ବିଧାନସଭାରୁ...

Advertisment
ମହାନଦୀ ପାଇଁ ଗୃହ ଅଚଳ, ଆଲୋଚନା ଦାବି କଲେ ନରସିଂହ

କୋଭିଡ୍‌ କଟକଣା ନେଇ ଜୟନାରାୟଣଙ୍କ ଆପତ୍ତି
ବିଧାନସଭା ଅଧିବେଶନ କୋଭିଡ୍‌ କଟକଣାରେ ଚାଲୁଥିବାରୁ ବିଜେପିର ବରିଷ୍ଠ ସଭ୍ୟ ଜୟନାରାୟଣ ମିଶ୍ର ଆପତ୍ତି ଉଠାଇଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ ସଂସଦ ଓ ଅନ୍ୟ ରାଜ୍ୟର ବିଧାନସଭା ଏବେ ସ୍ବାଭାବିକ ସ୍ଥିତିରେ ଚାଲୁଛି। କୋଭିଡ୍‌ କଟକଣାକୁ ହଟାଇ ଦିଆଯାଇଛି। କିନ୍ତୁ ଏଠାରେ କଟକଣା ଭିତରେ ଏବେ ବି ଗୃହ ଚାଲୁଛି। ଫଳରେ ଠିକ୍ ଭାବେ ଆଲୋଚନା ହୋଇପାରୁନି। କୋଭିଡ୍‌ ଆଳରେ ମୁଖ୍ୟମନ୍ତ୍ରୀଙ୍କୁ ଗୃହକୁ ନ ଆଣିବା ପାଇଁ ଏମିତି ସବୁ କରାଯାଉଛି କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ତେବେ ବାଚସ୍ପତି କହିଥିଲେ, ରାଜ୍ୟରେ କୋଭିଡ୍‌ ଲହରୀ ବୃଦ୍ଧି ପାଇଛି। ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଗୃହ ଚାଲୁଛି।

ଅର୍ଥ ମନ୍ତ୍ରୀ ବଢ଼ିଆ ଲୋକ, କାମକୁ ନୁହଁ
ବଜେଟ୍‌ ଆଲୋଚନାରେ ଭାଗ ନେଇଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଆରମ୍ଭରୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସେ ଯେତିକି ଟେକିଲେ ସେତିକି ପକାଇଲେ। କହିଲେ, ଅର୍ଥ ମନ୍ତ୍ରୀ ବଢ଼ିଆ ଲୋକ, ଖୁବ୍ ଧୀର ସ୍ଥିର। କିନ୍ତୁ କାମକୁ ନୁହଁ। ତାଙ୍କର ବା କ’ଣ କର୍ତ୍ତୃତ୍ବ ଅଛି? ମୁଖ୍ୟମନ୍ତ୍ରୀ ଓ ୫-ଟି ଯାହା କହିବେ, ସେ ମାନିବାକୁ ବାଧ୍ୟ। ସୁରଙ୍କ ଏମିତି ମନ୍ତବ୍ୟ ଗୃହ‌ରେ ବେଶ୍‌ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ସେମିତି ଆଲୋଚନା ବେଳେ କ୍ରୀଡ଼ା ମନ୍ତ୍ରୀ ମଧ୍ୟ କିଛି କାମକୁ ନୁହଁ ବୋଲି ସୁର କହିଥିଲେ।

ଭୂପିନ୍ଦର-ତାରା କଥା କଟାକଟି
ବଜେଟ୍‌ ଆଲୋଚନାରେ ଭାଗ ନେଇ ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହ ୨୦୦୦ ମସିହା ପରେ ରାଜ୍ୟର ଅର୍ଥନୀତି କିପରି ଉତ୍‌ଥାନ ହୋଇଛି, ତାହା ବର୍ଣ୍ଣନା କରୁଥିଲେ। ଏହି ସମୟରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ଠିଆ ହୋଇ କହିଥିଲେ, ‘୨୦୦୦ ମସିହା ପୂର୍ବରୁ ରାଜ୍ୟର ଆର୍ଥିକ ସ୍ଥିତି ଠିକ୍ ନ ଥିଲା ବୋଲି ଭୂପିନ୍ଦର ସିଂହ କହୁଛନ୍ତି। ସେ ନିଜେ ତ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲେ। ସେ ସେମିତି କହିବା ଠିକ୍ ନୁହେଁ। ଯଦି ଆର୍ଥିକ ଦୁଃସ୍ଥିତି ଥିଲା, ତେବେ ମନ୍ତ୍ରୀ ହିସାବରେ ସେ ବି ଦାୟୀ। ପୁଣି ସେ କଂଗ୍ରେସରୁ ବିରୋଧୀ ଦଳ ନେତା ଥିଲେ।’ ଏହାର ପ୍ରତିବାଦ କରି ଶ୍ରୀ ସିଂହ କହିଥିଲେ, ବିଧାୟକ ଶ୍ରୀ ବାହିନୀପତି ମୋ କଥା ଠିକ୍ ଭାବେ ଶୁଣୁ ନାହାନ୍ତି। ୨୦୦୦ ମସିହାରେ ଆର୍ଥିକ ସ୍ଥିତି ଯାହା ଥିଲା ଏବେ ସେଥିରେ ବହୁତ ଉନ୍ନତି ହୋଇଛି। ଏତିକିରେ ଅଟକି ନ ଥିଲେ ଶ୍ରୀ ସିଂହ। ଆହୁରି କହିଥିଲେ, କିଏ କେତେବେଳେ କେଉଁ ଦଳରେ ରହିବ ତାହା ଭିନ୍ନ କଥା। ତାହା ଦଳ ଓ ସରକାରଙ୍କ ସ୍ଥିରତା ଉପରେ ନିର୍ଭର କରେ। ତୁମେ ବି ଆଗକୁ କେଉଁଠି ରହିବ, ସେ କଥା କିଏ କହିବ।

ସୁରଙ୍କୁ ଶଶୀଙ୍କ ପ୍ରଶଂସା
‘ସୁର ଭାଇ ବହୁତ ବାସ୍ତବବାଦୀ। ଯାହା ଠିକ୍ ତାହା ସେ କୁହନ୍ତି। ଭଲକୁ ଭଲ କହିବାରେ ସେ ହେଳା କରନ୍ତି ନାହିଁ। ସେଥିରେ ଯିଏ ଯାହା ଭାବୁଛି ଭାବୁ।’ ଆଜି ବଜେଟ୍‌ ଆଲୋଚନା ବେଳେ ଏମିତି ଢଙ୍ଗରେ ସୁରେଶ ରାଉତରାୟଙ୍କୁ ପ୍ରଶଂସା କରିଥିଲେ ଶାସକ ଦଳ ସଭ୍ୟ ଶଶୀଭୂଷଣ ବେହେରା। କିନ୍ତୁ ଆଲୋଚନାରେ ସୁରଙ୍କ ପାଳି ପଡ଼ିଲା ବେଳେ ସେ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ। ମହାନଦୀ ଠାରୁ ଆରମ୍ଭ କରି ନନ୍ଦନକାନନ, ଶିକ୍ଷା ବ୍ୟବସ୍ଥା, କ୍ରୀଡ଼ାର ବିକାଶ ଆଦି ପ୍ରସଙ୍ଗରେ ସରକାରଙ୍କ ତ୍ରୁଟିକୁ ବାହାର କରି ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe