ଆରମ୍ଭରୁ କେଁ, ଚଳିତବର୍ଷ ବି ସରଳ ହେବନି ଧାନ ବିକ୍ରି: ବଲାଙ୍ଗୀର ମଣ୍ଡିରେ ମିଲର୍ସଙ୍କ ପ୍ରବେଶ ନେଇ ପ୍ରଶ୍ନ କଲେ ନରସିଂହ

Advertisment

ଭିତ୍ତିଭୂମି ସମସ୍ୟା ନେଇ ଆଜିବି ଲଢ଼ୁଛି ଚାଷୀ

ଭିତ୍ତିଭୂମି ସମସ୍ୟା ନେଇ ଆଜିବି ଲଢ଼ୁଛି ଚାଷୀ

ଶସ୍ୟ ବଣ୍ଟନ ସ୍କିମ୍‌ର ମିଶ୍ରଣ ହେବ

ଭୁବନେଶ୍ବର: ଧାନ ସଂଗ୍ରହ ପ୍ରକ୍ରିୟାରେ ଆରମ୍ଭରୁ କେଁ। ବିଳମ୍ବରେ ମଣ୍ଡି ଖୋଲିବା ପରେ ବଲାଙ୍ଗୀର ଧାନ ବିକ୍ରିରେ ମିଲ୍‌ ମାଲିକ ପ୍ରତ୍ୟକ୍ଷ ଭାବେ ସାମିଲ ହେବା ନେଇ ଉଠିଲାଣି ପ୍ରଶ୍ନ। ସୂଚନା ଅନୁଯାୟୀ, ମିଲର୍ସ ଭୂମିକା ଗୌଣ କରିବା ପାଇଁ ୨୦୦୩ ମସିହାରୁ ସରକାର ସିଧାସଳଖ ଧାନ କ୍ରୟ କରୁଛନ୍ତି। ଏହା ସତ୍ତ୍ବେ ମଧ୍ୟ ଭିତ୍ତିଭୂମି ଅଭାବରୁ ଆଜି ବି ମିଲ୍‌ ମାଲିକ ନଚାହିଁଲେ ଚାଷୀ ବସ୍ତାଏ ମଧ୍ୟ ଧାନ ବିକ୍ରି କରିପାରେ ନାହିଁ। ଟୋକନ ଲାପ୍ସ, କଟ୍‌ନିଛଟ୍‌ନି, ଦିନ-ଦିନ ଧରି ମଣ୍ଡିରେ ଧାନ ଗାଡ଼ି ଅପେକ୍ଷା କରି ରହିବା ଭଳି ସମସ୍ୟା ଲାଗି ରୁହେ। ମିଲର୍ସଙ୍କ କବ୍‌ଜାରେ ମଣ୍ଡିଗୁଡ଼ିକ ରହିଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ମାତ୍ର ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାପାଳ ସମସ୍ତ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରି ଧାନ ସଂଗ୍ରହ ବେଳେ ମିଲର୍ସଙ୍କୁ ଉପସ୍ଥିତ ରହିବା ପାଇଁ ସିଧାସଳଖ ଅନୁମତି ନେଇ ପ୍ରଶ୍ନ କରାଯାଇଛି। ଏଭଳି ହେଲେ ଧାନ ବିକ୍ରି ବ୍ୟବସ୍ଥା ପୁରୁଣା ଲେଭି ବ୍ୟବସ୍ଥାକୁ ଫେରି ଯିବା ନେଇ ଆଶଙ୍କା କରିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ସେଥିରେ ପୁଣି ବଲାଙ୍ଗୀର ଜିଲ୍ଲାରେ ପରୀକ୍ଷାମୂଳକ ଭାବରେ ଏହା ଆରମ୍ଭ ହୋଇ ଅନ୍ୟ ଜିଲ୍ଲାମାନଙ୍କରେ କାର୍ଯ୍ୟକାରୀ ହେଲେ ଅବସ୍ଥା ଆହୁରି ଅସମ୍ଭାଳ ହୋଇ ପଡ଼ିବ। ଗତବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଧାନ ସଂଗ୍ରହ ଅବ୍ୟବସ୍ଥା ଲାଗି ରହିବ ବୋଲି ସ୍ପଷ୍ଟ ହୋଇଛି।

ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ସୂଚନା ଅନୁସାରେ, ଗତବର୍ଷ ଠାରୁ ଚଳିତ ବର୍ଷ ୧ ଲକ୍ଷ ୨୫ ହଜାର ଅଧିକ ଅର୍ଥାତ ୧୬ ଲକ୍ଷ ୯୯ ହଜାର ୩୬୧ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ କରାଯାଇଛି। ୨୬୦୨ ପେକ୍ସ ଏବଂ ୪୬୪ ଏସଏଚଜି ଏଥିରେ ସାମିଲ ହୋଇଛନ୍ତି। ଗତବର୍ଷ ଖରିଫରେ ଅଢ଼େଇ ଲକ୍ଷ ଟୋକନ ଲାପ୍ସ ହୋଇଥିଲା। ନିୟମ ଅନୁଯାୟୀ, ଚାଷୀ ମଣ୍ଡିରେ ଧାନ ବିକ୍ରି କରିବେ ମାତ୍ର ମିଲ୍‌ ମାଲିକ ଚାଷୀଙ୍କୁ ଏତେ ହୀନସ୍ତା କରନ୍ତି ଯେ ସବୁ ଜିଲ୍ଲାରେ ଚାଷୀ ଧାନ ବିକ୍ରି ପାଇଁ ମିଲ୍‌ ମାଲିକଙ୍କ ଦୁଆରକୁ ଯିବାକୁ ବାଧ୍ୟ ହୁଅନ୍ତି। ପ୍ରତି କ୍ବିଣ୍ଟାଲ ପିଛା ୨ରୁ୫ କେଜି ଧାନ କଟାଯିବା ସାଧାରଣ କଥା। ଗତ ବର୍ଷ ତମାମ ଏହାକୁ ନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ। ଆରମ୍ଭରୁ ସରକାର ମିଲର୍ସଙ୍କ ପ୍ରତି ଯେଉଁଭଳି ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ଅବସ୍ଥା ଆହୁରି ଜଟିଳ ହେବ। ଧାନ ସଂଗ୍ରହ ବ୍ୟବସ୍ଥାରେ ଭିତ୍ତିଭୂମି ଅଭାବ ଏହି ସମସ୍ୟା ପାଇଁ ଦାୟୀ ଥିବା କୁହାଯାଉଛି।
ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ, ରାଜ୍ୟର ୧୮୭ ମଣ୍ଡିରେ ଇଣ୍ଟରନେଟ୍ ସଂଯୋଗ, ୨୨୯ରେ ଅପେକ୍ଷା କେନ୍ଦ୍ର, ୧୨୬ରେ ପାନୀୟ ଜଳ, ୮୫୯ରେ ଶୌଚାଳୟ ନାହିଁ। କେବଳ ୭୮୩ ମଣ୍ଡିରେ ୯୧୭ ପିଣ୍ଡି ଏବଂ ୧୩୩୯ ମଣ୍ଡିରେ ୧୮୬୩ ଗୋଦାମ ରହିଛି। ଚଳିତ ବର୍ଷ ମଣ୍ଡି ବିକାଶ ନେଇ ବିଭାଗ କ’ଣ ଯୋଜନା ରଖିଛି ତାକୁ ନେଇ ସ୍ପଷ୍ଟ ମତ ରଖି ନାହିଁ। ଏଭଳି ସ୍ଥିତିରେ ଚଳିତ ବର୍ଷର ଧାନ ସଂଗ୍ରହ ବ୍ୟବସ୍ଥା କେଉଁ ଆଡ଼କୁ ଯିବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe