ପରଲୋକରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ

Advertisment
ପରଲୋକରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ, ସାରସ୍ୱତ ସାଧକ ଦୋଳଗୋବିନ୍ଦ ପ୍ରଧାନଙ୍କର ଗତକାଲି ବିଳମ୍ବିତ ରାତିରେ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ନିଷ୍ଠାପର ଗାନ୍ଧିବାଦୀ ଭାବେ ଜଣାଶୁଣା ଶ୍ରୀ ପ୍ରଧାନ ମାତ୍ର ୧୪ ବର୍ଷ ବୟରେ କାରାବରଣ କରି ସେତେବେଳେ ପ୍ରମୁଖ ଜାତୀୟ ନେତାମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ। ଶ୍ରୀ ପ୍ରଧାନଙ୍କ ପରଲୋକରେ ଭାରତ ଜଣେ ଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି ମତପ୍ରକାଶ ପାଇଛି। ଶ୍ରୀ ପ୍ରଧାନଙ୍କ ପରଲୋକ ଖବର ପ୍ରଚାରିିତ ହେବା ପରେ ବହୁ ରାଜନେତା, ବୁଦ୍ଧିଜୀବୀ ଓ ସ୍ୱାଧୀନତା ସଂଗ୍ରାମୀ ତାଙ୍କ ଭୁବନେଶ୍ୱର ବାସଭବନଠାରେ ପହଞ୍ଚି ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

publive-image
କଟକର ଗତିରାଉତ ପାଟଣାରେ ୧୯୨୯ ମସିହା ଜୁନ ୨୮ ତାରିଖରେ ଜନ୍ମ ନେଇଥିବା ଶ୍ରୀ ପ୍ରଧାନ ମହାତ୍ମା ଗାନ୍ଧିଙ୍କ ଭାରତ ଛାଡ଼ ଡାକରାରେ ଉଦ୍‌ବୁଦ୍ଧ ହୋଇ ମାତ୍ର ୧୪ ବର୍ଷ ବୟସରେ ଦେଶର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଏଥିପାଇଁ ୧୯୪୨ରୁ ୧୯୪୫ ମସିହା ପର୍ଯ୍ୟନ୍ତ ଶ୍ରୀ ପ୍ରଧାନ କାରାବରଣ କରିଥିଲେ। ଦେଶ ସ୍ୱାଧୀନତା ହେବା ପରେ ସେ ନିଜର ରାଜନେତିକ ଜୀବନ ଜଣେ ଓ୍ଵାର୍ଡ ମେମ୍ବରରୁ ଆରମ୍ଭ କରିଥିଲେ। ଓ୍ଵାର୍ଡ ମେମ୍ବରରୁ ନାଏବ ସରପଞ୍ଚ, ସରପଞ୍ଚ, ବ୍ଲକ୍‌ ଉପାଧ୍ୟକ୍ଷ, ବ୍ଲକ୍‌ ଅଧ୍ୟକ୍ଷ, ବିଧାୟକ ଓ ବିଧାୟକରୁ ମନ୍ତ୍ରୀ ହୋଇଥିବା ଶ୍ରୀ ପ୍ରଧାନ ନିଜ ବାସ୍ତବ ଜୀବନରେ କେବେ ଗାନ୍ଧିଙ୍କ ଆଦର୍ଶରୁ ବିଚ୍ୟୁତ ହୋଇ ନ ଥିଲେ। ୧୯୮୦ରୁ ୯୦ ମସିହା ମଧ୍ୟରେ ଶ୍ରୀ ପ୍ରଧାନ ଦୁଇ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେବା ସହିତ ନଗର ଉନ୍ନୟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ବାଲ୍ୟଜୀବନରୁ ଜାତୀୟ କବି ବୀରକିଶୋରଙ୍କ ସହିତ ଅତି ଘନିଷ୍ଠ ଭାବେ ମିଶିଥିବା ଶ୍ରୀ ପ୍ରଧାନ ଶ୍ରୀମଦଭଗବତ ଗୀତାର ପଦ୍ୟାନୁବାଦ କରିବା ସହିତ ନିଜସ୍ୱ ନିଷ୍ଠାପର ଉଦ୍ୟମରେ ଜାତୀୟକବି ବୀରକିଶୋର ଗ୍ରନ୍ଥାବଳୀ ପ୍ରକାଶନର ବ୍ୟବସ୍ଥା କରି ନିଜର ସାରସ୍ୱତ ସାଧନାର ପ୍ରମାଣ ଦେଇଛନ୍ତି। ତାଙ୍କ ରଚିତ ‘ଗାନ୍ଧୀକଥା’କୁ  ମହାତ୍ମା  ଗାନ୍ଧିଙ୍କ ଆଦର୍ଶ ଅାଧାରିତ ଏକ କାଳଜୟୀ ପୁସ୍ତକ ଭାବେ ପରିଗଣିତ ହୋଇଥାଏ।

ସ୍ୱର୍ଗତ ପ୍ରଧାନଙ୍କ ୪ ପୁଅ ଓ ପତ୍ନୀ ଅଛନ୍ତି। ଆଜି ଅପରାହ୍ଣରେ କଟକ ଗତିରାଉତପାଟଣାଠାରେ ସ୍ୱର୍ଗତ ପ୍ରଧାନଙ୍କର ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe