insurance at tollgate
କଟକ: ରାଜ୍ୟରେ ଫେବ୍ରୁଆରି ୧ ତାରିଖ (ଆସନ୍ତାକାଲି)ଠାରୁ ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ଯୋଡ଼ି ହେଉଛି ବୀମା। ମୋଟର ଯାନରେ ବୀମା ନ ଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଟୋଲ୍ ଗେଟରେ ଧରାପଡ଼ିବେ ଗାଡ଼ି ଚାଳକ। ବୀମା ନଥିଲେ ସମ୍ପୃକ୍ତ ଗାଡ଼ି ବିରୋଧରେ ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ଜାରିହେବ ଇ-ଚାଲାଣ। ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲ୍ ଗେଟ୍ରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ଏ ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି।
ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ। ଏହାର ଉଲ୍ଲଙ୍ଘନ କଲେ ଧାରା ୧୯୬ ଅନୁଯାୟୀ ୨ ହଜାର ଟଙ୍କା ଜରିମାନା, ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ସେହିଭଳି ପୁନର୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଅନେକ ଘରୋଇ ଓ ବ୍ୟାବସାୟିକ ଗାଡ଼ି ନିୟମ ଉଲ୍ଲଙ୍ଘନ କରି ବୀମା କରୁନାହାନ୍ତି।
ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପାମୂଳକ ବୀମାରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ଇ-ଡିଟେକ୍ସନ୍ ଜରିଆରେ ଚିହ୍ନଟ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛି। ପୂର୍ବରୁ ଇ-ଡିଟେକ୍ସନ୍ରେ ପରମିଟ୍, ଫିଟ୍ନେସ୍, ଟିକସ ନିୟମ ଉଲ୍ଲଂଘନକାରୀଙ୍କୁ ଟୋଲ୍ ଗେଟ୍ରେ ଚିହ୍ନଟ କରାଯାଉଥିଲା। ଏବେ ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଚିହ୍ନଟ କରାଯିବ। ଏହାସହ ଏନ୍ଫୋର୍ସମେଣ୍ଟରେ ଆଧୁନିକ ଜ୍ଞାନକୌଶଳକୁ ଅଧିକ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ପଞ୍ଜିକୃତ ହୋଇଥିବା ମୋଟ ୯୦ ଲକ୍ଷ ଗାଡ଼ି ରାସ୍ତାରେ ଚାଲୁଥିବା ବେଳେ କେଉଁ ଗାଡ଼ିର ବୀମା ନାହିଁ, ତାହା ଆସନ୍ତା ଶନିବାରଠାରୁ ସ୍ପଷ୍ଟ ହେବା ସହିତ ସେହି କ୍ରମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Follow Us