ଅଗଷ୍ଟ କ୍ରାନ୍ତିରୁ ‘ପରିବେଶ କ୍ରାନ୍ତି’: ‘ସମ୍ବାଦ’ ଗ୍ରୁପ୍‌ର ୬୦ଦିନିଆ ପରିବେଶ ସୁରକ୍ଷା ଅଭିଯାନର ଶୁଭାରମ୍ଭ

Advertisment

୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ‘ପରିବେଶ ପଞ୍ଚାୟତ’, ପ୍ରସ୍ତୁତ ହେବ ଜଳବାୟୁ ଆଟ୍‌ଲାସ୍‌

୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ‘ପରିବେଶ ପଞ୍ଚାୟତ’, ପ୍ରସ୍ତୁତ ହେବ ଜଳବାୟୁ ଆଟ୍‌ଲାସ୍‌

ଅଗଷ୍ଟ କ୍ରାନ୍ତିରୁ ‘ପରିବେଶ କ୍ରାନ୍ତି’: ‘ସମ୍ବାଦ’ ଗ୍ରୁପ୍‌ର ୬୦ଦିନିଆ ପରିବେଶ ସୁରକ୍ଷା ଅଭିଯାନର ଶୁଭାରମ୍ଭ

ପୁରୀ: ସ୍ବାଧୀନତା ପ୍ରାପ୍ତି ଲକ୍ଷ୍ୟରେ ୧୯୪୨ ମସିହା ଆଜିର ଦିନରେ ଆରମ୍ଭ ହୋଇଥିଲା ଅଗଷ୍ଟ କ୍ରାନ୍ତି। ଆଜି ସେଇ ସ୍ମରଣୀୟ ଦିବସରେ ଜଳବାୟୁ ପରିବର୍ତ୍ତନ ଆହ୍ବାନକୁ ସାମ୍‌ନା କରିବାକୁ ‘ସମ୍ବାଦ’ ଗ୍ରୁପ୍ ପରିବେଶ କ୍ରାନ୍ତିର ଡକରା ଦେଇଛି। ସେଦିନର ପରାଧୀନତା ଭଳି ଆଜିର ଜଳବାୟୁ ପରିବର୍ତ୍ତନ ମଧ୍ୟ ସବୁଠାରୁ ବଡ଼ ଆହ୍ବାନ। ଏହାକୁ ସାମ୍‌ନା କରିବାକୁ ହେଲେ ପୁଣି ଏକ ଜନ ଆନ୍ଦୋଳନର ଆବଶ୍ୟକତା ରହିଛି। ଏହାକୁ ଉପଲବ୍ଧି କରି ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଶୁଭାରମ୍ଭ ହୋଇଛି ଜଳବାୟୁ ସୁରକ୍ଷା ଅଭିଯାନ ‘ପୁନଶ୍ଚ ପୃଥିବୀ’ର ୬୦ ଦିନିଆ ଯାତ୍ରା।

ଶୁକ୍ରବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ଅଭିଯାନର ‘ବ୍ରୋସ୍ୟୋର୍‌’ ଅର୍ପଣ କରାଯାଇ ଏହି ମହତ୍ତ୍ବାକାଂକ୍ଷୀ ଅଭିଯାନର ସଫଳତା କାମନା କରାଯାଇଛି। ୬୦ ଦିନ ମଧ୍ୟରେ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହେବ। ଏହି ପ୍ରସଙ୍ଗରେ ଆଜି ହୋଟେଲ ଏମ୍ପାୟାର୍ସଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ, ଆମ ପରିବେଶ ଏବେ ବିପଦରେ। ଜଳବାୟୁ ସଂକଟ ‘ଆସନ୍ତାକାଲି ପାଇଁ ଆଜିଠୁ ଏକାଠି ହେବା’ର ଆହ୍ବାନ ଦେଇଛି। ଏକାଠି ହେଲେ ହିଁ ଆଗାମୀ ପିଢ଼ିକୁ ସୁନ୍ଦର ପରିବେଶ ଭେଟି ଦେଇପାରିବା। ୧ ନମ୍ବର ଗଣମାଧ୍ୟମ ଭାବେ କେବଳ ଖବର ଭେଟି ନ ଦେଇ ଜଳବାୟୁର ବିପନ୍ନ ସ୍ଥିତି ଓ ଆହ୍ବାନ ସମ୍ପର୍କରେ ସଚେତନ କରିବା ମଧ୍ୟ ଆମର କର୍ତ୍ତବ୍ୟ। ପରିବେଶ ସୁରକ୍ଷା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ‘ପରିବେଶ ପଞ୍ଚାୟତ’ ଆୟୋଜନ କରି ନିର୍ବାଚିତ ପ୍ରତିନିଧି ଓ ନାଗରିକଙ୍କ ଭାଗିଦାରୀ ସୃଷ୍ଟି କରାଯିବ। ତୃଣମୂଳସ୍ତରରୁ ସବୁ ବର୍ଗର ଲୋକଙ୍କୁ ଏଥିରେ ଯୋଡ଼ାଯିବ। ପ୍ରତି ନିର୍ବାଚନ ମଣ୍ଡଳୀରେ ଜଳବାୟୁ ସଂକ୍ରାନ୍ତୀୟ କ’ଣ ସବୁ ଆହ୍ବାନ ରହିଛି, ଏହାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ଏବଂ ଆଗକୁ କ’ଣ କରିବାର ଆବଶ୍ୟକତା ରହିଛି; ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟାବଳୀ ତଥା ଜଳବାୟୁ ସ୍କୋର୍‌ କାର୍ଡ ପ୍ରସ୍ତୁତ କରାଯିବ। ଯେତେ ଚର୍ଚ୍ଚା ହେବ, ସେତେ ସଚେତନତା ଆସିବ ଏବଂ ସମାଧାନର ରାସ୍ତା ପ୍ରଶସ୍ତ ହେବ। ଏଥିସହ ସକ୍ରେଟିସ୍‌ ଫାଉଣ୍ଡେସନ୍‌ ଓ ବକୁଲ୍‌ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ‘ଜଳବାୟୁ ଆଟ୍‌ଲାସ୍‌’ ପ୍ରସ୍ତୁତ କରାଯିବ। ଏହା ପ୍ରତିଟି ନିର୍ବାଚନ ମଣ୍ଡଳୀରେ ରହିଥିବା ପରିବେଶ ସଂକଟ, ଏହାର କାରଣ, ଅଭାବବୋଧ ସମ୍ବନ୍ଧରେ ସୂଚନା ଦେବ। ଫଳରେ ଜଳବାୟୁ ସଂକଟର ମୁକାବିଲା ଦିଗରେ ଏହା ନିର୍ଣ୍ଣାୟକ ହୋଇପାରିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।

ପରିବେଶ ଚିନ୍ତକ ଯୁଗବ୍ରତ କର କହିଥିଲେ, ଧରିତ୍ରୀ ଓ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ। ଜଳବାୟୁ ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଥିବା ଆହ୍ବାନକୁ ସାମ୍‌ନା କରିବାକୁ ହେଲେ ପରିବେଶ ପାଇଁ ଚିନ୍ତା କରିବାକୁ ପଡ଼ିବ। ‘ସମ୍ବାଦ’ ତୃଣମୂଳସ୍ତରରେ ଏଭଳି ଅଭିନବ ଅଭିଯାନ ଆରମ୍ଭ କରିବା ସ୍ବାଗତଯୋଗ୍ୟ। ବକୁଲ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଥିଲେ, ବାତ୍ୟା ହେବା ପରେ ଏହାର ମୁକାବିଲା ଚିନ୍ତା କରିବା ଯେତିକି ଜରୁରି, ବାତ୍ୟା କିଭଳି ନହେବ ସେଥିପାଇଁ ଚିନ୍ତା କରିବା ଅଧିକ ଜରୁରି। ଯେ ପର୍ଯ୍ୟନ୍ତ ପରିବେଶ ସୁସ୍ଥ ରହିଛି, ଆମେ ସୁସ୍ଥ ଓ ନିରାପଦ ରହିବା। ତେଣୁ ପରିବେଶ ସମସ୍ୟାକୁ ନେଇ ଯେତେ ଚର୍ଚ୍ଚା ହେବ, ସେତେ ସମାଧାନର ସୂତ୍ର ବାହାରିବ ବୋଲି ସେ ମତ ରଖିଥିଲେ। ସକ୍ରେଟିସ୍‌ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଦେବଜିତ ମିଶ୍ର କହିଲେ, ପରିବେଶ ପାଇଁ ତୃଣମୂଳସ୍ତରରୁ ଲୋକଙ୍କୁ ଯୋଡ଼ିବା ସହ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ପରିବେଶ ସଂକ୍ରାନ୍ତ ଆହ୍ବାନ ବାବଦରେ ସଚେତନ କରାଇବାରେ ଏହି ଅଭିଯାନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପରିବେଶ କର୍ମୀ ବଦ୍ରି ମିଶ୍ର କ୍ଷୁଦ୍ର ପରିବେଶଧର୍ମୀ ଚଳଚ୍ଚିତ୍ର ଜରିଆରେ ସଚେତନତା ସୃଷ୍ଟି ପାଇଁ ପ୍ରସ୍ତାବ ଦେଇଥିବା ବେଳେ ପରିବେଶବିତ ପ୍ରଫୁଲ୍ଲ ତ୍ରିପାଠୀ ପରିବେଶ ପ୍ରତି ଉତ୍ତରଦାୟିତ୍ବ ବାବଦରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ଆହ୍ବାନ ଦେଇଥିଲେ।

‘କନକ’ ନ୍ୟୁଜର ସିଇଓ ରତିକାନ୍ତ ଶତପଥୀ କହିଥିଲେ, ଜଳବାୟୁ ପରିବର୍ତ୍ତନ ଆଉ ଆଶଙ୍କା ହୋଇନାହିଁ। ଏହା ବାସ୍ତବତାରେ ପରିଣତ ହେଲାଣି। ଆମେ ସମସ୍ତେ ଏହାର ଭୁକ୍ତଭୋଗୀ। ତେଣୁ ବେଳ ହୁଁ ସାବଧାନ ହେବା ଓ ପରିବେଶ ପ୍ରତି ନିଜର ଦାୟିତ୍ବକୁ ଉପଲବ୍ଧି କରିବାର ଆବଶ୍ୟକତା ରହିଛି। ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଲେ, ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ଭେଟି ଦେବା ଆମ ଦାୟିତ୍ବ। ଏହାକୁ ନଜରଅନ୍ଦାଜ କରିବା ନାହିଁ। ସମଗ୍ର ଓଡ଼ିଶାବାସୀ ତୃଣମୂଳର ସମସ୍ୟା ବାବଦରେ ଜାଣିଲେ ହିଁ ଏହା ଗୁରୁତ୍ବ ବହନ କରିବ ଏବଂ କାର୍ଯ୍ୟାନ୍ବୟନର ବାଟ ଫିଟିବ। ଏହି ଅବସରରେ ପରିବେଶ କର୍ମୀ ସୌମ୍ୟରଞ୍ଜନ ବିଶ୍ବାଳ ଓ ଜଗନ୍ନାଥ ବସ୍ତିଆ ଉପସ୍ଥିତ ଥିଲେ।
୬୦ ଦିନିଆ ଅଭିଯାନରେ ଅକ୍ଟୋବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ନାଗରିକ ସମ୍ମିଳନୀ ଅନୁଷ୍ଠିତ ହେବ। ୱାକାଥନ୍‌, ସାଇକେଲ ଯାତ୍ରା, ବୃକ୍ଷରୋପଣ ଅଭିଯାନ, ସ୍କୁଲ ଓ କଲେଜରେ ପ୍ରତିଯୋଗିତା ଏବଂ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରି ପରିବେଶ ସମ୍ବନ୍ଧରେ ସଚେତନତା କରାଯିବ। ଏହି ଅଭିଯାନକୁ ସଫଳ କରିବା ପାଇଁ ‘ସମ୍ବାଦ’ ଗ୍ରୁପ୍‌ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ନାଗରିକ ସମାଜ, ଆଦିବାସୀ ସମୁଦାୟ, ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, କର୍ପୋରେଟ୍‌ ହାଉସ୍‌ ଓ ସରକାରୀ ସଂସ୍ଥା ସହ ଯୋଡ଼ି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe