ଦିଲ୍ଲୀ ଦରବାରରେ ସ୍ଥାନ ପାଇଲେ ନୂଆପଡ଼ା ଜିଲ୍ଲା ଭେଲା ଗାଁର ସ୍ୱାଧୀନତା ସଂଗ୍ରାମୀ ଜଗଦୀଶ ପ୍ରସାଦ ଯୋଶୀ

Advertisment
ଦିଲ୍ଲୀ ଦରବାରରେ ସ୍ଥାନ ପାଇଲେ ନୂଆପଡ଼ା ଜିଲ୍ଲା ଭେଲା ଗାଁର ସ୍ୱାଧୀନତା ସଂଗ୍ରାମୀ ଜଗଦୀଶ ପ୍ରସାଦ ଯୋଶୀ

ନୂଆପଡ଼ା/କୋମନା : ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଦରବାରରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଭେଲା ଗାଁର ସ୍ବାଧୀନତା ସଂଗ୍ରାମୀ ଜଗଦୀଶ ପ୍ରସାଦ ଯୋଶୀ ସ୍ଥାନ ପାଇଛନ୍ତି। ଜିଲ୍ଲାର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ର ସ୍ଥାନ ପାଇଥିବାରୁ ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି। ୧୯୧୩ ଅକ୍ଟୋବର ୧୦ରେ ଭେଲା ଗାଁରେ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଯୋଶୀ ଜନ୍ମ ଗ୍ରହଣ କରିଥିଲେ। ଗାନ୍ଧିଜୀଙ୍କ ଆହ୍ବାନରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସ୍କୁଲରୁ ତଡ଼ା ଖାଇ ଉଚ୍ଚଶିକ୍ଷାରୁ ବ‌ଞ୍ଚିତ ହୋଇଥିଲେ।

୧୯୩୦ ସାଲିହା ଗୁଳିକାଣ୍ତରେ ସାମିଲ ହୋଇ ଇଂରେଜମାନଙ୍କ ସହ କଡ଼ା ମୁକାବିଲା କରି ଲାଠି ମାଡ଼ ଖାଇଥିଲେ। ପରେ ପ୍ରାଥମିକ କଂଗ୍ରେସ କମିଟିର ସଭାପତି ହୋଇଥିଲେ। ସେ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହୋଇଥିଲେ। ୧୯୩୬ରେ ଓଡ଼ିଶା ପ୍ରଦେଶ ଗଠନ ବେଳେ କମିସନର ନୀଳମଣି ସେନାପତିଙ୍କ ସହ ମିଶି ଗାଁ ଗାଁ ବୁଲି ଲୋକଙ୍କୁ ପ୍ରବର୍ତ୍ତାଇବା ସହ ସଚେତନ କରିଥିଲେ। ୧୯୩୯ରେ କୋମନା ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ହରିଜନମାନଙ୍କୁ ପ୍ରବେଶ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୧୯୪୨ ଅଗଷ୍ଟ ୯ରେ କୋମନା ଅଞ୍ଚର ସମସ୍ତ ଗାଁରେ ସାମୂହିକ ଜାତୀୟ ପତାକା ଉତ୍ତୋଳନରେ ନେତୃତ୍ବ ନେଇଥିଲେ। ୧୯୪୪ରେ ଡମଝର କେସ୍‌କୁ ନିଜ ହାତକୁ ନେଇ ଖଡ଼ିଆଳ ରାଜାଙ୍କ ବିରୋଧରେ ସମ୍ବଲପୁର କୋର୍ଟରେ ମାମଲା ଦାୟର କରିଥିଲେ। ୧୯୪୭ ଏହି ଅଞ୍ଚଳରେ ତାଙ୍କର ନେତୃତ୍ବରେ ସ୍ବାଧୀନତା ଦିବସ ପାଳନ ହୋଇଥିଲା।

ଭାରତ ସ୍ବାଧୀନତା ପରେ ଭେଲା ପଞ୍ଚାୟତରେ ପ୍ରଥମ ସରପ‌ଞ୍ଚ ନିର୍ବାଚିତ ହୋଇଥିଲେ। ୧୯୫୧ରେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ସାମିଲ ହୋଇ ଜମିଦାର ଓ ଧନୀ ଶ୍ରେଣୀର ଲୋକଙ୍କ ଜମିକୁ ଦାନରେ ଗ୍ରହଣ କରି ଜମିହୀନଙ୍କ ମଧ୍ୟରେ ବଣ୍ଟିବା ଆରମ୍ଭ କରିଥିଲେ। ଏ ଦିଗରେ ସେ ବହୁ କାର୍ଯ୍ୟ କରିଥିଲେ। ୧୯୯୨ରେ ଅଗଷ୍ଟ ବିପ୍ଲବ ସଂଗ୍ରାମ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସେ ସମ୍ମାନିତ ହୋଇଥିଲେ। ୧୯୯୪ ଡିସେମ୍ବର ୨୦ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe