ଭୁବନେଶ୍ବର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୃଦରୋଗ ଜନିତ ସମସ୍ୟା ଯୋଗୁଁ ଶ୍ରୀ ପଟ୍ଟନାୟକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏକ ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ବେଳେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ସୂଚନା ଅନୁସାରେ, ଆଜି ଭୋର ୪ଟାରେ ଶ୍ରୀ ପଟ୍ଟନାୟକ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡାକ୍ତର ଅଶୋକ ପଟ୍ଟନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି। ଏଥିରେ ଆଇସିୟୁ ଇନଚାର୍ଜଙ୍କ ସମେତ ହୃଦରୋଗ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ୫ଜଣିଆ ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆସନ୍ତାକାଲି ଆହୁରି କିଛି ପରୀକ୍ଷା କରାଯିବ। ରିପୋର୍ଟ ଆସିବା ପରେ ଡାକ୍ତରୀ ଦଳ ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଡା.ପଟ୍ଟନାୟକ ସୂଚନା ଦେଇଛନ୍ତି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଶ୍ରୀ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us