ଶତାୟୁ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କର ପରଲୋକ

ଶତାୟୁ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କର ପରଲୋକ

ନବରଙ୍ଗପୁର: ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ଶତାୟୁ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ନବରଙ୍ଗପୁର ଠାରେ ସ୍ୱର୍ଗତ ବାଜୀଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସଂପନ୍ନ କରାଯିବ ।

୧୯୧୭ ମସିହାରେ ଜନ୍ମ ହୋଇଥିବା ସ୍ୱର୍ଗତ ବାଜୀ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୧୯୩୦ ମସିହାରେ ସ୍କୁଲ ପାଠ ଛାଡି ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। ୧୯୪୧ରେ ସତ୍ୟାଗ୍ରହ ଆନ୍ଦୋଳନ କରି ସେ କାରାବରଣ କରିଥିଲେ। ୧୯୪୨ରେ ପାପଡ଼ାହାଣ୍ଡି ନିକଟସ୍ଥ ତୁରୀ ନଦୀ ତଟ୍‌ରେ ବ୍ରିଟିସ ପୋଲିସ ଗୁଳିରେ ସେ ଆହତ ହୋଇଥିଲେ। ଏହି ଗୁଳିକାଣ୍ଡରେ ୧୬ ଜଣ ସହିଦ ହୋଇଥିଲେ। ଗୁଳି ବିଦ୍ଧ ଶ୍ରୀ ବାଜୀଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଥିଲା। ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ ପାଇଁ ତାଙ୍କୁ ୭ବର୍ଷ କରାଦଣ୍ଡାଦେଶ ହୋଇଥିଲା। ଶହୀଦ ଲକ୍ଷ୍ମଣ ନାୟକଙ୍କର ସେ ଥିଲେ ପ୍ରେରଣାର ଉତ୍ସ। ପରେ ସେ ନବରଙ୍ଗପୁରର ବିଜାପୁରଠାରେ ଆଶ୍ରମ ପ୍ରତିଷ୍ଠା କରି ଜନସେବାରେ ସାରା ଜୀବନ ବିତାଇ ଦେଇଥିଲେ।

ସ୍ୱର୍ଗତ ବାଜୀ ବିନୋବା ଭାବେଙ୍କର ଭୂଦାନ ଆନ୍ଦୋଳନ ଏବଂ ଲୋକନାୟକ ଜୟପ୍ରକାଶଙ୍କର ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସେ ଜଣେ ଲଢୁଆ ସୈନିକ ଥିଲେ। ସାଂପ୍ରଦାୟିକ ସଦ୍‌ଭାବ ରକ୍ଷା ଓ ଗୋ ସୁରକ୍ଷା କ୍ଷେତ୍ରରେ ତାଙ୍କର ଅନନ୍ୟ ଯୋଗଦାନ ଥିଲା। ସେ ସଂପୂର୍ଣ୍ଣ ଶାକାହାରୀ ଥିଲେ ଏବଂ ସେ ସାରା ଜୀବନ ଅବିବାହିତ ଥିଲେ। ସେ ‘‘ବାଜୀ ଭାଇ’’ ରୂବେ ସୁପରିଚିତ ଥିଲେ।

ତାଙ୍କର ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ‘‘ଦେଶ ଜଣେ ମହାନ ଜନସେବକ, ଦେଶ ଭକ୍ତ ଓ ସଚ୍ଚା ଗାନ୍ଧିବାଦୀଙ୍କୁ ହରେଇଲା’’ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe