ଗରିବ ଶିଶୁଙ୍କ ମାଗଣା ହୃଦ୍‌ରୋଗ ଚିକିତ୍ସା ଆହୁରି ୨ ବର୍ଷ

Advertisment
‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ପୁରୀ ଦେଶରେ ପ୍ରଥମ

The Hans India

ରାଜ୍ୟ ସରକାର ଓ ପିଏମ୍‌ଏସ୍‌ଆରଏଫ୍ ଚୁକ୍ତି ସଂପ୍ରସାରିତ
ଏ ଯାଏ ୧୦୧୯ ଶିଶୁଙ୍କ ହେଲାଣି ହୃଦ୍ ଅସ୍ତ୍ରୋପଚାର

ଭୁବନେଶ୍ୱର : ଅହମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ରାଜ୍ୟର ଗରିବ ଶିଶୁମାନଙ୍କ ମାଗଣା ହୃଦ୍‌ରୋଗ ଚିକିତ୍ସା ଜାରି ରହିଥିବା ବେଳେ ଏନେଇ ପ୍ରଶାନ୍ତି ମେଡିକାଲ ସେବା ଓ ଗବେଷଣା ଫାଉଣ୍ଡେସନ୍‌ ସହ ରାଜ୍ୟ ସରକାରଙ୍କ ହୋଇଥିବା ଚୁକ୍ତିକୁ ଆଜି ସଂପ୍ରସାରଣ କରାଯାଇଛି। ଫଳରେ ଆହୁରି ୨ବର୍ଷ ପାଇଁ ରାଜ୍ୟର ଗରିବ ଶିଶୁ ମାଗଣାରେ ହୃଦ୍‌ରୋଗ ଚିକିତ୍ସା ପାଇପାରିବେ।

୨୦୧୮ ମସିହାରେ ଅନୁଷ୍ଠାନ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏଥିରେ ରାଜ୍ୟରେ ହୃଦ୍‌ରୋଗର ଶିକାର ଶିଶୁଙ୍କୁ ଚିହ୍ନଟ କରାଯାଇ ସତ୍ୟସାଇ ହାର୍ଟ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରାଯାଉଛି। ଅସ୍ତ୍ରୋପଚାର ପୂର୍ବରୁ ଓ ପରବର୍ତୀ ସମୟରେ ଆବଶ୍ୟକ ଷ୍ଟେଣ୍ଟ୍‌, କଏଲ, ଔଷଧ ସହିତ ଅନ୍ୟାନ୍ୟ ଜିନିଷ ଫାଉଣ୍ଡେସନ୍ ବହନ କରୁଛି। ଶିଶୁମାନଙ୍କ ଗମନାଗମନ ଖର୍ଚ ମଧ୍ୟ ସରକାର ବହନ କରୁଛନ୍ତି। ଏ ପର୍ଯ୍ୟନ୍ତ ୧୦୧୯ ଶିଶୁଙ୍କ ହୃଦ୍‌ରୋଗ ଅସ୍ତ୍ରୋପଚାର ହୋଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି। ତେବେ ରାଜ୍ୟରେ କରୋନା ସ୍ଥିତି ସୁଧୁରିବା ପରେ ଦ୍ବିତୀୟ ପର୍ଯ୍ୟାୟର ଶିଶୁଙ୍କୁ ହସ୍ପିଟାଲକୁ ପଠାଯିବ ବୋଲି ସୂଚନା ଦିଆଯାଇଛି।

ଚୁକ୍ତିସ୍ବାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ବିନିତ ସରଣ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍, ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କଳ୍ପେଶ ଜାଭେରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଭିନ୍ନ ସୁବିଧା ସୁଯୋଗର ବଞ୍ଚିତ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ। ପୂର୍ବରୁ ପିଏମ୍‌ଏସ୍‌ଆରଏଫ୍‌ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ହଜାରରୁ ଅଧିକ ଶିଶୁଙ୍କ ଚିକିତ୍ସା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକଟ କରିଥିଲେ। ତେଣୁ ସଂସ୍ଥା ସହ ହୋଇଥିବା ଚୁକ୍ତିକୁ ଆହୁରି ୨ବର୍ଷ ପାଇଁ ସଂପ୍ରସାରଣ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

ଜଷ୍ଟିସ୍ ମହମ୍ମଦ ରଫିକ୍ କହି‌ଲେ, ମାନବ ସେବାଠାରୁ ବଡ଼ କୌଣସି ଧର୍ମ ନାହିଁ। ରାଜ୍ୟ ସରକାର ଓ ସତ୍ୟସାଇ ହାର୍ଟ ହସ୍ପିଟାଲର ଏଭଳି କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ। ଜଷ୍ଟିସ୍ କେ.ସ୍ ଜାଭେରୀ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସତ୍ୟସାଇ ହାର୍ଟ ହସ୍ପିଟାଲର ପରିଚାଳନା ଟ୍ରଷ୍ଟି ମନୋଜ ଭିମାନି ହସ୍ପିଟାଲର କାର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ସ୍ବାଗତ ଭାଷଣ ଦେଇଥି‌ବା ବେଳେ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଧନ୍ୟବାଦ ଦେଇଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe