ବିଧାନସଭାରୁ...

Advertisment
ମହାନଦୀ ପାଇଁ ଗୃହ ଅଚଳ, ଆଲୋଚନା ଦାବି କଲେ ନରସିଂହ

ଆମେ ଚିରସ୍ରୋତା ନଦୀ
ଶୂନ୍ୟକାଳରେ ବିଧାୟକମାନେ ନିଜ ଦରମା, ଭତ୍ତା ବଢ଼ିବା ପାଇଁ ଯୁକ୍ତି ଉପସ୍ଥାପନ କରୁଥିଲେ। ତାରା ବାହିନୀପତି କହିଲେ, ‘ଆମ ଦରମା, ଭତ୍ତା ବଢ଼ିବା ଦରକାର। ଆମେ ଲୋକଙ୍କ ପାଇଁ କାମ କରୁଛୁ। ଦରମା ବଢ଼ିଲେ ତାହାକୁ ଆମେ ଘରକୁ ନେବୁନି। ଆମେ ଚିରସ୍ରୋତା ନଦୀ। ଟଙ୍କା ଆସୁଥିବ... ଯାଉଥିବ।’ ସେମିତି ପଦ୍ମନାଭ ବେହେରା କହିଲେ, ବିଧାୟକମାନେ କେତେ ଅସୁବିଧା ଭୋଗନ୍ତି, ତାହା କହିହେବନି। ଅଳପ ଧନ- ବିକଳ ମନ। ପୁଣି ଅଭାବେ ସ୍ବଭାବ ନଷ୍ଟ ହୋଇପାରେ। ତେଣୁ ଦରମା, ଭତ୍ତା ବଢ଼ାଇବାର ବ୍ୟବସ୍ଥା କରାଯାଉ। ବିଷ୍ଣୁ ସେଠୀ କହିଥିଲେ, ଅଜାଗା ଘା’- କାହାକୁ ଦେଖାଇ ହେଉନି। କିନ୍ତୁ ତାହାର ପ୍ରଚଣ୍ଡ ପ୍ରଭାବ ସହ୍ୟ କରିହେଉନି। ଦରମା, ଭତ୍ତା ବଢ଼ାଇବା ନିହାତି ଦରକାର ହେଉଛି।

publive-image

ଏବେ ଅଟୋ ଚଳାଉଛ, ମେଟ୍ରୋ କେବେ
ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନାରେ ଭାଗ ନେଇ ବରିଷ୍ଠ କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ ତାଙ୍କ ପାରମ୍ପରିକ ଶୈଳୀରେ ସରକାରଙ୍କୁ ଭର୍ତ୍ସନା କରୁଥିଲେ। ଭୁବନେଶ୍ବର ପାଇଁ ସରକାର ବହୁତ ଘୋଷଣା କରି କିଛି କରୁନାହାନ୍ତି ବୋଲି ଆରୋପ ଲଗାଇଥିଲେ। ଭୁବନେଶ୍ବରରେ ମେଟ୍ରୋ ଗଡ଼ିବ ବୋଲି ବହୁ ଦିନ ତଳେ ସରକାର କହିଥିଲେ। କିନ୍ତୁ ଏବେ ଦେଖିଲା ବେଳକୁ ୨/୪ଟି ଅଟୋ ସେବା ଆରମ୍ଭ କରିଛନ୍ତି। ଯଦି ଏବେ ଅଟୋ ଚଳାଉଛ, ତୁମେ ମେଟ୍ରୋ କେବେ ଚଳାଇବ? ଯଦି ପଇସା ନାହିଁ, ଏତେ କଥା କାହିଁକି କହୁଛ ବୋଲି ଶ୍ରୀ ରାଉତରାୟ କହିଥିଲେ। ଭୁବନେଶ୍ବରରେ ବହୁ ବିକାଶମୂଳକ କାର୍ଯ୍ୟ ଜେ ବି ପଟ୍ଟନାୟକ କରିଥିଲେ। ତାଙ୍କ ପରେ କିଛି ହେଉ ନାହିଁ ସେ କହିଥିଲେ।

ମହତାବଙ୍କର କ’ଣ କିଛି ଅବଦାନ ନାହିଁ?
ଭୁବନେଶ୍ବରରେ ହରେକୃଷ୍ଣ ମହତାବଙ୍କ ସ୍ମୃତି ରକ୍ଷା ପାଇଁ ସରକାର କିଛି ବଡ଼ ପଦକ୍ଷେପ ନେଉ ନଥିବାରୁ ଆଜି ଉଦ୍‌ବେଗ ପ୍ରକାଶ କରିଥିଲେ ସୁରେଶ ରାଉତରାୟ। ଗୃହରେ ସେ ଗର୍ଜନ କରି କହିଥିଲେ, ଭୁବନେଶ୍ବରରେ ସବୁ ବିଜୁ ପଟ୍ଟନାୟକଙ୍କ ନାମରେ ଚାଲିଛି। ବିଜୁ ପଟ୍ଟନାୟକ କ’ଣ ଏକା ସବୁ କରିଥିଲେ। ପାଇଖାନା ଠାରୁ ଆରମ୍ଭ କରି ପାର୍କ ଯାଏ ସବୁ ତାଙ୍କରି ନାମରେ ହେଉଛି। ହରେକୃଷ୍ଣ ମହତାବ କ’ଣ ଭୁବନେଶ୍ବର ପାଇଁ କିଛି କରି ନଥିଲେ? ତାଙ୍କ ଅବଦାନକୁ ସରକାର କାହିଁକି ମନେ ପକାଉ ନାହାନ୍ତି? ରାଜମହଲ ଛକରେ ତାଙ୍କର ଗୋଟିଏ ପ୍ରତିମୂର୍ତ୍ତି ଥିଲା। ତାହାକୁ ବି ନେଇ ବିଜେବି ନଗର ପାର୍କରେ ସ୍ଥାପନ କରାଯାଇଛି। ଏହା ଠିକ୍ ନୁହେଁ ବୋଲି ସେ ଚେତାଇ ଦେଇଥିଲେ।

publive-image

ପୁଣି ନିରଞ୍ଜନ-ମୋହନ କଥା କଟାକଟି
ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଅନୁଦାନ ଉପରେ ରାଜ୍ୟ ବଜେଟ୍ ନିର୍ଭରଶୀଳ। ଉତ୍ତର ଦେଲା ବେଳେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଖଣ୍ଡନ କରିଥିଲେ। ଶ୍ରୀ ମାଝୀଙ୍କ ମନ୍ତବ୍ୟ ନିରାଧାର ବୋଲି କହିଥିଲେ। ଫଳରେ ପଏଣ୍ଟ୍ ଅଫ୍ ଅର୍ଡର୍ ଜରିଆରେ ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି ଶ୍ରୀ ମାଝୀ କହିଥିଲେ, ମନ୍ତ୍ରୀ ‘ନିରାଧାର’ ବୋଲି କହିପାରିବେନି। କେନ୍ଦ୍ରର ଶୂନ୍ୟ ସହାୟତାରେ ରାଜ୍ୟ ସରକାର କାମ କରୁଛନ୍ତି କି? କିନ୍ତୁ ମନ୍ତ୍ରୀ କହିଥିଲେ, ମୁଁ କେନ୍ଦ୍ରର ଅନୁଦାନକୁ ନିରାଧାର କହିନି। ତାହା ଆମ ହକ୍, ଆମେ ପାଉଛୁ। କେନ୍ଦ୍ର ଅନୁଦାନ ଉପରେ ରାଜ୍ୟ ବଜେଟ୍ ‘ନିର୍ଭରଶୀଳ’ ବୋଲି ଯାହା କୁହାଯାଉଛି, ତାହା ‘ନିରାଧାର’।

ପର୍ଯ୍ୟଟନ ମନ୍ତ୍ରୀ ହୋମ୍‌ୱାର୍କ କରନ୍ତୁ
ବିଧାନସଭାର ପ୍ରଶ୍ନକାଳରେ ସନ୍ତୋଷ ସିଂହ ସାଲୁଜା ପ୍ରଶ୍ନ ଅନୁଯାୟୀ ପର୍ଯ୍ୟଟନ ବିଭାଗର ଉତ୍ତର ଦିଆଯାଉ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ଉଦ୍ଦେଶ୍ୟରେ କହିଥିଲେ, ଅଫିସରମାନେ ଯେଉଁ ଉତ୍ତର ଲେଖିକି ଦେଉଛନ୍ତି ତାହାକୁ ଆପଣ ନ ପଢ଼ିକି ଏଠାରେ ଦେଉଛନ୍ତି। କିନ୍ତୁ ଆପଣ ହୋମ୍‌ୱାର୍କ କରନ୍ତୁ। ସେହି ଉତ୍ତରକୁ ନିଜେ ଥରେ ପଢ଼ିଦିଅନ୍ତୁ। କାରଣ ଆପଣ ଏଠାରେ ଉତ୍ତରଦାୟୀ, ଅଫିସର୍‌ମାନେ ନୁହନ୍ତି। ଏମିତି କହିବା ସହ ଶ୍ରୀ ସାଲୁଜା ରାଣୀପୁର-ଝରିଆଲ ଏବଂ ଭୁବନେଶ୍ବରର କେଦାରଗୌରୀ ଓ ବିନ୍ଦୁସାଗର ବିକାଶ ଉପରେ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଧାଡ଼ିକିଆ ଉତ୍ତର ଦେଇଥିଲେ, ସରକାର ବିଚାର କରିବେ। ସାଲୁଜାଙ୍କ ଅସନ୍ତୋଷ ଉପରେ ସେ ପାଟି ଫିଟାଇ ନଥିଲେ। ବାଚସ୍ପତି କହିଥିଲେ, ସୁନ୍ଦର ଉତ୍ତର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe