ଏଯାଏଁ ଗଡ଼ିଲାନି ୪ ଟ୍ରେନ୍‌; କୋଭିଡ୍‌ ସରିଲା, ତଥାପି ସ୍ବାଭାବିକ୍‌ ହୋଇନି ଟ୍ରେନ୍‌ ଚଳାଚଳ

Advertisment

କେବେଠାରୁ ଆରମ୍ଭ ପୁନଃ ଆରମ୍ଭ ହେବ ଅସ୍ପଷ୍ଟ

କେବେଠାରୁ ଆରମ୍ଭ ପୁନଃ ଆରମ୍ଭ ହେବ ଅସ୍ପଷ୍ଟ

ଏଯାଏଁ ଗଡ଼ିଲାନି ୪ ଟ୍ରେନ୍‌; କୋଭିଡ୍‌ ସରିଲା, ତଥାପି ସ୍ବାଭାବିକ୍‌ ହୋଇନି ଟ୍ରେନ୍‌ ଚଳାଚଳ

ରାଉରକେଲା: କୋଭିଡ୍‌ ପୂର୍ବରୁ ରାଉରକେଲା ଦେଇ ପ୍ରାୟ ୫୫ଟି ଟ୍ରେନ୍‌ ଚଳାଚଳ କରୁଥିଲେ। ଦିଲ୍ଲୀ, ମୁମ୍ବାଇଠାରୁ ଆରମ୍ଭକରି ଦେଶର ପ୍ରତ୍ୟେକ ଅଞ୍ଚଳକୁ ରାଉରକେଲା ଦେଇ ଟ୍ରେନ୍‌ ଚଳାଚଳ କରୁଥିବାରୁ ଏଠାକାର ଯାତ୍ରୀ ବହୁମାତ୍ରାରେ ଉପକୃତ ହେଉଥିଲେ। ତେବେ କୋଭିଡ୍‌ ମହାମାରୀ ଯୋଗୁଁ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଯାଇଥିଲା। ଏବେ ଅର୍ଦ୍ଧାଧିକ ଟ୍ରେନ୍‌ ପୁନଃ ଚଳାଚଳ ଆରମ୍ଭ କଲାଣି; କିନ୍ତୁ ଏଯାଏଁ ସ୍ଥିତି ସ୍ବାଭାବିକ୍‌ ହୋଇପାରିନି। ଆଜି ସୁଦ୍ଧା ରାଉରକେଲା ଦେଇ ଚାଲୁଥିବା ୪ଟି ଟ୍ରେନ୍‌ ଆରମ୍ଭ ହୋଇପାରିନି।

କୋଭିଡ୍‌ ମହାମାରୀ ଆରମ୍ଭ ହେବା ଦିନଠାରୁ, ଅର୍ଥାତ୍‌ ୨୦୨୦ ମାର୍ଚ୍ଚ ପରଠାରୁ ଟ୍ରେନ୍‌ ଚଳାଚଳରେ ଅଙ୍କୁଶ ଲଗାଇଥିଲେ ରେଳବାଇ କର୍ତ୍ତୃପକ୍ଷ। ସଂକ୍ରମଣକୁ ପ୍ରତିହତ କରିବାକୁ ବହୁ ଟ୍ରେନ୍‌କୁ ବାତିଲ କରାଯାଇଥିଲା। ଏହି କ୍ରମରେ ରାଉରକେଲା ଦେଇ ଚଳାଚଳ କରୁଥିବା ପ୍ରାୟ ୫୫ଟି ଟ୍ରେନ୍‌ ମଧ୍ୟ ବନ୍ଦ ରହିଥିଲା। ତେବେ କୋଭିଡ୍‌ ଦ୍ବିତୀୟ ଲହର ପରେପରେ ‌କିଛି ଟ୍ରେନ୍‌ ଚାଲିବା ଆରମ୍ଭ ହୋଇଥିଲା। ଏବେ ଅଧିକାଂଶ ଟ୍ରେନ୍‌ ଚଳାଚଳ କରୁଥିବାବେଳେ ରାଉରକେଲା ଦେଇ ଚାଲୁଥିବା ୨ଟି ଏକ୍ସପ୍ରେସ୍‌ ଓ ୨ଟି ପାସେଞ୍ଜର୍‌ ଟ୍ରେନ୍‌, ମୋଟ୍‌ ୪ଟି ଟ୍ରେନ୍‌ କିନ୍ତୁ ପୁନଃ ଆରମ୍ଭ ହୋଇପାରିନି। ସେଗୁଡ଼ିକ ହେଲା,- ଧାନବାଦ-ଭୁବନେଶ୍ବର ଗରିବରଥ ଏକ୍ସପ୍ରେସ୍‌ ଓ ହାୱଡ଼ା-କୁର୍ଲା ଏକ୍ସପ୍ରେସ୍‌ ଏବଂ ଟାଟା-ବିଳାଶପୁର ଓ ଟାଟା-ଇତୱାରୀ ପାସେଞ୍ଜର ଟ୍ରେନ୍‌।

ଉଲ୍ଲେଖଯୋଗ୍ୟ, ଧାନବାଦ-ଭୁବନେଶ୍ବର ଗରିବରଥ ଏକ୍ସପ୍ରେସ୍‌ ଦୁଇ ରାଜ୍ୟର ରାଜଧାନୀ, ଝାଡ଼ଖଣ୍ଡର ରାଞ୍ଚି ଓ ଓଡ଼ିଶାର ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିଲା। ଏଥିରେ ଉଭୟ ରାଜ୍ୟର ଯାତ୍ରୀ ବହୁଳମାତ୍ରାରେ ଉପକୃତ ହେଉଥିଲେ। ଏତଦ୍‌ବ୍ୟତୀତ ରାଉରକେଲା-ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ଏହି ଟ୍ରେନ୍‌ ଯାତ୍ରୀଙ୍କ ପ୍ରଥମ ପସନ୍ଦ ରହିଥିଲା। ତପସ୍ବିନୀ ଏକ୍ସପ୍ରେସ୍‌, ରାଜ୍ୟରାଣୀ ଏକ୍ସପ୍ରେସ୍‌ ଅପେକ୍ଷା ଏହି ଟ୍ରେନ୍‌ରେ ଯାତ୍ରୀଙ୍କ ଭିଡ଼ ଅଧିକ ରହୁଥିଲା। ଏତଦ୍‌ବ୍ୟତୀତ ମୁମ୍ବାଇ ଦେଇ ହାୱଡ଼ା-କୁର୍ଲା ଏକ୍ସପ୍ରେସ୍‌ ପୂର୍ବରୁ ପ୍ରତିଦିନ ଚାଲୁଥିଲା। ତେବେ କୋଭିଡ୍‌ ସମୟରେ କିଛି ଦିନ ପାଇଁ ଏହାକୁ ସାପ୍ତାହିକ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଯାଇଥିଲା। ସେହିଭଳି ପାସେଞ୍ଜର୍‌ ଟ୍ରେନ୍‌ ଚଳାଚଳ ବି ବନ୍ଦ ଥିବାରୁ ଯାତ୍ରୀ ସମସ୍ୟା ଉତ୍କଟ ହେଲାଣି।

ଏହି ୪ ଟ୍ରେନ୍‌ ରାଉରକେଲା ଦେଇ ନିର୍ଦ୍ଦିଷ୍ଟ କେବେଠାରୁ ପୁନଃ ଚଳାଚଳ କରିବ ତାହା ଏବେ ବି ଅସ୍ପଷ୍ଟ। ଖୋଦ୍‌ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ଠୋସ୍‌ ସୂଚନା ନାହିଁ। ଏନେଇ ରାଉରକେଲା ରେଳ ଷ୍ଟେସନ ମ୍ୟାନେଜର ଏ.କେ. ମିଶ୍ର କହିଲେ, ରାଉରକେଲା ଦେଇ ପାଖାପାଖି ୫୦-୫୫ଟି ଟ୍ରେନ୍‌ ଚଳାଚଳ କରୁଛି। ତେବେ‌ କୋଭିଡ୍‌ ସମୟରେ ବନ୍ଦ ହୋଇଥିବା ବିଭିନ୍ନ ଟ୍ରେନ୍‌ ମଧ୍ୟରୁ ଏବେ ସୁଦ୍ଧା ୪ଟି ଟ୍ରେନ୍‌ ପୁନଃ ଆରମ୍ଭ ହୋଇପାରିନି। ଖୁବଶୀଘ୍ର ସବୁ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବ। ତେବେ ନିର୍ଦ୍ଦିଷ୍ଟ କବୋଠାରୁ ଆରମ୍ଭ ହେବେ ତାହା ସ୍ପଷ୍ଟ ହୋଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe