ଦୀର୍ଘଦିନ ଆଇସିୟୁରେ ରହିଲେ ବିପଜ୍ଜନକ ହେଉଛି ଫଙ୍ଗାଲ୍ ସଂକ୍ରମଣ

‘କେଣ୍ଡିଡା ଅରିସ’ର ଚିହ୍ନଟ ପାଇଁ ଡିଭାଇସ ପ୍ରସ୍ତୁତ କରୁଛି ଏମ୍ସ

ଦୀର୍ଘଦିନ ଆଇସିୟୁରେ ରହିଲେ ବିପଜ୍ଜନକ ହେଉଛି ଫଙ୍ଗାଲ୍ ସଂକ୍ରମଣ

ଭୁବନେଶ୍ବର : ଡାକ୍ତରଖାନା ଆଇସିୟୁରେ ସଂକ୍ରମଣ ନିୟନ୍ତ୍ରଣର ଉପଯୁକ୍ତ ବ୍ୟବସ୍ଥା ନାହିଁ। ଏଥିଯୋଗୁଁ ଆଇସିୟୁରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ମଧ୍ୟ ରୋଗୀ ବିଭିନ୍ନ ଫଙ୍ଗସ୍‌ ଜନିତ ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି। କିଛି ଦିନ ହେଲା ‘କେଣ୍ଡିଡା ଅରିସ’ ନାମକ ନୂତନ ପ୍ରକାର ଫଙ୍ଗାଲ ସଂକ୍ରମଣ ହେଉଛି; ଯାହାର ଚିହ୍ନଟ ସହଜ ହେଉନାହିଁ। ଏଥିଯୋଗୁଁ ପ୍ରାୟ ୩୦ରୁ ୬୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହେଉଛି। ଏହି ସଂକ୍ରମଣ ଚିହ୍ନଟ ପାଇଁ ଡିଭାଇସ ପ୍ରସ୍ତୁତ କରୁଛି ଏମ୍ସ ଭୁବନେଶ୍ବରରେ ଫଙ୍ଗସ୍‌ ଗବେଷଣା ପାଇଁ ସ୍ଥାପିତ ଆଡଭାନ୍ସ ମଲିକୁଲାର ଆଣ୍ଡ ଡାଇଗ୍ନୋଷ୍ଟିକ ସେଣ୍ଟର।

ମାଇକ୍ରୋବାଇଲୋଜି ବିଭାଗ ଡାକ୍ତର ବିନୟ ହାଲୁର କହିଛନ୍ତି, ଦୀର୍ଘ ଦିନ ଧରି ଆଇସିୟୁରେ ରହିଲେ, ଲଗାତାର ସାଲାଇନ ଲଗାଯାଇଥିଲେ ଏବଂ ଆଣ୍ଟିବାୟୋଟିକ ଦିଆଯାଉଥିଲେ ରୋଗୀଙ୍କ ରକ୍ତରେ କେଣ୍ଡିଡା ବୃଦ୍ଧି ପାଏ। ଏଭଳି ରୋଗୀଙ୍କ ଶରୀରରେ ‘କେଣ୍ଡି ଡିମିଆ’ ନାମକ ଏକ ଫଙ୍ଗାଲ ସଂକ୍ରମଣ ଦେଖାଯାଏ। ଏଥିପାଇଁ ଦିଆଯାଉଥିବା ଆଣ୍ଟି ଫଙ୍ଗାଲ୍‌ ଔଷଧ ଫଳପ୍ରଦ ହୋଇଥାଏ। ମାତ୍ର ନୂତନ ଭାବରେ ଚିହ୍ନଟ ହୋଇଥିବା ‘କେଣ୍ଡିଡା ଅରିସ’ରେ ଆଣ୍ଟି ଫଙ୍ଗାଲ ଔଷଧ କାମ କରୁ ନାହିଁ। ଏଥିଯୋଗୁଁ ଏହି ଫଙ୍ଗସ୍‌ ଆକ୍ରାନ୍ତ ରୋଗୀଙ୍କ ବିପଜ୍ଜନକ ହେଉଛି। ଏଭଳି ରୋଗୀଙ୍କଠାରୁ ଡାକ୍ତରଖାନାର ଅନ୍ୟ ରୋଗୀଙ୍କୁ ମଧ୍ୟ ଏହା ସଂକ୍ରମିତ ହେଉଛି। ଏପରିକି ଅନେକ ସମୟରେ ଏହି ସଂକ୍ରମଣ ମହାମାରୀରେ ପରିଣତ ହେବାର ଆଶଙ୍କା ସୃଷ୍ଟି କରିଥାଏ।

publive-image apic.org

ଡା.ହାଲୁର ଆହୁରି କହିଛନ୍ତି ଯେ ‘କେଣ୍ଡିଡା ଅରିସ’ର ଚିହ୍ନଟ ପ୍ରକ୍ରିୟାର ପ୍ରାଥମିକ ପର୍ଯ୍ୟାୟରେ ‘କେଣ୍ଡିଡା ହିମଲୋନି’, ‘କେଣ୍ଡିଡା ସାମିଟା’ ଭଳି ଅନ୍ୟ ଫଙ୍ଗାଲ ଇନଫେକସନ ହେବା ନେଇ ଦ୍ବନ୍ଦ୍ବ ହୁଏ। ଏହାର ଚିହ୍ନଟ ପାଇଁ ସପ୍ତାହେରୁ ଏକ ମାସ ପର୍ଯ୍ୟନ୍ତ ମଧ୍ୟ ସମୟ ଲାଗିଯାଏ। ତେଣୁ ଏହି ସମୟରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଯାଏ। କୋଭିଡ ପୂର୍ବରୁ ଏବଂ କୋଭିଡ୍‌ ସମୟରେ ଦୀର୍ଘ ଦିନ ଆଇସିୟୁରେ ଚିକିତ୍ସିତ ରୋଗୀଙ୍କ ଠାରେ ଏହା ଚିହ୍ନଟ ହୋଇଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାର ରୋଗୀଙ୍କ ଠାରେ ଏହା ଦେଖାଯାଇଛି। ମାତ୍ର ଏ ସଂକ୍ରାନ୍ତରେ ତଥ୍ୟ ମିଳି ପାରୁ ନାହିଁ। ଏହି ଫଙ୍ଗସ୍‌ ସଂକ୍ରମଣକୁ ନେଇ ରୋଗୀଙ୍କ ସହିତ ଡାକ୍ତର ମଧ୍ୟ ସତର୍କ ହେବା ଉଚିତ। ଏହିଭଳି ରୋଗୀ ଡାକ୍ତରଖାନାକୁ ଆସିଲେ ସ୍ବତନ୍ତ୍ର ଭାବରେ ସଂକ୍ରମଣ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟରେ ରଖିବା ଉଚିତ। ଏହା କରାନଗଲେ ଅନ୍ୟ ରୋଗୀଙ୍କୁ ସଂକ୍ରମିତ କରିଦିଏ।

ସୂଚନା ଅନୁଯାୟୀ ଏଭଳି ଏକ ମାରାତ୍ମକ ଫଙ୍ଗସ୍‌ ସଂକ୍ରାନ୍ତରେ ଏମ୍ସରେ ଗବେଷଣା କରାଯାଉଛି। ଏଥିରେ ପ୍ରଥମତଃ ଓଡ଼ିଶାର କେଉଁ ଭାଗରୁ ଆସୁଥିବା ଲୋକଙ୍କୁ ଏହି ଫଙ୍ଗାଲ ସଂକ୍ରମଣ ହେଉଛି ତାର ଚିହ୍ନଟ ହେବ। ପ୍ରଥମରୁ ଦେଢ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟ କରାଯିବ। ସେହି ଅନୁଯାୟୀ ଏହି ଡିଭାଇସ୍‌ ପ୍ରସ୍ତୁତ ହେଉଛି। ମାଇକ୍ରୋ ବାଇଲୋଜି ବିଭାଗର ଡ.ବିନୟ ହାଲୁରଙ୍କ ସହିତ ପେଥୋଲୋଜି ବିଭାଗର ଡ.ମୁକୁନ୍ଦ, ଫାର୍ମାକୋଲୋଜି ବିଭାଗର ଡ.ଆନନ୍ଦ ଶ୍ରୀନିବାସନ, ଇନଟେନ୍‌ସିଭ୍‌ କେୟାରର ଡାକ୍ତର ସ୍ବାଗତା, ମେଡିସିନ ବିଭାଗ ଡା.ଅନୁପମ ଦେ, ଇଏନ୍‌ଟି ବିଭାଗ ଡାକ୍ତର ସି ପ୍ରୀତମ, ଶ୍ବାସ ରୋଗ ବିଭାଗ ଡାକ୍ତର ମନୋଜ ପାଣିଗ୍ରାହୀ, ରକ୍ତ କର୍କଟ ବିଭାଗର ଡାକ୍ତର ସୋନାଲି ମହାପାତ୍ର ରହିଛନ୍ତି। ସଂକ୍ରମଣ ନିୟନ୍ତ୍ରଣ ବିଭାଗର ଡ.ବିଜୟିନୀ, ଡ.ଜବାହାର ପିଲ୍ଲେ, ଡ.ଅଶୋକ ପ୍ରମୁଖ ସେମାନଙ୍କୁ ସହଯୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe