ପାର୍ବଣ ପାଇଁ ୨୮ରୁ କମ୍ପିବ ଢେଙ୍କାନାଳ ସହର;  ୮ରେ ମା’ଙ୍କ ଭସାଣି, ବାଜିବନି ଡିଜେ

Advertisment

ଗଜଲକ୍ଷ୍ମୀ  ମହୋତ୍ସବ ପାଇଁ ପ୍ରଶାସନ ଓ ମିଳିତ ବଜାରର ପ୍ରସ୍ତୁତି ବୈଠକ

ଗଜଲକ୍ଷ୍ମୀ  ମହୋତ୍ସବ ପାଇଁ ପ୍ରଶାସନ ଓ ମିଳିତ ବଜାରର ପ୍ରସ୍ତୁତି ବୈଠକ

ପାର୍ବଣ ପାଇଁ ୨୮ରୁ କମ୍ପିବ ଢେଙ୍କାନାଳ ସହର;  ୮ରେ ମା’ଙ୍କ ଭସାଣି, ବାଜିବନି ଡିଜେ

ଢେଙ୍କାନାଳ: ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ମହୋତ୍ସବ ପାଳନ ପାଇଁ ଆଜି ପ୍ରଶାସନ ଓ ପୂଜା କମିଟି ମିଳିତ ବଜାରର ଏକ ପ୍ରସ୍ତୁତି ବୈଠକ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସରୋଜ କୁମାର ସେଠୀ ବୈଠକରେ ଅଧ୍ୟକ୍ଷତା କରି ଚଳିତ ମାସ ୨୮ ତାରିଖରୁ ପୂଜା ଆରମ୍ଭ ହୋଇ ୮ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଭାଇଚାରା ଓ ଶାନ୍ତିଶୃଙ୍ଖଳାରେ ପାଳନ କରି ଜିଲ୍ଲାର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ସେ କହିଥିଲେ। ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ୍‌ କାଟ, ଟ୍ରାଫିକ୍‌ ଆଦି ସମସ୍ୟା ସଂପର୍କରେ ବୈଠକରେ ଆଲୋଚନା କରାଯାଇ ପାର୍ବଣ ପୂର୍ବରୁ ତାହାର ସମାଧାନ କରାଯିବ ଏବଂ ଜନସାଧାରଣଙ୍କ ହିତ ପାଇଁ ବିଭାଗୀୟ ଅଧିକାରୀମାନେ ଅସୁବିଧା ସଂପର୍କରେ ନ ବଖାଣି ସମସ୍ୟା ସମାଧାନର ବାଟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଡିଜେ ସାଉଣ୍ଡ୍‌ ବ୍ୟବହାର ପରିବର୍ତ୍ତେ ପାରଂପାରିକ ବାଦ୍ୟ ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ପୂଜାରେ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ଓ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ  ସମସ୍ତ ବ୍ୟବସ୍ଥା କରାଯିବ। କୌଣସି ବେଆଇନ୍‌ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ପ୍ରକାଶ କରିଥିଲେ। ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ପାର୍କିଂ ପାଇଁ ପ୍ରଶାସନ ଓ ମିଳିତ ବଜାର କମିଟି ଗୋଟିଏ ପ୍ରକାରର ଦର ନିର୍ଦ୍ଧାରଣ କରି ସମସ୍ତ ଷ୍ଟାଣ୍ଡ୍‌ରେ ଲାଗୁ କରିବା ପାଇଁ ଆରକ୍ଷୀ ଅଧୀକ୍ଷକ ବୈଠକରେ ପରାମର୍ଶ ଦେଇଥିଲେ। ମିଳିତ ବଜାର ଲକ୍ଷ୍ମୀ ପୂଜା କମିଟିର ସଭାପତି ଜ୍ଞାନେନ୍ଦ୍ର ବେହେରା, ଢେଙ୍କାନାଳର ଗର୍ବ ଓ ଗୌରବ ତଥା ଗଣପର୍ବ ଲକ୍ଷ୍ମୀପୂଜାକୁ ଭାଇଚାରା ମଧ୍ୟରେ ପାଳନ କରିବା ପାଇଁ ନିବେଦନ କରିଥିଲେ। ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ବୈଠକରେ ଯୋ‌ଗଦେଇ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଜିଲ୍ଲାବାସୀଙ୍କ ପାଇଁ  ଏକ ଆବେଗ ଓ ଏହାକୁ ପ୍ରଶାସନ ଓ ସହରବାସୀ ଦାୟିତ୍ୱର ସହ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ପୂଜା ପାଇଁ ସମସ୍ତ ପ୍ରକାର ସହଯୋଗ ପୌରପାଳିକା ପକ୍ଷରୁ ଯୋଗାଇ ଦିଆଯିବ ଓ ପ୍ରତ୍ୟେକ ୱାର୍ଡର ରାସ୍ତା ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିବା ବେ‌ଳେ ମାଟି ରାସ୍ତାଗୁଡ଼ିକରେ ପେଭର୍‌ ବ୍ଲକ୍‌ ବିଛାଯିବା ଲାଗି ୨୧  କୋଟି ଟଙ୍କା ମଞ୍ଜୁର ହୋଇଥିବା ଓ ପୂଜା ପୂର୍ବରୁ ଏହାର କାମ କରାଯିବ ବୋଲି କହିଥିଲେ।

ସହରକୁ ପରିଷ୍କାର, ନାଳନର୍ଦ୍ଦମା ସଫା, ଷ୍ଟ୍ରିଟ୍‌ ଲାଇଟ୍‌ର ବ୍ୟବସ୍ଥା, ଅଧିକ ପାନୀୟ ଜଳଯୋଗାଣ, ଡ୍ରେନ୍‌ ଓ ରାସ୍ତା ମରାମତି, ବୁଲା ଗୋରୁଙ୍କୁ ରାସ୍ତା ଅବରୋଧରୁ ହଟାଯିବା, ପାର୍କିଂ ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା, ୨୪ ଘଣ୍ଟିଆ ଆଶୁ ଚିକିତ୍ସା ବ୍ୟବସ୍ଥା ଓ ଜରୁରୀ ଚିକିତ୍ସା ସେବା ନିମନ୍ତେ ମୋବାଇଲ୍‌ ଆମ୍ବୁଲାନ୍ସ ମୁତୟନ, ସହରରେ ଅସ୍ଥାୟୀ ପରିସ୍ରାଗାର ବ୍ୟବସ୍ଥା, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ପ୍ରତ୍ୟେକ ପୂଜା ପ୍ରତିଷ୍ଠାନରେ ପୁଲିସ୍‌ ମୃତୟନ ସହ ଟ୍ରାଫିକ୍‌ ନିୟନ୍ତ୍ରଣର ବ୍ୟବସ୍ଥା ଓ ରାତି ୧୨ଟା ପର୍ଯ୍ୟନ୍ତ ପୂଜା ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ପୂଜା ସମୟରେ ମହିଷାପାଟଠାରେ ପଲ୍ଲୀଶ୍ରୀ ମେଳା ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ଡେପୁଟି ଜିଲ୍ଲାପାଳ ଲକ୍ଷ୍ମୀଧର ରାଉତ, ସମସ୍ତ ପୂଜା ପ୍ରତିଷ୍ଠାନର ସଭାପତି ଓ ସଂପାଦକ, ବିଭିନ୍ନ ବିଭାଗୀୟ ଅଧିକାରୀ, ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ  ପ୍ରତିନିଧିମାନେ ‌ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ସଦର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଦେଇଥିଲେ। ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe