ଚାକିରି ଦେବା ଆଳରେ କୋଟିଏ ଟଙ୍କା ଠକେଇ: ନକଲି ବିଏସ୍ଏ‌ନ୍ଏ‌ଲ୍‌ ଡିଜିଏମ୍‌ ଗିରଫ

Advertisment
ଚାକିରି ଦେବା ଆଳରେ କୋଟିଏ ଟଙ୍କା ଠକେଇ: ନକଲି ବିଏସ୍ଏ‌ନ୍ଏ‌ଲ୍‌ ଡିଜିଏମ୍‌ ଗିରଫ

ବରଗଡ଼: ଚାକିରି ଲୋଭ ଦେଖାଇ ପାଖାପାଖି କୋଟିଏ ଟଙ୍କା ଠକିଥିବା ଅଭିଯୁକ୍ତ ପୁଲିସ୍‌ ହାତରେ ଧରାପଡ଼ିଛି। ଗିରଫ ଯୁବକ ଜଣକ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଡଙ୍ଗରପଡ଼ାର ନିତାଇଗୌର ବାରିକ। ସେ ନିଜକୁ ବିଏସ୍ଏ‌ନ୍ଏ‌ଲ୍‌ ଡିଜିଏମ୍‌ ଭାବେ ପରିଚୟ ଦେଇ ବେକାର ଯୁବକଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଇ ଠକୁଥିଲା। ନିତାଇ ଫେସ୍‌ବୁକ୍‌ରେ ଦୁଇଟି ନକଲି ଆକାଉଣ୍ଟ ଖୋଲିଥିଲା। ଗୋଟିଏରେ ସେ ନିଜକୁ ଜିଆର୍‌ ବାରିକ ଏବଂ ସମ୍ବଲପୁର ଜୋନ୍‌ ବିଏସ୍ଏ‌ନ୍ଏ‌ଲ୍‌ ଡିଜିଏମ୍‌ ଏବଂ ଅନ୍ୟଟିରେ ସ୍ନେହିକା ପ୍ରଧାନ ନାମ ରଖି ଷ୍ଟାଟସ୍‌ରେ ଏଜିଏମ୍‌ ବୋଲି ରଖିଥିଲା। ଫେସ୍‌ବୁକ୍‌ରେ ପିଲାଙ୍କୁ ବିଏସ୍ଏ‌ନ୍ଏ‌ଲ୍‌ରେ ସୁପରଭାଇଜର, କିରାଣି ଆଦି ଚାକିରି କରାଇ ଦେବା ପାଇଁ ଚାଟିଂରେ କହୁଥିଲା। ମେସେଞ୍ଜର ଜରିଆରେ ଚାଟିଂ କରୁଥିବା ପିଲାଙ୍କୁ ସାର୍ଟିଫିକେଟ୍‌ ନକଲ ମାଗି ବିଭିନ୍ନ ହୋଟେଲକୁ ଡାକି ସାକ୍ଷାତକାର ନେଉଥିଲା। ଚାକିରି ସଂପର୍କରେ କାହାକୁ ନ ଜଣାଇବ‌ା ସର୍ତ୍ତ ରଖି ପିଲାଙ୍କୁ ଆକାଉଣ୍ଟ ନମ୍ବର ଦେଉଥିଲା। ପରେ ଫୋନ୍‌ ପେ ଜରିଆରେ ଟଙ୍କା ଆଦାୟ କରୁଥିଲା। ଫୋନ୍‌ ପେରେ ଟଙ୍କା ଦେଲେ ପ୍ରାର୍ଥୀମାନଙ୍କ ପାଖରେ ତାହାର ପ୍ରମାଣ ରହିବ ବୋଲି ସେ ଭରସା ଦେଉଥିଲା। ପରେ ସେ ପିଲାଙ୍କୁ ବିଏସ୍‌ଏନ୍‌ଏଲ୍‌ର ନକଲି ନିଯୁକ୍ତିପତ୍ର ଓ ଜଏନିଂ ଲେଟର୍‌ ଦେଉଥିଲା।

ଜଣ ଜଣକଠାରୁ ସେ ୫ ରୁ ୬ ଲକ୍ଷ ଟଙ୍କା ଅସୁଲ କରୁଥିଲା। ପରେ ପିଲାମାନେ ଠକେଇର ଶିକାର ହେଉଥିବା ଜାଣୁଥିଲେ। ପୁଲିସ୍‌ ନିତାଇ ପାଖରୁ ଗୋଟିଏ ଡାଏରି ଜବତ କରିଛି। ସେଥିରୁ ୫୬ ଜଣଙ୍କଠାରୁ ଫୋନ ପେ, ଗୁଗୁଲ ପେ ମାଧ୍ୟମରେ ପ୍ରାୟ ୫୦ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ପୁଲିସ୍‌ ନକଲି ନିଯୁକ୍ତିପତ୍ର, ନକଲି ଜଏନିଂ ଲେଟର, ଟେଲିକମ୍‌ ବିଭାଗର ନକଲି ପରିଚୟପତ୍ର , ନଗଦ ୧୩,୫୫୦ ଟଙ୍କା, ବିଭିନ୍ନ ବ୍ୟାଙ୍କ ଚେକ୍‌ ବୁକ୍‌, ଷ୍ଟାମ୍ପ, ଏଗ୍ରିମେଣ୍ଟ କପି ଏବଂ ଅନ୍ୟ କାଗଜପତ୍ର ଜବତ କରିଛି। ତାକୁ ରାଉରକେଲାରୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ବିଶେଷକରି ସୋନପୁର, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଜିଲ୍ଲାର ଯୁବକଯୁବତୀ ଠକେଇର ଶିକାର ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ତପନ ମହାନ୍ତି, ଏସ୍‌ଡିପିଓ ପୋଦାରବିନ୍ଦ ତ୍ରିପାଠୀ, ଥାନାଧିକାରୀ ମାନସ ଭୋଇ, ଏସ୍‌ଆଇ ମଙ୍ଗଳ କିସକୋ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe