ବରିଷ୍ଠ ନାଗରିକ ଦିବସ: ଆରଏମ‌ସି ଓ ଏସ୍‌ଏସ‌ଇପିଡି ପକ୍ଷରୁ ନିଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

Advertisment
ବରିଷ୍ଠ ନାଗରିକ ଦିବସ: ଆରଏମ‌ସି ଓ ଏସ୍‌ଏସ‌ଇପିଡି ପକ୍ଷରୁ ନିଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ରାଉରକେଲା: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ସ୍ଥାନୀୟ ସନ୍ଥ ନିରଙ୍କାରୀ ସତ‌ସଙ୍ଗ ଭବନ ପରିସରରେ ନିଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ରାଉରକେଲା ମହାନଗର ନିଗମ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ସୁନ୍ଦରଗଡ଼ ପକ୍ଷରୁ ଆୟୋଜିତ ଏହି ଶିବିରକୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ଜନୈକ ବରିଷ୍ଠ ନାଗରିକ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାନଗର ନିଗମର ଉପ ଆୟୁକ୍ତ ସୁଧାଂଶୁ ଭୋଇ ଏବଂ ସହକାରୀ ଆୟୁକ୍ତ ସୁକାନ୍ତ ବେଉରା ଉପସ୍ଥିତ ଥିଲେ।

ଏହି ସ୍ବାସ୍ଥ୍ୟ ପରୀକ୍ଷଣ ଶିବିରରେ ପ୍ରାୟ ୨୫୦ ବରିଷ୍ଠ ନାଗରିକ ନିଜ ନାମ ପଞ୍ଜିକୃତ କରିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହି ଶିବିରରେ ନାସା, କର୍ଣ୍ଣ ଓ ଗଳା, ଚକ୍ଷୁ, ସର୍ଜରୀ, ମେଡିସିନ୍, ଅସ୍ଥିଶଲ୍ୟ ଭଳି ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଦେଇଥିଲେ। ଏହି ଅବସରରେ ଏକ ସଭାର ମଧ୍ୟ ଆୟୋଜନ କରାଯାଇଥିଲା। ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ। ଏହା ସହିତ ସେମାନଙ୍କ ଅଧିକାର ଏବଂ ବେଦବ୍ୟାସ ନିକଟରେ ନିର୍ମାଣାଧୀନ ଥିବା ଜରାଶ୍ରମ ସମ୍ପର୍କରେ ଉପସ୍ଥିତ ବରିଷ୍ଠ ନାଗରିକଙ୍କୁ ସୂଚିତ କରିଥିଲେ।

publive-image

ଏତଦ‌ବ୍ୟତୀତ ଯୋଗ୍ୟ ହିତାଧିକାରୀମାନେ କିଭଳି ସୁବିଧାରେ ବାର୍ଦ୍ଧକ୍ୟ ଭତ୍ତା ପାଇପାରିବେ ସେ ନେଇ ମଧ୍ୟ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ବିଶି ଉପସ୍ଥିତ ରହି ବରିଷ୍ଠ ନାଗରିକଙ୍କ ଆଇନଗତ ଅଧିକାର ସମ୍ପର୍କରେ ଅବଗତ କରାଇଥିଲେ। ଅନୁଷ୍ଠିତ ଏହି ସଭାରେ ମହାନଗର ନିଗମର ଉପ ଆୟୁକ୍ତ, ସହକାରୀ ଆୟୁକ୍ତଙ୍କ ସମେତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୀନୁ ପାଣ୍ଡିଆ, ପ୍ରଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚେତାବନୀ ବଡ଼ାଇକ୍ ଉପସ୍ଥିତ ଥିଲେ। ତେବେ ମହାନଗର ନିଗମ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣର ବିଭାଗର ଏଭଳି କାର୍ଯ୍ୟକ୍ରମକୁ ନେଇ ବେଶ୍‌ ଖୁସି ବ୍ୟକ୍ତ କରିବା ସହ ସାଧୁବାଦ ଜଣାଇଥିଲେ ବରିଷ୍ଠ ନାଗରିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe