ସ୍ବର୍ଗଦ୍ବାରରେ ଶବଦାହ କଟକଣା ଅବଧି ପୁଣି ମାସେ ବଢ଼ିଲା, ମହୋଦଧିରେ ବି ଚିତାଭସ୍ମ ବିସର୍ଜନ ମନା

ସ୍ବର୍ଗଦ୍ବାରରେ ଶବଦାହ କଟକଣା ଅବଧି ପୁଣି ମାସେ ବଢ଼ିଲା, ମହୋଦଧିରେ ବି ଚିତାଭସ୍ମ ବିସର୍ଜନ ମନା

ପୁରୀ:  ବାହାର ଜିଲ୍ଲା ଓ ରାଜ୍ୟର ଲୋକଙ୍କ ଲାଗି ସ୍ବର୍ଗଦ୍ବାରରେ ଶବ ସତ୍କାର ଏବଂ ମହୋଦଧୀରେ ଚିତାଭସ୍ମ ବିସର୍ଜନ ଉପରେ ଲଗା ଯାଇଥିବା କଟକଣା ଆଉ ଏକ ମାସ ଲାଗି ବୃଦ୍ଧି କରାଯାଇଛି। ଫଳରେ ସେପଟେମ୍ବର ଶେଷ ପର୍ଯ୍ୟନ୍ତ ବାହାର ଜିଲ୍ଲାର ଲୋକେ ସ୍ବଗଦ୍ବାରରେ ଶବଦାହ କରିପାରିବେ ନାହିଁ। ତେବେ ପୁରୀ ଜିଲ୍ଲାର ଲୋକେ ପୂର୍ବପରି ସ୍ବର୍ଗଦ୍ବାରେ ଶବଦାହ କରିପାରିବେ ବୋଲି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା‌ରେ କୁହାଯାଇଛି। ଏଥିସହ ପରୀ ଜିଲ୍ଲାର ଲୋକେ ମହୋଦଧୀରେ ଚିତାଭସ୍ମ ବିସର୍ଜନ କରିପାରିବେ ବୋଲି ସୂଚନା ଦିଆଯାଇଛି। ସେପଟେମ୍ବର ପହିଲାରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ କଟକଣା ଅବଧିକୁ ୩୦ ସେପଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

publive-image

ଜିଲ୍ଲା ବାହାରୁ ଯେଉଁ ଆତ୍ମୀୟସ୍ବଜନ ମୃତକଙ୍କୁ ନେଇ ସ୍ବର୍ଗଦ୍ବାର ଆସୁଥିଲେ, ସେମାନଙ୍କୁ ପୂର୍ବ ଭଳି ଜିଲ୍ଲା ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବନି। କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏହି କଠୋର ନିଷ୍ପତ୍ତିକୁ ପୁଣି ସେପଟେମ୍ବର ମାସ ଲାଗି ବଳବତ୍ତର ରଖିଛି ।  ଜୁଲାଇ ୭ ତାରିଖରେ ଏହି କଟକଣା  ଜାରି କରି ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହା  ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଥିଲେ।

ସ୍ବର୍ଗଦ୍ବାରରେ ସତ୍କାର କଲେ ମୃତକଙ୍କୁ ସ୍ବର୍ଗପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ଏହି ବିଶ୍ବାସ ନେଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ମୃତକଙ୍କୁ ନେଇ ଆତ୍ମୀୟସ୍ବଜନମାନେ ସ୍ବର୍ଗଦ୍ବାର ଅନ୍ତିମ ସଂସ୍କାର ପାଇଁ ଆସିଥା’ନ୍ତି। ସ୍ବର୍ଗଦ୍ବାରରେ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଧାର୍ମିକ ଭାବନା ଜଡ଼ିତ ରହିଥିବାରୁ କରୋନା କଟକଣା ଭିତରେ ବି ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରିବାକୁ ଜିଲ୍ଲା ପ୍ରଶାସନ ସୁଯୋଗ ଦେଉଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଛି। କରୋନା ଭୂତାଣୁ ଭୟଙ୍କର ଭାବେ ମାଡ଼ି ଚାଲିଛି। ଅମାନିଆଙ୍କ ଯୋଗୁଁ ଏହା ଭିତରେ ସ୍ଥାନୀୟ ସଂକ୍ରମଣ ବି ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe