ଅଗଷ୍ଟ ପହିଲାରୁ କଳା ବ୍ୟାଜ୍‌ ପିନ୍ଧିବେ ଲାବୋରେଟୋରି ଟେକ୍‌ନିସିଆନ୍‌, ଦୀର୍ଘଦିନର ଦାବିକୁ ଅଣଦେଖା କରୁଛନ୍ତି ସରକାର

Advertisment

କର୍ତ୍ତବ୍ୟରେ ଅବହେଳା ନକରି ପ୍ରତିବାଦ କରିବ ସଂଘ

କର୍ତ୍ତବ୍ୟରେ ଅବହେଳା ନକରି ପ୍ରତିବାଦ କରିବ ସଂଘ

ଅଗଷ୍ଟ ପହିଲାରୁ କଳା ବ୍ୟାଜ୍‌ ପିନ୍ଧିବେ ଲାବୋରେଟୋରି ଟେକ୍‌ନିସିଆନ୍‌, ଦୀର୍ଘଦିନର ଦାବିକୁ ଅଣଦେଖା କରୁଛନ୍ତି ସରକାର

ଭୁବନେଶ୍ବର: ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ ( ଓଡ଼ିଶା ମେଡିକାଲ୍‌ ଲାବୋରେଟୋରି ଟେକ୍‌ନିସିଆନ୍‌ସ ଆସୋସିଏସନ୍‌)ର ଦୀର୍ଘ ଦିନର ଦାବିକୁ ଅଣଦେଖା କରି ଚାଲିଛନ୍ତି ସରକାର। ବାରମ୍ବାର ଅନୁରୋଧ ସତ୍ତ୍ବେ କିଛି ଫଳ ନ ମିଳିବାରୁ ସଂଘ ଆସନ୍ତା ଅଗଷ୍ଟ ପହିଲାରୁ କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନେଇଛି। ସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସ୍ବାଇଁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା ନକରି କଳା ବ୍ୟାଜ ପରିଧାନ କରି ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରାଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି।

କୋଭିଡ କଟକଣା ମଧ୍ୟରେ ସଂଘର ଏକ ଭର୍ଚୁଆଲ ମିଟିଂ ଗତ ୧୧ ତାରିଖରେ ସମ୍ପାଦିତ ହୋଇଥିଲା। ଏଥିରେ ସଂଘର କର୍ମକର୍ତ୍ତାଙ୍କ ସହ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ। ସରକାର ଦୀର୍ଘଦିନର ଦାବିଗୁଡ଼ିକୁ ଅଣଦେଖା କରୁଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। କେନ୍ଦ୍ର ସରକାରୀ ଚିକିତ୍ସାଳୟ, ମେଡିକାଲ କଲେଜ ଭଳି ‘ପଦ ନାମ’ ସହିତ କ୍ୟାଡର୍‌ ରୁଲ୍‌ର ପରିବର୍ତ୍ତନ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏଥି ପ୍ରତି କର୍ଣ୍ଣପାତ ନକରିବା ଦୁଃଖଦାୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଡିଏମ୍‌ଏଲ୍‌ଟି କାଉନ୍‌ସିଲ୍‌ରେ ପଞ୍ଜୀକୃତ ପାଇଁ ଯୋଗ୍ୟତା ନ ଥିବା ବ୍ୟକ୍ତିବିଶେଷଙ୍କୁ ସରକାରୀ ଚିକିତ୍ସାଳୟରେ କାମ କରିବାକୁ ସୁଯୋଗ ଦେବା ଦ୍ବାରା ଚିକିତ୍ସାର ଗୁଣାତ୍ମକ ମାନ ହ୍ରାସପାଉଛି। ନିକଟରେ ସରକାର କ୍ୟାଡର୍‌ ରୁଲ୍‌ରେ ଆଂଶିକ ପରିବର୍ତ୍ତନ କରି ରକ୍ତଭଣ୍ତାରରେ ୬ଟି ଟେକ୍ନିକାଲ ସୁପରଭାଇଜର‌୍ ପଦବି ସୃଷ୍ଟି କରିଛନ୍ତି। କିନ୍ତୁ ଏଥିରେ ରହିଥିବା ସର୍ତ୍ତ ଅନୁସାରେ ବରିଷ୍ଠମାନେ ବ୍ଲଡ୍‌ କମ୍ପୋନେଟ୍‌ ଟ୍ରେନିଂ ପାଇନାହାନ୍ତି। ଯେଉଁଥି ପାଇଁ କନିଷ୍ଠମାନେ ପଦୋନ୍ନତି ପାଇବାର ସୁଯୋଗ ଆଶଙ୍କା କରାଯାଉଛି। ତେଣୁ ସମସ୍ତ ବରିଷ୍ଠ ଟେକ୍ନିସିଆନମାନଙ୍କୁ ବାଧ୍ୟତାମୂଳକ ଏହି ଟ୍ରେନିଂ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି।

କ୍ୟାପିଟାଲ ହସ୍ପିଟାଲରେ ଥିବା କନିଷ୍ଠ ଓ ବରିଷ୍ଠ ମାଇକ୍ରୋ ବାୟୋଲୋଜିଷ୍ଟ୍‌, ମେଡିକାଲ କଲେଜର ରିସର୍ଚ ଆସିଷ୍ଟାଣ୍ଟମାନଙ୍କୁ କ୍ୟାଡର୍‌ ରୁଲରେ ସ୍ଥାନିତ ନ କରିବା ଦ୍ବାରା ସେମାନେ ପଦୋନ୍ନତିରୁ ବଞ୍ଚିତ ହେଉଛନ୍ତି। କନିଷ୍ଠ ଲାବୋରେଟୋରି ଟେକନିସିଆନ୍‌ମାନଙ୍କ ଗ୍ରେଡେସନ୍‌ ଓ ପଦୋନ୍ନତି ଗତ ୨ ବର୍ଷ ହେଲା ହୋଇପାରୁନାହିଁ। ତେଣୁ ବହୁ ବରିଷ୍ଠ ପଦୋନ୍ନତିରୁ ବଞ୍ଚିତ ହୋଇ ଅବସର ନେଉଛନ୍ତି। ନୂଆ ଜିଲ୍ଲାମାନଙ୍କରେ ୧୯୯୧ ମସିହାରୁ ଏ ପର୍ଯ୍ୟନ୍ତ ‘ପ୍ରମୋସନାଲ୍‌ ପୋଷ୍ଟ’ ସୃଷ୍ଟି ନ ହେବା ମଧ୍ୟ ଅନ୍ୟ ଏକ କାରଣ। ବର୍ଷେ ହେଲା ଏକ ହଜାର ମୂଳ ପଦବି ସୃଷ୍ଟି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପଦବି ପୂରଣ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ପୂର୍ବରୁ ବିଭିନ୍ନ ସ୍କିମ୍‌ ଓ ସୋସାଇଟି ଅଧୀନରେ କାର୍ଯ୍ୟ କରୁଥିବା ପ୍ରାଇଭେଟ୍‌ ପାସ୍‌ଆଉଟ୍‌ ଏଲ୍‌ଟିମାନଙ୍କୁ ବହୁବିଧ କୌଶଳ ତାଲିମ୍‌ ଦେଇ ସରକାର ସମସ୍ତ କାର୍ଯ୍ୟ ହାସଲ କରୁଛନ୍ତି। ଯାହାକି ନିମ୍ନମାନର ଚିକିତ୍ସାକୁ ପ୍ରୋତ୍ସାହିତ କରୁଛି। କୋଭିଡ ପରିଚାଳନାରେ ଏଲ୍‌ଟିମାନଙ୍କର ଭୂମିକା ପ୍ରଶଂସନୀୟ। ଜୀବନକୁ ବାଜି ଲଗାଇ ସେମାନେ ଦିନରାତି ରୋଗୀ ସେବାରେ ରହିଛନ୍ତି ଓ ରହିବେ ମଧ୍ୟ। ତେଣୁ ସରକାର ସେମାନଙ୍କ ଦାବିଗୁଡ଼ିକ ସହୃଦୟତାର ସହିତ ବିଚାର କରିବାକୁ ସଂଘ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe