Mint
ବାଲେଶ୍ବର : କରୋନା ମହାମାରୀର ଦ୍ବିତୀୟ ଲହର ଦିନକୁଦିନ ଭୟାନକ ହେଉଥିବା ବେଳେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ଲୋକଙ୍କ ପାଇଁ ୨ ମାସର ମାଗଣା ରାସନ ବ୍ୟବସ୍ଥା କରିଛନ୍ତି। ଆଜି ଅର୍ଥାତ୍ ମେ ୧ ତାରିଖ ଠାରୁ ହିତାଧିକାରୀମାନଙ୍କୁ ଏହା ଯୋଗାଇ ଦିଆଯିବ। ମେ ଏବଂ ଜୁନ୍ ମାସ ପାଇଁ ମାସିକ ମୁଣ୍ଡପିଛା ୫କେଜି ଖାଦ୍ୟଶସ୍ୟ ମାଗଣାରେ ପାଇବେ ହିତାଧିକାରୀ।
ଏହାଦ୍ବାରା ବାଲେଶ୍ବର ଜିଲ୍ଲାରେ ପାଖାପାଖି ୧୯ଲକ୍ଷ ଲୋକ ଉପକୃତ ହେବେ। ଜିଲ୍ଲାରେ ପାଖାପାଖି ୪ଲକ୍ଷ ୯୧ ହଜାର ୬ଶହ ଏନ୍ଏଫଏସ୍ କାର୍ଡଧାରୀ ଅଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନଙ୍କୁ ମିଳୁଥିବା ମାସିକ ରାସନ ବାଦ୍ ଏହି ଅତିରିକ୍ତ ରାସନ ସରକାର ଯୋଗାଇ ଦେଉଛନ୍ତି ବୋଲି ସୂଚନା ଦିଆଯାଇଛି। ଗତବର୍ଷ ସରକାରଙ୍କ ତରଫରୁ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ କରୋନା ସଂକ୍ରମଣ କମିବା ପରେ ମାଗଣା ରାସନ ଯୋଗାଣ ବନ୍ଦ ରଖାଯାଇଥିଲା। ପରେ ଦ୍ବିତୀୟ ଲହରର ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଯୋଜନାକୁ ପୁଣି ଆରମ୍ଭ କରିବାକୁ ଦାବି କରାଯାଇଥିଲା। ତେବେ ଏହିଭଳି ପରିସ୍ଥିତିରେ ଗରିବ ଲୋକଙ୍କୁ ପୁଷ୍ଟିକର ଖାଦ୍ୟଶସ୍ୟ ଯୋଗାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମେ ଓ ଜୁନ୍ ୨ ମାସ ପାଇଁ ଗରିବ ଲୋକଙ୍କୁ ଏହା ମାଗଣାରେ ଯୋଗାଇ ଦିଆଯିବା ଲାଗି ନିର୍ଦେଶ ଆସିଛି। ଏହାକୁ ସୂଚାରୁରୂପେ ତୁଲାଇବାକୁ ସମସ୍ତ ଯୋଜନା ପ୍ରସ୍ତୁତ ଥିବା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ କହିଛନ୍ତି।
Follow Us