ଭୁବନେଶ୍ବର: ହାଇଟେକ ମେଡିକାଲର କଲେଜରେ ନାମ ଲେଖାଇ ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଆଜି ଝାରଖଣ୍ଡର ଧାନବାଦ ଜିଲ୍ଲା ଗୋବିନ୍ଦପୁର ଥାନା ପୁଲିସ ହାଇଟେକ ଗ୍ରୁପର ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ତିରୁପତି ଚୌଧୁରୀ। ଆଜି ତାଙ୍କୁ ଝାରଖଣ୍ଡ ପୁଲିସ ଭୁବନେଶ୍ବର କୋର୍ଟରେ ହାଜର କରାଇଛି। ଆସନ୍ତାକାଲି ତାଙ୍କୁ ଝାରଖଣ୍ଡ ନେଇ ଯିବେ ବୋଲି ସେଠାକାର ପୁଲିସ କହିଛି। ମିଳିଥିବା ସୂଚନା ମୁତାବକ, ୨୦୧୩ରେ ତିରୁପତି ଝାରଖଣ୍ଡର ବୋକାରୋ ଅଞ୍ଚଳରେ ରାମଧର ପ୍ରତୀକ ନାମକ ଜଣେ ବ୍ୟକ୍ତିଙ୍କୁ ହାଇଟେକ ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ କହି ୫ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ରାମଧରଙ୍କୁ ସେ ଆଡମିସନ କରାଇ ପାରି ନ ଥିଲେ। ବାରମ୍ବାର ରାମଧର ଭୁବନେଶ୍ବର ଆସିଥିଲେ ମଧ୍ୟ କିଛି ଫଳ ମିଳି ନ ଥିଲା। ଓଲଟି ତରୁପତି ତାଙ୍କୁ ଧମକ ଚମକ ଦେଇ ଥିଲେ। ଏ ନେଇ ରାମଧର ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ ତିରୁପତିଙ୍କ ପତ୍ତା ପାଉ ନ ଥିଲା। ଶେଷରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା। ସେହି ୱାରେଣ୍ଟ ବଳରେ ତାଙ୍କୁ ଆଜି ଗିରଫ କରାଯାଇଛି ବୋଲି ସହିଦନଗର ଥାନା ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି।
ମେଡିକାଲରେ ନାମ ଲେଖାଇବା ନାଁରେ ଠକେଇ: ତିରୁପତି ଚୌଧୁରୀ ଗିରଫ
Advertisment
Follow Us