ସମ୍ବଲପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟା  

Advertisment
ସମ୍ବଲପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟା  

ସମ୍ବଲପୁର: ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଅଇଁଠାପାଲି ବିର୍ସା ମଇଦାନର ଭାଗବତ ନନ୍ଦ ମଂଚରେ ଆୟୋଜିତ ସମ୍ବଲପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟା‌ରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଥଣ୍ଡା ହେଉଥିବା ସତ୍ତ୍ବେ ଲୋକେ ମ‌ହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍‌ ଉପଭୋଗ କରିଥିଲେ। ଆଜି ମଧ୍ୟ ଲୋକଗୀତ ସହିତ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଲୋକଗୀତରେ ଅଲକା ମିଶ୍ର ‘ଚିକି ଚିକି ଚାଉଁରକେ’, କ୍ରିଷ୍ଣା ପଟେଲ ‘ଗାଁ ମଲ ମଲ ଅମରିଫୁଲ’, ସ୍ମୃତି ମିଶ୍ର ‘ସତେ ଦିଶୁଛେ କେଡ଼େ ସୁନ୍ଦର’, ପ୍ରୀତିନନ୍ଦା ମିଶ୍ର ‘ ଇ ସାରା ଦୁନିଆ ବୁଲି ଆଏଲି’, କାଲିଚରଣ ଗୁରୁ ‘ଗାଡ଼ି ଗଲା ନ ରାଉରକେଲାର କସଲା’ ଆଦି ଗୀତ ଉପସ୍ଥିତ ଲୋକଙ୍କୁ ବେଶ୍ ଆମୋଦିତ କରିଥିଲା।

ଲୋକଗୀତ କାର୍ଯ୍ୟକ୍ରମ ପରେ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ଚିତ୍ତାକର୍ଷକ ଲୋକନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ଜିଣି ନେଇଥିଲେ। ଗତକାଲି ଭଳି ଆଜି ମଧ୍ୟ ଫେସନ ସୋ’ ଅନୁଷ୍ଠିତ ହୋଇଥିଲା। ଆଜି ଭିସୁଟ୍‌ର କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କ ସହିତ ଶିବ ନାରାୟଣ ଶତପଥୀ, ଦୁର୍ଗା ପଣ୍ଡା ଏବଂ କ୍ରିଷ୍ଣା ପଟେଲ ଅତିଥି ଭାବେ ଯୋଗଦେଇଥିଲେ। ସମ୍ବଲପୁର ସାଂସ୍କୃତିକ ପରିଷଦର ସଂପାଦକ ସପନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ଭକ୍ତପ୍ରସାଦ ନନ୍ଦ, ସଦାନନ୍ଦ ପଣ୍ଡା ଓ ଗୋଲକ ବିହାରୀ ମିଶ୍ର ମଂଚାସୀନ ଥିଲେ। ସମାଜସେବା ପାଇଁ ଆଜି ‘ମା ଲିମ୍‌ ସରିଏନ୍ ଯୁବକ ସଂଘ’ ଏବଂ ‘ପ୍ରୟାସ ପରିବାର’କୁ ସମ୍ବର୍ଦ୍ଧିତ କରାଯାଇଥିଲା।

publive-image

ଗତକାଲି ତୃତୀୟ ଦିବସରେ ପଡ଼ିଆର ଅଭୟ ପାଢ଼ୀ ସଭାଘରରେ ଅଧ୍ୟାପକ ମୋହନ ସାହୁଙ୍କ ସଭାପତିତ୍ବରେ ଶିବପ୍ରିୟ ମିଶ୍ର ଓ କିଶୋର ସାହୁ ଯୋଗଦେଇ ‘ସମ୍ବଲପୁରୀ  ଭାଷା-ସାହିତ୍ୟର ସ୍ଥିତି, ଗତି ଆଉ ଉନ୍ନତି’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଶିକ୍ଷାଦାନ କ୍ଷେତ୍ରରେ ସମ୍ବଲପୁରୀ ଭାଷାରେ ପାଠ୍ୟପୁସ୍ତକ ତିଆରି କରିବା ସମୟ ଆସିଯାଇଛି। ଜାତୀୟ ଶିକ୍ଷାନୀତି ଅନୁସାରେ ଅନ୍ତତଃ ପକ୍ଷେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମ୍ବଲପୁରୀ ଭାଷାରେ ପାଠ୍ୟପୁସ୍ତକ ପ୍ରଣୟନଯୋଗ୍ୟ ଲେଖା ଏବେ ଅତ୍ୟାବଶ୍ୟକ ହୋଇଯାଇଛି। କେବଳ କବିତା ନଲେଖି ବିଭିନ୍ନ ବିଷୟରେ ନିବନ୍ଧ, ଶିଶୁ ଲେଖା ଆଦି ରଚନା କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା। ସଦାନନ୍ଦ ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆଲୋଚନାରେ ସପନ ମିଶ୍ର ଶେଷରେ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe