ରାଜନଗର: ବିକ୍ରି ହେଉଛି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ରାଜ୍ୟ ବାହାର କମ୍ପାନି ହାତରେ ଟେକି ଦିଆଯାଉଛି ଜଙ୍ଗଲ ଓ ସମୁଦ୍ର। ଏହି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା କିପରି ସମ୍ଭବ ହେଲା ତାହାକୁ ନେଇ ଜିଲ୍ଲା ପ୍ରଶାସନ ଖୋଲତାଡ଼ ଆରମ୍ଭ କରିଛି। ଅନ୍ୟପଟେ, ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା ହେବା ପରେ ବି ଗହୀରମଥାର ଜମିବାଡ଼ି କିଣାବିକା ହେବା ପଛର କାରଣ ଖୋଜୁଖୋଜୁ ହାତରେ ଲାଗିଛି ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ। କେବଳ ରାଜ୍ୟ ବାହାର କମ୍ପାନି ନୁହେଁ ରାଜନଗର ବ୍ଲକ୍ର ସରକାରୀ ମାନ୍ୟତାପ୍ରାପ୍ତ ମହାବିଦ୍ୟାଳୟ ମଧ୍ୟ ବଙ୍ଗୋପସାଗରକୁ କିଣିଥିବା ଜଣାପଡ଼ିଛି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ର ମହିଷାସୁରରେ ରହିଛି ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟ ପକ୍ଷରୁ ୪ଏକର ୫୪ଡେସିମିଲ୍ ସମୁଦ୍ର କିଣାଯାଇଛି। ୨୦୦୧ ମସିହାରେ ରାଜନଗର ତହସିଲ୍ର ଦାଖଲ ଖାରଜ କେସ୍ ନମ୍ବର-୫୯୨/୦୧ରେ ୨ଏକର ୩୯ଡେସିମିଲ୍ ଜମି (ଗହୀରମଥାରେ ଖାତା ନମ୍ବର-୨୭/୪ ଓ ପ୍ଲଟ୍ ନମ୍ବର-୧୦୧) ଏବଂ ୨୦୦୪ରେ ରାଜନଗର ତହସିଲ୍ର ଦାଖଲ ଖାରଜ କେସ୍ ନମ୍ବର ୧୩୦୪/୦୪ରେ ଗହୀରମଥାର ୫୬ ଡେସିମିଲ୍ (ପ୍ଲଟ୍ ନମ୍ବର-୯୩), ୬୨ ଡେସିମିଲ୍ (ପ୍ଲଟ୍ ନମ୍ବର-୧୦୨) ଓ ୯୭ ଡେସିମିଲ୍ (ପ୍ଲଟ୍ ନମ୍ବର-୧୧୩) ଜମି କିଣାଯାଇଛି। ଦୁଇଥରରେ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଗହୀରମଥାରେ ମୋଟ ୪ ଏକର ୫୪ ଡେସିମିଲ ଜମି କିଣିଛି।
୧୯୯୭ରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା ପୂର୍ବରୁ ରାଜସ୍ୱ ଗ୍ରାମ ସାନଗହୀରମଥା ଓ ବଡ଼ଗହୀରମଥାରେ ଗୋଟିଏ ବି ପରିବାର ରହୁ ନ ଥିଲେ। ୧୯୯୭ ପୂର୍ବରୁ ଦୁଇଟି ରାଜସ୍ୱ ଗାଁର ୫୦ପ୍ରତିଶତ ଜମି ସମୁଦ୍ର ଭିତରକୁ ଚାଲିଯାଇଥିଲା। ପରବର୍ତ୍ତୀ ସମୟରେ ଅବଶିଷ୍ଟ ଜମି ମଧ୍ୟ ସମୁଦ୍ର ଆଁରେ ପଶିଥିଲା। ଏଭଳି ସ୍ଥିତିରେ ସମୁଦ୍ର ଗର୍ଭରେ ଥିବା ଜମିକୁ ମହାବିଦ୍ୟାଳୟ କ’ଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରି କିଣିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ସତ୍ୟବାଦୀ ଜେନାଙ୍କ କହିବା କଥା ହେଲା, ଜମି କିଣିବା ବେଳେ ଏହା ସମୁଦ୍ର ଭିତରେ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଜାଣିଥିଲେ। ସେହି ଜମିକୁ ସରକାରୀ ରେକର୍ଡରେ ଖେଳପଡ଼ିଆ ଦର୍ଶାଇବା ପାଇଁ କିଣା ଯାଇଥିଲା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର୍ ମନୋରଞ୍ଜନ ମହାନ୍ତିକୁ ପଚାରିବାରୁ ସେ ଏ ସମ୍ପର୍କରେ ଜାଣି ନାହାନ୍ତି; ତଦନ୍ତ କରି କ’ଣ ହୋଇଛି ଜଣାଇବେ ବୋଲି କହିଛନ୍ତି।
Follow Us