ମା’ଙ୍କୁ ସ୍ବାଗତ ପାଇଁ ଫୁଟିଲାଣି କାଶତଣ୍ଡି: ଆରମ୍ଭ ହେଲାଣି ମୂର୍ତ୍ତି ନିର୍ମାଣ

ମା’ଙ୍କୁ ସ୍ବାଗତ ପାଇଁ ଫୁଟିଲାଣି କାଶତଣ୍ଡି: ଆରମ୍ଭ ହେଲାଣି ମୂର୍ତ୍ତି ନିର୍ମାଣ

ପୁରୀ: ଅଗ୍ରପୂଜ୍ୟଙ୍କ ଆଗମନ ପରେ ଆରମ୍ଭ ହୋଇଛି ପାର୍ବଣର ଆଡ଼ମ୍ବର। ଉତ୍ସାହ ଓ ଉଦ୍ଦୀପନାର ପରଶ ନେଇ ପୁଣି ଫେରିଛି ଶରତ। ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। ଅନ୍ୟପଟୋ ମା’ଙ୍କ ସ୍ବାଗତ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋର୍‌ସୋର୍‌ ଆରମ୍ଭ ହୋଇଯାଇଛି। କୀଳାରେ ନଡ଼ା ବାନ୍ଧି ମୃଣ୍ମୟ ମୂର୍ତ୍ତିର ଆକାର ଦେଇସାରିଲେଣି କାରିଗର। ମାଟି ଲେପ ପରେ ମା’ଙ୍କୁ ଆବାହନ କରାଯିବ। ସୁଦୃଶ୍ୟ ମୂର୍ତ୍ତି ଦେଖିବା ପାଇଁ ସହରବାସୀ ମଧ୍ୟ ଉତ୍ସୁକ ନେତ୍ରରେ ଚାହିଁ ବସିଲେଣି। ବିଭିନ୍ନ ଦେବୀ ପୀଠରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ପାର୍ବଣ ମନସ୍କ ଶ୍ରଦ୍ଧାଳୁ ଏକରକମ ଓଲଟ ଗଣତି ଆରମ୍ଭ କରିଦେଇଛନ୍ତି। ପୁରୀ ସହରରେ ୨୬ଟି ସ୍ଥାନରେ ଦେବୀଙ୍କୁ ପୂଜା କରାଯାଉଥିବା ବେଳେ ବାଲିସାହିଠାରୁ ନେଇ ଅନ୍ୟ ସ୍ଥାନମାନଙ୍କରେ ନାଗା ପୂଜନର ବିଧି ଶ୍ରୀକ୍ଷେତ୍ର ଶାରଦୀୟ ପୂଜାର ବୈଶିଷ୍ଟ୍ୟ। ଏନେଇ ମୂର୍ତ୍ତି କାରିଗର ତଥା ମହାପ୍ରଭୁଙ୍କ ଚିତ୍ରକର ସେବକ ଚିତ୍ତରଂଜନ ମହାରଣା କହିଛନ୍ତି, ଭାଦ୍ରବରୁ ଆମ ହାତ ଚଳଚଞ୍ଚଳ ହୁଏ। ପ୍ରଥମେ ଅଗ୍ରପୂଜ୍ୟଙ୍କୁ ଆବାହନ କରିସାରିବା ପରେ ମା’ଙ୍କୁ ପୀଠରେ ମୃଣ୍ମୟ ରୂପ ଦେଇ ଆବାହନ କରିବାକୁ ଆମେ ସୁଯୋଗ ପାଉ। ଏଥିପାଇଁ ଗଭୀର ନିଷ୍ଠାରେ ରହିବାକୁ ପଡ଼େ। ମହାପ୍ରଭୁ ଯେପରି ଆମର ଆରାଧ୍ୟ, ଦେବୀ ମା’ଙ୍କୁ ବି ଆବାହନ କରିବା ପୂର୍ବରୁ ଆମେ ନିଷ୍ଠାରେ ରହୁ। କୌଣସି ଅଶୁଭ କର୍ମାଦିରେ ସାମିଲ ନହୋଇ କାମରେ ଧ୍ୟାନ ଦେଉ। ମା’ଙ୍କୁ ରୂପ ଦେବା ବେଳେ ସାବଧାନତା ଆପଣାଇବାକୁ ପଡ଼େ। ଆମେ କୀଳାରେ ନଡ଼ା ବାନ୍ଧୁ, ମାଟିର ଲେପ ଦେଉ, ତୁଳୀ ଧରି ମା’ଙ୍କୁ ପୂର୍ଣ୍ଣାବୟବ ରୂପ ଦେଉ, କିନ୍ତୁ ବାସ୍ତବରେ ସେ ହିଁ ହାତ ଧରି ସବୁ କରାଇ ଦିଅନ୍ତି। ଆମେ ତାଙ୍କ ଆଜ୍ଞାରେ କାମ କରୁ ବୋଲି ଶ୍ରୀ ମହାରଣା କହିଛନ୍ତି।

ଷଷ୍ଠୀ ଓ ସୁନିଆରେ କୀଳା ପୂଜନ ପରେ ଏବେ ସମସ୍ତ ପୂଜା ମଣ୍ଡପରେ ଦେବୀଙ୍କ ମୂର୍ତ୍ତି ଗଢ଼ା କାର୍ଯ୍ୟ ଜାରିରହିଛି। ଶ୍ରୀକ୍ଷେତ୍ରର ଅନନ୍ୟ ଗୋସାଣି ପରମ୍ପରା ରହିଥିବାରୁ ମୂର୍ତ୍ତିରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ। କାକୁଡ଼ିଖାଇ, ଜହ୍ନିଖାଇ, ବାରବାଟୀ, ଶୂନ୍ୟଗୋସାଣି, ମା’ ଶଙ୍ଖେଶ୍ବରୀଙ୍କୁ ଆବାହନ ପାଇଁ ଦେବୀ ପୀଠରେ କାରିଗରମାନେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏଣେ ପୂଜା କମିଟିର ସଦସ୍ୟମାନେ ମଧ୍ୟ ନିଷ୍ଠାରେ ରହି ମା’ଙ୍କ ଷୋଳପୂଜା ପାଇଁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe