୍ରତିବର୍ଷ ଅନେକ ମାମଲାରେ ସମ୍ପୃକ୍ତ ରହୁଥିବା ବେଳେ ସହରବାସୀଙ୍କ ମନରେ ତା’ ପ୍ରତି ଦିନକୁ ଦିନ ଭୟ ଓ ବିପଦ ବଢ଼ିବାରେ ଲାଗିଛି। ଏତେ ସବୁ ପରେ ମଧ୍ୟ ତା ବିରୋଧରେ କାହିଁକି ଏନ୍‌ଏସ୍‌ଏ ଲଗାଯାଉନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ମହିଳାଙ୍କ ମରଣାନ୍ତକ ଆକ୍ରମଣ ଘଟଣା ଦିନ ହିଁ ଶିବ କ୍ଷେତରାଜପୁର ଥାନା ଅଧୀନ କ୍ଷେତରାଜପୁର ରେଲୱେ କ୍ରସିଂ ନିକଟରେ ଜଣେ ବ୍ୟକ୍ତିକୁ ବେଲ୍‌ଟ ଖୋଲି ବିଚ୍‌ ରାସ୍ତାରେ ବାଡ଼େଇଥିଲା। ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ ତା’ ଭୟରେ କେହି ତାକୁ ବିରୋଧ କରିବାକୁ ସାହସ କରିପାରି ନଥିଲେ। ଲୋକଙ୍କୁ ଭୟଭୀତ କରିବା, ଦାଦାବଟି ଆଦାୟ କରିବା ସହ ହତ୍ୟା ପାଇଁ ସୁପାରି ନେଉଥିବାରୁ ଲୋକେ ତା’ ବିରୋଧରେ ଅଭିଯୋଗ କରିବା ପାଇଁ ମଧ୍ୟ ଡରୁଛନ୍ତି। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ସେ ଏଭଳି କାଣ୍ଡ ଭିଆଉଛି। ସମ୍ବଲପୁରବାସୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଏଭଳି ବ୍ୟକ୍ତିଙ୍କ ମୁଖା ଖୋଲିବାକୁ ସଚେତନ ନାଗରିକ ମହଲରେ ଦାବି ହେଉଛି।

ଭୟ ନକରି ଅଭିଯୋଗ କରିବାକୁ ଏସ୍‌ପିଙ୍କ ନିବେଦନ
ଅପରାଧ ବିରୋଧରେ ସମ୍ବଲପୁର ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲୋକଙ୍କୁ ପୂରା ସୁରକ୍ଷା ପ୍ରଦାନ କରିବ। ଏ ନେଇ ସମ୍ବଲପୁର ଏସ୍‌ପି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଲୋକମାନେ ଅପରାଧରଙ୍କୁ ନଡରି ପୁଲିସକୁ ସହାୟତା କରିବାକୁ ସେ ନିବେଦନ କରିଛନ୍ତି। ଯେକୌଣସି ଅପରାଧିକ ଗତିବିଧି ନଜରକୁ ଆସିଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ ସେ କହିଛନ୍ତି। ଏହାଦ୍ବାରା ଜିଲ୍ଲାରେ ଅପରାଧକୁ ଦମନ କରାଯାଇପାରିବ। ତେଣୁ’ ଲୋକମାନେ ଥାନାକୁ ଆସିବା ପାଇଁ ଭୟ ନକରିବାକୁ ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe