ସରିଲା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର, ଏବେ କେବଳ ଫଳାଫଳକୁ ଅପେକ୍ଷା

Advertisment
ସରିଲା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର, ଏବେ କେବଳ ଫଳାଫଳକୁ ଅପେକ୍ଷା

ଭୁବନେଶ୍ୱର : ଆଉ ରଙ୍ଗୀନ୍ ହେବନି ଗାଁ ଗହଳିରେ ଥିବା କାନ୍ଥ କି ରାସ୍ତା ଘାଟରେ ଶୁଭିବନି ମା’ ମାଉସୀ ଡ଼ାକ । କାରଣ ୧୯ ଯୁଦ୍ଧ ପାଇଁ ଶେଷ ପ୍ରଚାର କରି ନିଜ ନିଜ ଶିବିରକୁ ଫେରିଛନ୍ତି ଶୀର୍ଷ ନେତା । ଗତ ଏକମାସ ଧରି ରାଜ୍ୟରେ ଗଣତନ୍ତ୍ରର ମହାପର୍ବକୁ ନେଇ ସହରଠୁ ଆରମ୍ଭ କରି ଗାଁ ଗଳିକନ୍ଦି ପର୍ଯ୍ୟନ୍ତ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏବେ ପ୍ରଚାର ସରିଲା, କେବଳ ଫଳାଫଳକୁ ଅପେକ୍ଷା।

ଗଣତନ୍ତ୍ରର ମହାର୍ପବକୁ ବେଶ୍ ଧୁମଧାମରେ ଦୀର୍ଘ ଏକ ମାସ ଧରି ପାଳନ କରିଥିଲେ ପ୍ରମୁଖ ଦଳର ପ୍ରାର୍ଥୀ ଓ ଶୀର୍ଷ ନେତା । ଏପରିକି ଗାଁ ଠାରୁ ସହର ପର୍ଯ୍ୟନ୍ତ ଯେଉଁ ଘମାଘୋଟ୍ ପ୍ରଚାର ଚାଲିଥିଲା ସେଥିରେ ଏକ ପ୍ରକାର ବିରାମ ପଡ଼ିଛି । ଏସବୁ ଭିତରେ ନା ଆଉ ଗାଁକୁ ଆସିବ ପ୍ରଚାର ଗାଡି ନା ପ୍ରାର୍ଥୀଙ୍କ ପାଇଁ ଶୁଭିବ ଜିନ୍ଦାବାଦର ନାରା । ଏପରିକି ନେତାଙ୍କ ଠାରୁ ମିଳିବ ଆଉ ମିଳିବନି ପ୍ରତିଶୃତିର ପୁଳା ପୁଳା ପୁଡିଆ । ଛକରେ ବି ଶୁଣିବାକୁ ମିଳିବନି ରାଜନୀତିର ଗସିପ୍ । କାରଣ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲଢ଼େଇ ପାଇଁ ଚାଲିଥିବା ପ୍ରଚାରରେ ପଡ଼ିଛି ପୂର୍ଣ୍ଣଛେଦ।

ଶେଷ ହୋଇଛି ଗଣତନ୍ତ୍ର ମହାପର୍ବର ଗୋଟିଏ ଅଧ୍ୟାୟ । ଗତ ଏକମାସ ଧରି ରାଜ୍ୟରେ ଗଣତନ୍ତ୍ରର ମହାପର୍ବକୁ ନେଇ ସହରଠୁ ଆରମ୍ଭ କରି ଗାଁ ଗଳିକନ୍ଦି ପର୍ଯ୍ୟନ୍ତ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ରଣକ୍ଷେତ୍ରକୁ ଓହ୍ଲାଇଥିଲେ ବିଭିନ୍ନ ଶିବିରର ଯୋଦ୍ଧା । ୧୯ ମହାଯୁଦ୍ଧରେ ବାଜିମାତ କରିବା ପାଇଁ ସାରା ରାଜ୍ୟରେ ନିର୍ବାଚନୀ ଯୁଦ୍ଧ ଡ଼ାକାରା ଦେଇଥିଲେ ପ୍ରମୁଖ ଦଳର ଶୀର୍ଷ ନେତା । କିଏ ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ନୂଆ ନୂଆ ରଣନୀତି ପ୍ରସ୍ତୁତ କରୁଥିଲା ତ ଆଉ କିଏ ଘରଘର ବୁଲି ପଖାଳ ଭଜା ଖାଇ ସୁଃଖ ଦୁଃର ଦ୍ୱାହି ଦେଇ ଭୋଟ୍ ପାଇଁ ଗୋଟି ଚାଳନା କରୁଥିଲେ । ହେଲେ ଅଦିନିଆ ବର୍ଷା ପରି ଯେଉଁ ରାଜନୀତି ଛିଟା ଛକ ଛକକୁ ଭିଜାଉଥିଲା ତାହା ଆଉ ଦେଖିବାକୁ ମିଳିବନି।

ଏହି ନିର୍ବାଚନ ଯୁଦ୍ଧରେ ବିଜୟ ସ୍ୱାଦକୁ ଚାଖିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ପ୍ରମୁଖ ଦଳର ସିପାହୀ । ଆଉ ତାଙ୍କ ସଫଳତାର ଚାବିକାଠି ଜନତା ଜନାର୍ଦ୍ଦନଙ୍କ ହାତରେ ଥିବାବେଳେ କିଭଳି ଜନତାଙ୍କୁ ସନ୍ତୁଷ୍ଟ କରିବେ ସେନେଇ ପ୍ରସ୍ତୁତ କରିଥିଲେ ମାଷ୍ଟର ପ୍ଲାନ୍ । ସେପଟେ ପ୍ରତିପକ୍ଷକୁ ପରାଜୟର ଦ୍ୱାରଦେଶ ଦେଖାଇବା ପାଇଁ ସାଧାରଣ ଲୋକଙ୍କ ନିକଟତର ହେବାକୁ ଗୋଟି ଚାଳନା କରିଥିଲେ ପ୍ରମୁଖ ଦଳ । ତେଣୁ ଯୋଦ୍ଧା ରୂପି ନେତାଙ୍କ ଫୋକସରେ ରହିଥିଲେ ସାଧାରଣ ଜନତା ବା ଭୋଟର । ନିର୍ବାଚନ ତାରିଖ ଘୋଷଣା ଓ ପରେ ପରେ ପ୍ରାର୍ଥୀ ତାଲିକା ଆସିବା ପରଠାରୁ ଗାଁ ଗହଳିରେ ନିଜ ନିଜ ସମର୍ଥକଙ୍କ ସହ ଭୋଟ୍ ଭିକ୍ଷା କରିଥିଲେ ବିଭିନ୍ନ ଦଳର ସିପାହୀ।

ସବୁଠାରୁ ବଡ଼ କଥା ହେଲା ଯେ, ଝଡ଼ ପୂର୍ବରୁ ଯେଉଁ ଭଳି ଚାରିଆଡ଼ ଶୁନଶାନ୍ ହୋଇଯାଏ ଠିକ୍ ସେହିଭଳି ଏବେ ଗାଁ ଗହଳିରେ ନେତା ଓ କର୍ମୀଙ୍କ କୋଳାହାଳ ଆଉ ଶୁଭିବନି । କାରଣ ମେ’ ୨୩ରେ ହେବାକୁ ଥିବା ରାଜନୈତିକ ଝଡ଼ କେଉଁ ରୂପ ଧାରଣ କରିବ ତାହାକୁ ଅପେକ୍ଷା । ତେବେ ରାଜନୀତି ସମୀକ୍ଷକଙ୍କ କହିବା ମୁତାବକ, ଏହି ମେ’ ୨୩ର ଫଳାଫଳ ଝଡ଼ କାହା ଶିବିରକୁ ହତାସାର ପବନରେ ଭାଙ୍ଗିବ ଆଉ କାହା ଶିବିରକୁ ହସ ଉଲ୍ଲାସର ଭରିଦେବ ତାହାକୁ ହିଁ ସମସ୍ତଙ୍କ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe