ଧାନକିଣା ଦୁର୍ନୀତି ପାଇଁ କାର୍ଯ୍ୟାନୁଷ୍ଠାନ ସହ ସମ୍ପାଦକଙ୍କୁ ବହିଷ୍କାର, ୬ଜଣଙ୍କ ନାଁରେ ମାମଲା

Advertisment
ଧାନକିଣା ଦୁର୍ନୀତି ପାଇଁ କାର୍ଯ୍ୟାନୁଷ୍ଠାନ ସହ ସମ୍ପାଦକଙ୍କୁ ବହିଷ୍କାର, ୬ଜଣଙ୍କ ନାଁରେ ମାମଲା

OTV

ଯାଜପୁରସଦର: ଯାଜପୁର ଜିଲ୍ଲାରେ ଧାନକିଣା ଦୁର୍ନୀତିକୁ ନେଇ ବିଭିନ୍ନ ସମୟରେ ହଟଚମଟ ସୃଷ୍ଟି ହୋ‌ଇଛି। ମାର୍କଣ୍ଡପୁର ପ୍ୟାକ୍ସରେ ହୋଇଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ ହୋଇଛି। ସହସମ୍ପାଦକଙ୍କୁ ବହିଷ୍କାର କରାଯାଇଥିବେଳେ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ, ଧାନକିଣା ଦୁର୍ନୀତିକୁ ନେଇ ଏଆର୍‌ସିଏସ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ପ୍ୟାକ୍ସରେ ଧାନକିଣା ଅନିୟମିତତା ଓ  ଅର୍ଥ ଆତ୍ମସାତ୍  ଅଭିଯୋଗରେ ପୂର୍ବତନ ସଂପାଦକ ନବ କିଶୋର ପରିଡା,  ବର୍ତମାନର ସହ ସଂପାଦକ  ବିକ୍ରମଜିତ ଜେନା, ଦିଲ୍ଲୀପ ରାଉତ, କବିତା ରାଉତ, ଦୀପକ ରାଉତ ଓ  ତପନ ରାଉତଙ୍କୁ  ଦାୟୀ କରାଯାଇଥିଲା। ଏହି ଘଟଣାର ଶୁଣାଣି ଭାର  ରାଜ୍ୟ ସମବାୟ ସମିତି ନିବନ୍ଧକଙ୍କ ଉପରେ ମାନ୍ୟବର ହାଇକୋର୍ଟ ନ୍ୟସ୍ତ କରିଥିଲେ।   ଏକାଧିକ ଶୁଣାଣି ପରେ  ଗତ ୭ ତାରିଖରେ ଚୂଡାନ୍ତ ରାୟ ପ୍ରକାଶ ପାଇଥିଲା। ଏଥିରେ ପୂର୍ବତନ ଡିଇଓ ତଥା ବର୍ତ୍ତମାନର ସହ ସଂପାଦକ ବିକ୍ରମଜିତ ଜେନାଙ୍କୁ ବହିଷ୍କାର କରାଯାଇଥିଲା। ଶ୍ରୀ ଜେନାଙ୍କୁ  ବହିଷ୍କାର ନିଷ୍ପତ୍ତିକୁ ନେଇ ବୈଠକରେ ସମ୍ମତି କ୍ରମେ ଗ୍ରହଣ କରାଯାଇଛି। ବୋର୍ଡ ସଦସ୍ୟା ଥାଇ ବେଆଇନ ଭାବେ ଚାଷୀ ରୂପେ ଧାନ ବିକ୍ରି କରିଥିବା କବିତା ରାଉତଙ୍କୁ  କମିଟିର ସଭ୍ୟା ପଦରୁ ଅପସାରଣ କରାଯାଇଛି। ସେହିପରି ୬ଜଣଙ୍କ ବିରୋଧରେ  ଫୌଜଦାରି ମାମଲା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe