ହୋଟେଲ ବିକିବା ନାଁରେ ୫୦ ଲକ୍ଷ ଚଳୁ, ଅଭିଯୁକ୍ତ ଗିରଫ

ହୋଟେଲ ବିକିବା ନାଁରେ ୫୦ ଲକ୍ଷ ଚଳୁ, ଅଭିଯୁକ୍ତ ଗିରଫ

ଠକେଇର ଶିକାର ତପନ ମହାନ୍ତି

ବିକ୍ରି ପାଇଁ ହୋଇଥିଲା ୩ କୋଟିର ଗୁପ୍ତ ଡିଲ୍‌
ଠକିଯିବା ପରେ ବ୍ରେନଷ୍ଟ୍ରୋକ୍‌ରେ ବ୍ୟବସାୟୀ ତପନ

ପୁରୀ : ବହୁବର୍ଷ ଧରି ବନ୍ଦ ପଡ଼ିଥିବା ପୁରୀର ହୋଟେଲ ନୀଳାଚଳ ଅଶୋକକୁ ବିକ୍ରି କରିବାକୁ କହି ଜଣେ ବ୍ୟକ୍ତି ୫୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ପୁରୀ ତାଳବଣିଆ ଥାନା ସିଦ୍ଧମହାବୀର(ବେହେରା ସ୍ବିଟ୍‌ସ ନିକଟ)ର ବ୍ୟବସାୟୀ ତପନ ମହାନ୍ତି(୪୭)। ତପନଙ୍କ ଅଭି‌ଯୋଗକ୍ରମେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ଅଭିଯୁକ୍ତ ଅନିକେଶ ସାହୁକୁ ଗିରଫ କରିଛି। ଅନିକେଶର ଘର କଟକ ଜିଲ୍ଲାରେ ବୋଲି ଜଣାପଡ଼ିଛି। ନିଜକୁ ଆଇଟିଡିସିର ଅଧିକାରୀ ବୋଲି ପରିଚୟ ଦେଇ ଅନିକେଶ ଏଭଳି ବଡ଼ ଠକେଇର ଷଡ଼ଯନ୍ତ୍ର କରିଥିଲା ବୋଲି ଅର୍ଥନୈତିକ ଶାଖା ଏସ୍‌ପି ଦିଲୀପ କୁମାର ତ୍ରିପାଠୀ କହିଛନ୍ତି। ଅନ୍ୟପଟେ ଅନିକେଶ ପୁରୀ ଜିଲ୍ଲାର ଆହୁରି ଅନେକଙ୍କଠାରୁ ଏଭଳି ଟଙ୍କା ଠକେଇ କରିଥିବା ଅଭିଯୋଗ ଶୁଣିବାକୁ ମିଳିଛି। ତେବେ ଏ ସମ୍ପର୍କରେ କୌଣସି ଥାନାରେ ଅଭିଯୋଗ ହୋଇନି।

publive-image

ପୁରୀ ଭିଆଇପି ରୋଡ୍‌ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ରହିଛି ହୋଟେଲ ନୀଳାଚଳ ଅଶୋକ। କେନ୍ଦ୍ର ପର୍ଯ୍ୟଟନ ଉନ୍ନୟନ ନିଗମ ଅଧୀନରେ ଥିବା ଏହି ହେଟେଲ ବହୁ ବାଦବିବାଦ ପରେ ୨୦୦୪ ମସିହାରୁ ବନ୍ଦ ପଡ଼ିଛି। ଏତେ ବର୍ଷ ବନ୍ଦ ପଡ଼ିବା ପରେ ବହୁତଳ କୋଠା ବିଶିଷ୍ଟ ଏହି ହୋଟେଲ ଭୂତକୋଠି ପାଲଟିଛି। ଦାମୀ ଆସବାବପତ୍ର ଖତ ଖାଉଛି। ଏହାର ସୁଯୋଗ ନେଇ ଅନିକେଶ ଠକେଇର ଯୋଜନା ରଚିଥିଲେ। ନିଜକୁ ଆଇଟିଡିସିର ଅଧିକାରୀ ବୋଲି ପରିଚୟ ଦେଇ ବ୍ୟବସାୟୀ ତପନଙ୍କୁ ଜାଲରେ ଫସାଇ‌ଥିଲେ। ଆଇଟିଡିସିର ଜାଲ କାଗଜପତ୍ର ଦେଖାଇ ହୋଟେଲ ନୀଳାଚଳ ଅଶୋକକୁ ବିକ୍ରି ପାଇଁ ତପନଙ୍କ ସହ ୩ କୋଟିର ଗୁପ୍ତ ଡିଲ୍‌ କରିଥିଲେ। ଏହି ଡିଲ୍‌ ପରେ ତପନ ଅଗ୍ରୀମ ୫୦ ଲକ୍ଷ ଟଙ୍କା ବି ଦେଇଥିଲେ। ପରେ ସେ ଠକାମୀର ଶିକାର ହୋଇଥିବା ଜାଣି ଗତ ମାସରେ ପ୍ରଥମେ ତାଳବଣିଆ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏହା ତାଙ୍କ ପରିସରଭୁକ୍ତ ନଥିବା କହିବା ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖାରେ ଅଭିଯୋଗ କରିଥିଲେ ତପନ। ଏହି ଅଭିଯୋଗ ଆଧାରରେ ଅନିକେଶଙ୍କୁ ଗିରଫ କରାଯାଇଛି ବୋଲି ଅର୍ଥନୈତିକ ଶାଖା ଏସ୍‌ପି ଶ୍ରୀ ତ୍ରିପାଠୀ କହିଛନ୍ତି।

publive-image

ଏସପି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଏକ ଠକେଇ ଘଟଣାରେ ପୂର୍ବରୁ ଚନ୍ଦନ ଆକାଶ ମହାନ୍ତିଙ୍କୁ ବି ଅର୍ଥନୈତିକ ଶାଖା ଗିରଫ କରିଥିଲା। ଚନ୍ଦନ ନିଜକୁ ଆଇଟିଡିସିର ମୁଖ୍ୟ ବୋଲି ଦର୍ଶାଉଥିଲା। ଅନିକେଶ ଚନ୍ଦନର ସହଯୋଗୀ ଭାବେ କାମ କରୁଥିଲା। ସେପଟେ ଏଭଳି ଓଟିଡିସି ନାଁରେ ଠକେଇ କରି ପୂର୍ବରୁ ବାବା ବିଜୟାନନ୍ଦ ଚୌଧୁରୀ ଓ ଚନ୍ଦନ ବି ଗିରଫ ହୋଇଥିଲେ। ଦୁଇଜଣ ଏବେ ଜେଲରେ ଅଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଏ ସମ୍ପର୍କରେ ତପନଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ କହିଛନ୍ତି ଯେ ଅନିକେଶ ଯେଉଁ କାଗଜପତ୍ର ଦେଖାଇଥିଲେ, ସେଥିରେ କୌଣସି ଜାଲ ହୋଇଥିବା ଜଣାପଡ଼ୁନଥିଲା। ଯେଉଁ ଷ୍ଟାମ୍ପ ଆଇଟିଡିସିର ଦେଖାଇଥିଲେ ଓ କାଗଜପତ୍ର ଉପ‌ରେ ଯେଉଁ ଷ୍ଟାମ୍ପ ବାଜିଥିଲା, ତାହା ବି ଅରିଜିନାଲ୍‌ ଭଳି ଲାଗୁଥିଲା। ଏଣୁ ସନ୍ଦେହର କୌଣସି କାରଣ ନଥିଲା। କିନ୍ତୁ ଏଭଳି ଠକେଇର ଶିକାର ହୋଇଥିବା ଜାଣିବା ପରେ ତାଙ୍କ ସ୍ବାମୀ ବ୍ରେନଷ୍ଟ୍ରୋକରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏବେ ଘରକୁ ଫେରିଥିଲେ ବି ତପନ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଚଲାବୁଲା କରିବା କଷ୍ଟକର ହୋଇପଡ଼ିଛି। ସ୍ବାମୀଙ୍କ ଅସୁସ୍ଥତା କାରଣରୁ ସେ ନିଜେ ଅର୍ଥନୈତିକ ଶାଖାକୁ ଯାଇ ଡିଏସ୍‌ପି ଓ ଅନ୍ୟ ଅଧିକାରୀଙ୍କୁ ଭେଟି ସମ୍ପୂର୍ଣ୍ଣ ଘଟଣା ନେଇ ଆଲୋଚନା କରିଥିଲେ। ତଦନ୍ତରେ ଅର୍ଥନୈତିକ ଶାଖାର ଅଧିକାରୀଙ୍କ ସହଯୋଗ ବି ରହିଥିଲା। ଏଣୁ ଠକେଇ ଟଙ୍କା ଫେରିପାଇବାର ଆଶା ରଖିଛନ୍ତି ବିଜୟଲକ୍ଷ୍ମୀ। ସୂଚନାଯୋଗ୍ୟ, ନିକଟରେ ମାନ୍ୟବର ସୁପ୍ରିମକୋର୍ଟ ବିବାଦୀୟ ହୋଟେଲ ନୀଳାଚଳ ଅଶୋକ ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ପୂର୍ବରୁ ଯେଉଁ ଟେଣ୍ଡର ହୋଇଥିଲା ତାକୁ ବାତିଲ୍‌ କରିବା ନିଷ୍ପତ୍ତିକୁ କାଏମ ରଖିବା ସହ ଟେଣ୍ଡର ନେଇଥିବା ସଂସ୍ଥାକୁ ଜମା ଟଙ୍କା ଫେରସ୍ତ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe