ଅନ୍‌ଲାଇନ ବ୍ୟବସାୟ ଆଳରେ ଠକେଇ ଅଭିଯୋଗ: ଭିଜିଲାନ୍ସ ଏସ୍‌ଆଇଙ୍କ ସହ ୭ଜଣଙ୍କ ନାଁରେ ମାମଲା

ଅନ୍‌ଲାଇନ ବ୍ୟବସାୟ ଆଳରେ ଠକେଇ ଅଭିଯୋଗ: ଭିଜିଲାନ୍ସ ଏସ୍‌ଆଇଙ୍କ ସହ ୭ଜଣଙ୍କ ନାଁରେ ମାମଲା

Entrepreneur

ବାଲେଶ୍ବର: କରୋନା ସମୟରେ ଅନ୍‌ଲାଇନ ମାକେର୍ଟିଂ ଏବଂ ସେଥିରୁ ଆକର୍ଷଣୀୟ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ମୋଟାଅଙ୍କର ଟଙ୍କା ହଡ଼ପ ଅଭିଯୋଗରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନାରେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲାରେ ସମ୍ପୃକ୍ତ ବାଲେଶ୍ବର ଭିଜିଲାନ୍ସ କୋର୍ଟରେ କାର୍ଯ୍ୟରତ ଜଣେ ସବ୍‌ଇନ୍ସପେକ୍ଟର ଏବଂ ଜଣେ ସରକାରୀ ଓକିଲଙ୍କ ସମେତ ମୋଟ ୭ଜଣ ଅଭିଯୁକ୍ତଙ୍କ ବିରୋଧରେ ୧୫୮/୨୦୨୨ରେ ମାମଲା ରୁଜୁ କରାଯାଇ ସେମାନଙ୍କ ବିରୋଧରେ ୪୨୦/୩୨୩/୨୯୪/୫୦୬/୩୫୪/୩୪ ଆଇପିସି ଭଳି ସଙ୍ଗିନ ଦଫା ଲାଗୁ କରାଯାଇଥିବା ରାସଗୋବିନ୍ଦପୁର ଥାନା ଆଇଆଇସି ଲୋପାମୁଦ୍ରା ନାୟକ ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ୨୦୨୧ ମସିହା କରୋନା ମହାମାରୀ ସମୟରେ ବାଲେଶ୍ବର ଭିଜିଲାନ୍ସ କୋର୍ଟର କାର୍ଯ୍ୟରତ ରାମଚନ୍ଦ୍ର ମହାଳିକ ନାମକ ଜଣେ ସବ୍‌ଇନ୍ସପେକ୍ଟର ନିଜକୁ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଭାବେ ପରିଚୟ ଦେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଏବଂ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କଠାରୁ  କ୍ରାଉଡ-୧ ନାମକ ଅର୍ଥଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରିବାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଥିଲେ। ଏପରିକି କୋଟିକୋଟି ଟଙ୍କାର ମାଲିକ ହେବା ଏବଂ ଚନ୍ଦ୍ରରେ ଜାଗା ପାଇବା ଭଳି ମିଛ ସ୍ବପ୍ନ ମଧ୍ୟ ଦେଖାଇଥିଲେ। ଏହି କାମରେ ଶ୍ରୀ ମହାଳିକଙ୍କ ପତ୍ନୀ, ତାଙ୍କ ନାବାଳକ ପୁଅ, ବାଲେଶ୍ବର ଭିଜିଲାନ୍ସର ଜଣେ ସରକାରୀ ଓକିଲ ଏବଂ ଅନ୍ୟ ଅଭିଯୁକ୍ତମାନେ ସହଯୋଗ କରିଥିଲେ। ଅନଲାଇନ୍ ବ୍ୟବସାୟ ଓ ନେଟୱାର୍କିଂ ଜରିଆରେ ଜମାକାରୀଙ୍କ ଆକାଉଣ୍ଟ୍‌କୁ ପ୍ରତିଶ୍ରୁତି ମୁତାବକ ଅର୍ଥରାଶି ଆପେଆପେ ଆସିଯିବ ବୋଲି ସେ କହୁଥିଲେ। ଏଥିସହ ଜମାକାରୀମାନେ ନିଜ ଅଧୀନରେ ଯଦି ଆଉ କିଛି ଜମାକାରୀଙ୍କୁ ଯୋଡ଼ିବେ, ତାହାହେଲେ ତାଙ୍କୁ ଆହୁରି ଅଧିକ ଅର୍ଥ ମିଳିବ ବୋଲି କୁହାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଜମାକାରୀମାନେ ଠକାମିର ଶିକାର ହୋଇଥିଲେ। ପରେ ନିବେଶ ଅର୍ଥ ଅନୁସାରେ ସେଭଳି କୌଣସି ଲାଭ ଜମାକାରୀଙ୍କୁ ମିଳିଲା ନାହିଁ। ଏହାପରେ ଜମାକାରୀମାନେ ଭିଜିଲାନ୍ସ ଏସ୍‌ଆଇ ଶ୍ରୀ ମହାଳିକଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଥିଲେ ହେଁ ସେ ଅଭିଯୋଗକୁ ଗୁରୁତ୍ବ ନଦେଇ ଠକେଇ କାରବାରକୁ ଆହୁରି ଅଧିକ ପ୍ରୋତ୍ସାହିତ କରିଥିଲେ।

ତେବେ ଠକାମିର ଶିକାର ହୋଇଥିବା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳର ଜମାକାରୀ ସୁମନ୍ତି ରାଉତ ପ୍ରଥମେ ରାସଗୋବିନ୍ଦପୁର ଥାନା ଓ ପରେ ମୟୂରଭଂଜ ଏସ୍‌ପିଙ୍କଠାରେ ଦରଖାସ୍ତ କରି ନ୍ୟାୟ ନପାଇବାରୁ ପରେ ରାସଗୋବିନ୍ଦପୁର ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ୬/୨୨ ଵାନସିସିରେ ଏକ ମାମଲା ଦାଏର କରିଥିଲେ। ଜେଏମ୍‌ଏଫ୍‌ସିଙ୍କ ପକ୍ଷରୁ ଫୌଜଦାରୀ ମାମଲା ରୁଜୁ ନିମନ୍ତେ ଗତ ୧୪ ତାରିଖରେ ରାସଗୋବିନ୍ଦପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ମାମଲା ନମ୍ବର ଓ ତାରିଖ କୋର୍ଟକୁ ଜଣାଇବାବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ତେବେ ଆଗକୁ ପୁଲିସ ଏହି ମାମଲାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ସମସ୍ତଙ୍କ ଅପେକ୍ଷା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe