ଅଗଷ୍ଟ ୫ ସୁଦ୍ଧା ସ୍କୁଲ ପିଲାଙ୍କୁ ମାଗଣା ପୋଷାକ, ଜୋତା: ପୋଷାକ ରଙ୍ଗ ବଦଳିବନି

Advertisment
ଅଗଷ୍ଟ ୫ ସୁଦ୍ଧା ସ୍କୁଲ ପିଲାଙ୍କୁ ମାଗଣା ପୋଷାକ, ଜୋତା: ପୋଷାକ ରଙ୍ଗ ବଦଳିବନି

School Shoes

ଭୁବନେଶ୍ବର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଓ ଉଚ୍ଚ ବିଦ୍ୟାଳୟ(୬ଷ୍ଠରୁ ଅଷ୍ଟମ)ର ସମସ୍ତ ଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ, ଏସ୍‌ସି ଓ ଏସ୍‌ଟି ବିଭାଗ ଅଧୀନ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଓ ଜୋତା ବଣ୍ଟାଯିବ। ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଜଣେ ପିଲା ପିଛା ୪୦୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ। ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌, ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ସ୍ବାଧୀନତା ସଂଗ୍ରାମୀଙ୍କ ଉପସ୍ଥିତିରେ ଅଗଷ୍ଟ ୫ ସୁଦ୍ଧା ପୋଷାକ/ଜୋତା ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ନିର୍ଦେଶ ଦେଇଛନ୍ତି।

ଚଳିତବର୍ଷ ପୋଷାକର ରଙ୍ଗ ଓ ପରିପାଟୀରେ କୌଣସି ପରିବର୍ତ୍ତନ ହେବନାହିଁ। ସମସ୍ତ ଛାତ୍ରଙ୍କ ଲାଗି ନୀଳ ପ୍ୟାଣ୍ଟ ଓ ଧଳା ସାର୍ଟ, ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନୀଳ ଫ୍ରକ୍‌ ଓ ଷଷ୍ଠରୁ ୮ମ ଶ୍ରେଣୀର ଛାତ୍ରୀଙ୍କୁ ନୀଳ କମିଜ୍‌ ଓ ଧଳା ସାଲୱାର ଦିଆଯିବ। ଛାତ୍ରଛାତ୍ରୀଙ୍କୁ କଳା ରଙ୍ଗର ଜୋତା ଓ ଦୁଇ ହଳ ଧଳା ମୋଜା ବଣ୍ଟନ ହେବ। ଯେଉଁ ମାଧ୍ୟମିକ ବିଦ୍ୟାଳୟରେ ୮ମ କିମ୍ବା ତଳ ଶ୍ରେଣୀ ଥିବ, ସେଠାରେ ଏହି ପୋଷାକ କୋଡ୍‌ ଲାଗୁ ହେବନାହିଁ। ସେଠାକାର ପିଲାମାନେ ନିଜ ବିଦ୍ୟାଳୟ ଲାଗି ଉଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବେ। ପ୍ରତ୍ୟେକ ସାର୍ଟ, ପ୍ୟାଣ୍ଟ ଓ ଫ୍ରକ୍‌ର କଲରରେ ୨୦୨୨ ଲେଖାଯାଇଥିବା ସ୍ଥାୟୀ ଟ୍ୟାଗ୍‌ ଲାଗିବ।

ଦୁଇ ହଳ ପୋଷାକକୁ ୪୦୦ ଟଙ୍କା
ହଳେ ଜୋତା, ଦୁଇ ହଳ ମୋଜା ପାଇଁ ୨୦୦
ନିମ୍ନମାନର ସାମଗ୍ରୀ ବଣ୍ଟନ କଲେ କାର୍ଯ୍ୟାନୁଷ୍ଠାନ

publive-image The Hindu

ପୋଷାକ ଓ ଜୋତା ଲାଗି ୫ ହଜାର ଟଙ୍କା କିମ୍ବା ତା’ଠାରୁ କମ୍‌ ରାଶି ଜମା ହୋଇଥିବା ବିଦ୍ୟାଳୟ ଲାଗି ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି)ର ସଦସ୍ୟମାନେ ନିକଟସ୍ଥ ବଜାରକୁ ଯାଇ ନିର୍ଦ୍ଧାରିତ ମୂଲ୍ୟରେ ଗୁଣବତ୍ତା ବିଶିଷ୍ଟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ/ବିତରକଙ୍କୁ ଚିହ୍ନଟ କରିବେ। ଏସ୍‌ଏମ୍‌ସି ଅଧିବେଶନରେ ଦୋକାନୀ/ବିତରକଙ୍କ ନାମ ପ୍ରସ୍ତାବ ଦେବେ ଏବଂ ସଦସ୍ୟଙ୍କ ଅନୁମୋଦନକ୍ରମେ ସଠିକ୍‌ ମୂଲ୍ୟରେ ଉପଯୁକ୍ତ ସାମଗ୍ରୀ ବରାଦ ଦିଆଯିବ। ୫ ହଜାର ଟଙ୍କାରୁ ଅଧିକ ପୋଷାକ/ଜୋତା ଲାଗି ଏସ୍‌ଏମ୍‌ସି ଖୋଲା ବଜାରରୁ ପୋଷାକ/ଜୋତା କିଣିବା ସକାଶେ ୩ଟି ଭିନ୍ନ ଭିନ୍ନ ଦ୍ରବ୍ୟ ଓ ସେବାକର ପଞ୍ଜୀକୃତ ବିତରକଙ୍କଠାରୁ କୋଟେସନ୍‌ ସଂଗ୍ରହ କରିବେ। ଏସ୍‌ଏମ୍‌ସି ଅଧିବେଶନରେ ଉକ୍ତ କୋଟେସନ୍‌ ଯାଞ୍ଚ କରାଯିବ। ସବୁଠାରୁ କମ୍‌ ମୂଲ୍ୟର କୋଟେସନ୍‌କୁ ବୈଠକରେ ଅନୁମୋଦନ କରାଯିବ। ଏସ୍‌ଏମ୍‌ସି କମିଟି ଆକାଉଣ୍ଟକୁ ସାମଗ୍ରୀ ବାବଦ ଅର୍ଥ ଯୋଗାଇ ଦିଆଯିବ ଏବଂ ସେମାନେ ବିତରଣ ଦାୟିତ୍ବ ବହନ କରିବେ। କିଣିବା ବା ତିଆରି କରି ବିତରଣରେ ଯେପରି ସାଧୁତା, ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରାଯିବ, ସେନେଇ ଡିଇଓ, ଡିପିସି, ବିଇଓ, ଏବିଇଓ, ସିଆରସିସି ନଜର ରଖିବେ।

ପ୍ରଧାନଶିକ୍ଷକ ନିଜ ପାଖରେ ଗୋଟିଏ ହଳ ପୋଷାକ/ଜୋତା ନମୁନା ଭାବେ ରଖିବେ। ଏଥିପାଇଁ ଡିଇଓ/ଡିପିସି ତଥ୍ୟ ସଂଗ୍ରହ କରିବେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପିଲା ଉତ୍ତମମାନର ପୋଷାକ/ଜୋତା ପାଇଛନ୍ତି ବୋଲି ଏକ ପ୍ରମାଣପତ୍ର ଦେବେ। ପ୍ରଧାନଶିକ୍ଷକଙ୍କ ପ୍ରମାଣପତ୍ରକୁ ଆଧାର କରି ପ୍ରତି ବ୍ଲକ ଶିକ୍ଷା ଅଧିକାରୀ ଏକ ସାର୍ଟିଫିକେଟ୍‌ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ‌ପଠାଇବେ। ସେହି ଅନୁଯାୟୀ ଛାତ୍ରଛାତ୍ରୀ ଉତ୍ତମମାନର ପୋଷାକ ପାଇଛନ୍ତି ବୋଲି ଡିପିସି ଏକ ସାର୍ଟିଫିକେଟ୍‌ ଓସେପାକୁ ପଠାଇବେ। ଜଣେ ବି ପିଲା ଯେପରି ପୋଷାକ/ଜୋତା ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ନିମ୍ନମାନର ସାମଗ୍ରୀ ବଣ୍ଟନ କିମ୍ବା ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବା ନଜରକୁ ଆସି‌ଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe