କେନାଲ ସଫେଇରେ କେଳେଙ୍କାରୀ!

Advertisment

ତଳମୁଣ୍ଡରେ ପାଣି ଅଭାବ

ତଳମୁଣ୍ଡରେ ପାଣି ଅଭାବ

କେନାଲ ସଫେଇରେ କେଳେଙ୍କାରୀ!

ବାଲିପାଟଣା: ଚିତାଲାଗି ଅମାବାସ୍ୟା ଗଲା। ଶ୍ରାବଣ ମାସ ଅଧା ବିତିଲା। ଅଥଚ ଧାନ ବିଲରେ ପାଣି ନାହିଁ। ଢିପ ଜମି ଓ କେନାଲ ତଳମୁଣ୍ଡର ଚାଷ ଜମି ଶୁଖିଲା ପଡ଼ିଛି। ଫଳରେ ବେଉଷଣ କାମ ଅଧପନ୍ତରିଆ ଅବସ୍ଥାରେ ରହିଛି। ବର୍ଷା ଅଭାବ ସାଙ୍ଗକୁ କେନାଲରେ ପାଣି ନଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସରକାରଙ୍କ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇ କେନାଲ ସଫେଇ ହେଉଥିଲେ ମଧ୍ୟ ବ୍ୟାପକ ଅନିୟମିତତା ପାଇଁ ତଳମୁଣ୍ଡକୁ ପାଣି ଯାଇପାରୁନାହିଁ। ତେଣୁ କେନାଲ ସ‌ଫେଇ କାମରେ ବଡ଼ଧରଣର କେଳେଙ୍କାରୀ ଚାଲିଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି।

ସୂଚନାନୁସାରେ ବାଲିପାଟଣା ଜଳସେଚନ କାର୍ଯ୍ୟାଳୟ ଅଧୀନରେ ଥିବା ପ୍ରାୟ ୧୯ ଟି କେନାଲ ସଫେଇ ପାଇଁ ଗତ ମେ’ ମାସରୁ ଟେଣ୍ଡର ହୋଇଛି। ୨୦ କିଲୋମିଟରରୁ ଅଧିକ ଦୈର୍ଘ୍ୟର କେନାଲ ସଫେଇ ପାଇଁ ପାଖାପାଖି ୪୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। କିନ୍ତୁ ବହୁ ସ୍ଥାନରେ କାମ ଅସମ୍ପୂର୍ଣ୍ଣ ରହିଛି। ଅଙ୍କୁଶପୁର ଶାଖା କେନାଲ ସଫେଇ କାମରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ଅଭିଯୋଗ ହେଉଛି। ସେହିଭଳି ସରାଟଶାସନ ମାଇନର ସଫେଇ ବି ଅଧପନ୍ତରିଆ ହୋଇ ରହିଛି। ଫଳରେ ଏହି ମାଇନରର ତଳମୁଣ୍ଡକୁ ପାଣି ଯାଉନାହିଁ। ଏହାବାଦ ଅନେକ ମାଇନର ଏବେ ବି ପୋତି ହୋଇରହିଛି। ଅନାବନା ଗଛ, ଲତା ଓ ଘାସରେ ପୋତି ହୋଇରହିଛି।

ସେହିପରି ସରାଟଶାସନ ମାଇନରରେ ପ୍ରାୟ ୬ ଶହ ମିଟର ନୂଆ ଲାଇନିଂ କାମ ହେଲା ଓ ସେ ପର୍ଯ୍ୟନ୍ତ ପାଣି ସୁରୁଖୁରୁରେ ଗଲା। କିନ୍ତୁ ସେଠାରୁ ବନ୍ଧ ଡେଇଁ କେନାଲ ପାଣି ଗଡ଼ବନ୍ତପୁର ଗାଁରେ ପଶିଲା। ଫଳରେ ଲୋକେ ବାଧ୍ୟ ହୋଇ ଉପର ମୁଣ୍ଡରୁ ପାଣି ବନ୍ଦ କଲେ। ଏଣେ ତଳମୁଣ୍ଡ ଚାଷୀ ବେଉଷଣ ପାଇଁ ଅନେଇ ବସିଛି। ତଳମୁଣ୍ଡ ଚାଷୀ ତୁରନ୍ତ ମାଇନର ସଫା କରିବାକୁ ଦାବି କରିଛନ୍ତି। ଏନେଇ ବାଲିପାଟଣା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ନାୟକଙ୍କ ସୂଚନା ଅନୁସାରେ କେତେକ ସ୍ଥାନରେ କେନା‌ଲ ସଫେଇ ହୋଇଛି। ବାକି ସବୁ ତୁରନ୍ତ ସଫେଇ ଲାଗି ଠିକାଦାରଙ୍କୁ ନିଯୁକ୍ତି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe