Times of India
ରାମଚନ୍ଦ୍ରପୁର : ଡାଟା ଏଣ୍ଟ୍ରି ଅପରେଟର ଚାକିରି ସହ ଅଧିକ ଦରମା ପ୍ରଲୋଭନ ଦେଖାଇ ନିଯୁକ୍ତି ଦେଇଥିବା ରାଉରକେଲାର ଏକ ସଂସ୍ଥା ଠକିଥିବା ଅଭିଯୋଗ ହୋଇଛି। ଏଭଳି ଠକେଇର ଶିକାର ହୋଇଥିବା ଘସିପୁରା ବ୍ଲକ୍ଣ ଜଣେ ଯୁବତୀଙ୍କୁ ରାଉରକେଲାର ସ୍ବେଚ୍ଛାସେବୀମାନେ ଉଦ୍ଧାର କରି ଗାଁକୁ ପଠାଇଛନ୍ତି।
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ତରୁଆଁ ପଞ୍ଚାୟତ ସାଇଁପାଳ ଗ୍ରାମର ନିରଞ୍ଜନ ନାଥଙ୍କ ଝିଅ ଝୁନୁ (୧୯)ଙ୍କୁ ରାଉରକେଲା ସ୍ଥିତ ଏକ ସଂସ୍ଥା ଡାଟା ଏଣ୍ଟ୍ରି ଅପରେଟର ପଦବିରେ ନିଯୁକ୍ତି ଦେଇଥିଲା। ନିଯୁକ୍ତିଙ୍କ ସମୟରେ ଝୁନୁଙ୍କ ଠାରୁ ୧୯ ହଜାର ଟଙ୍କା ନିଆଯାଇଥିଲା। ପରେ ଡାଟା ଏଣ୍ଟ୍ରି ଅପରେଟର କାମ ପରିବର୍ତ୍ତେ ତାଙ୍କୁ ପିଲା ଯୋଗାଡ଼ କରିବାକୁ କୁହାଯାଇଥିଲା। ସେ ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିଥିଲେ ସଂସ୍ଥାର କର୍ମକର୍ତ୍ତା। ଏ ସମ୍ପର୍କରେ ଝୁନୁ କେନ୍ଦୁଝରର ସମାଜସେବୀ ମିନତି ଅପାଙ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ମିନତିଙ୍କ ଅନୁରୋଧକ୍ରମେ ରାଉରକେଲାର ୟୁଥ୍ ଅର୍ଗାନାଇଜେସନ ସଂସ୍ଥାର ସମାଜସେବୀ ରଞ୍ଜିତ ମହାରଣା, ସନ୍ତୋଷ ବିଶ୍ଵାଳ, ରମନ୍ ଝା, ଦୀପକ ପଣ୍ଡା, ଆଶିଷ ଦାସ ଏବଂ ତାଙ୍କ ଟିମ୍ ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚି ଝୁନୁକୁ ଉଦ୍ଧାର କରିଥିଲେ। ନିଯୁକ୍ତି ସମୟରେ ନିଆଯାଇଥିବା ଟଙ୍କା ମଧ୍ୟ ସଂସ୍ଥାଠାରୁ ଆଦାୟ କରାଯାଇଥିଲା। ସ୍ବେଚ୍ଛାସେବୀମାନେ ବସ୍ ଯୋଗେ ଝୁନୁଙ୍କୁ ତାଙ୍କ ଗ୍ରାମକୁ ପଠାଇଛନ୍ତି।
Follow Us