Advertisment

ମହାପ୍ରଭୁଙ୍କୁ ଲାଗିହେଲା ଫୁଲୁରି ତେଲ

Advertisment

ବଡ଼ ଓଡ଼ିଆ ମଠ ଯୋଗାଇ ଦେଲେ ବର୍ଷକ ତଳୁ ପ୍ରସ୍ତୁତ ଔଷଧୀୟ ତୈଳ

ବଡ଼ ଓଡ଼ିଆ ମଠ ଯୋଗାଇ ଦେଲେ ବର୍ଷକ ତଳୁ ପ୍ରସ୍ତୁତ ଔଷଧୀୟ ତୈଳ

ମହାପ୍ରଭୁଙ୍କୁ ଲାଗିହେଲା ଫୁଲୁରି ତେଲ

ପୁରୀ : ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ। ଉପଶମ ପାଇଁ ସେବକ ଭେଟି ଦେଇଛନ୍ତି ଫୁଲୁରି ତେଲ। ଘଣା ପେଡ଼ା ରାଶି ତେଲ ସାଙ୍ଗକୁ ଚେରମୂଳି ଓ ସୁବାସିତ ଫୁଲରେ ବର୍ଷକ ଆଗରୁ ଏହି ତେଲର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରବିବାର ଦିନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ପାଇଁ ନିଆଯାଇଛି। ଅନବସରର ପଞ୍ଚମ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଛି।

ବଡ଼ ଓଡ଼ିଆ ମଠରୁ ଫୁଲ ମିଶ୍ରିତ ତେଲ ତଥା ଫୁଲୁରି ତେଲ ଆସିବା ପରେ ଏହାକୁ ଶ୍ରୀମନ୍ଦିରକୁ ନିଆଯାଇଛି। ମଠର ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀଙ୍କ କହିବା ମୁତାବକ, ଫୁଲୁରି ତେଲ ଗୋଟିଏ ବର୍ଷ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ। ପୂର୍ବବର୍ଷ ହେରାପଞ୍ଚମୀ ତିଥି ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ ରହିଥିବା ଦୁଇଟି ଘଡ଼ିରେ କିଛି ଘଣା ପେଡ଼ା ‌ରାଶି ତେଲ, ଔଷଧୀୟ ଚେରମୂଳି ଓ ସୁବାସିତ ତୈଳ ମିଶ୍ରିତ କରି ଏହାକୁ ମଠ ପରିସରରେ ଗାତ ଖୋଳି ପୋତି ଦିଆଯାଏ। ଫୁଲୁରି ତେଲ ପ୍ରସ୍ତୁତି ଗୁପ୍ତ ନୀତି ହୋଇଥିବାରୁ ମଠର ମଠାଧୀଶ ଓ ମଠର ପୁରୋଧାଙ୍କ ବ୍ୟତିରେକ ଅନ୍ୟ କେହି ଦେଖନ୍ତି ନାହିଁ ବୋଲି ସେ କହିଛନ୍ତି। ମଠାଧୀଶ ବଂଶୀଧର ଗୋସ୍ବାମୀଙ୍କ କହିବା ମୁତାବକ, ବର୍ଷକ ତଳୁ ଏହି ଘଣା ପେଡ଼ା ରାଶି ତେଲ ଓ ସୁବାସିତ ‌ଫୁଲ ମିଶ୍ରିତ କରି ଘଡ଼ିରେ ମୁଦ ଦିଆଯାଇ ଏହାକୁ ପୋତାଯାଉଥିଲେ ହେଁ ଋତୁ ଅନୁଯାୟୀ ଯେଉଁ ଫୁଲ ଫୁଟେ ତାହା ମଧ୍ୟ ସେଇ ତେଲରେ ମିଶାଯାଏ। ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଏହାକୁ ମାଟି ତଳୁ ବାହାର କରାଯାଇ ଗୋଟିଏ ଘରେ ସାଇତି ରଖାଯାଏ। ଅନବସରର ୫ମ ଦିନ ହିଁ ଏହାକୁ ମହାପ୍ରଭୁଙ୍କୁ ଲାଗି ନିମନ୍ତେ ମଠ ପକ୍ଷରୁ ଶ୍ରୀମନ୍ଦିରକୁ ପଠାଇ ଦିଆଯାଏ। ସେଠାରେ ପୁନର୍ବାର ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି କରାଯାଏ। ଅନବସରର ୫ମ ଦିନ ପଟିଦିଅଁଙ୍କ ନିକଟରେ ଦ୍ବିପ୍ରହର ଧୂପ ସରିବା ପରେ ବେହରଣ ଦ୍ବାର ଖୋଲିଥାଏ। ଦେଉଳ କରଣ ଓ ପତି ମହାପାତ୍ରଙ୍କ ଉପସ୍ଥିତିରେ ଫୁଲୁରି ତେଲ ପ୍ରଦାନ କରିଥାଆନ୍ତି ମଠ ମହନ୍ତି। ପତି ମହାପାତ୍ର ତାକୁ ସଂସ୍କାର କରିସାରିବା ପରେ ଚାରି ବାଡ଼ଗ୍ରାହୀମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପ କରାଯାଏ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି ଯେ ଜ୍ବରରୁ ଉପସମ ପାଇଁ ଆଜି ରାତିରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ ଲାଗି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe